ନୂଆଦିଲ୍ଲୀ, ୧୩|୦୧: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଇରାନ ବିରୋଧରେ ଆଗତ ପ୍ରସ୍ତାବକୁ ଭାରତ ସମେତ ୧୩୫ ଦେଶ ସମର୍ଥନ କରିଛନ୍ତି । ଭାରତର ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ୟୁଏନ୍ଏସ୍ସିରେ ଗଲ୍ଫ କୋଅପରେସନ କାଉନ୍ସିଲ (ଜିସିସି)ର ପ୍ରସ୍ତାବକୁ ସମର୍ଥନ କରିଛି । ଏହି ପ୍ରସ୍ତାବ ଉପସାଗରୀୟ କ୍ଷେତ୍ରରେ ବଢ଼ୁଥିବା ତିକ୍ତତା ଏବଂ ଆକ୍ରମଣକୁ ନେଇ ଅଣାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହି ଅଞ୍ଚଳରେ ସଂଘର୍ଷ ବୃଦ୍ଧି ଏବଂ ସ୍ଥିତି ଅଧିକ ବିଗିଡ଼ିବାରୁ ରୋକିବା, ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ଏବଂ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହେବାରୁ ରୋକିବା ।

ପ୍ରସ୍ତାବରେ କୁହାଯାଇଛି, ପାରସ୍ୟ ଉପସାଗରୀୟ ଦେଶଗୁଡ଼ିକରେ ଇରାନର ଏହି ଆକ୍ରମଣ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ । ଏଥିଯୋଗୁ ବୈଶ୍ୱିକ ଶାନ୍ତିକୁ ଗମ୍ଭୀର ବିପଦ ରହିଛି । ଆକ୍ରମଣରେ ଆବାସିକ ସ୍ଥାନ ଏବଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି । ଯାହା ଫଳରେ ଧନ-ଜୀବନ ହାନି ଘଟୁଛି । ୟୁଏନ୍ଏସ୍ସିର ୧୫ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ୧୩ ଦେଶ ଏହି ପ୍ରସ୍ତାବ ପକ୍ଷରେ ଭୋଟ୍ ଦେଇଥିଲେ । କୌଣସି ଦେଶ ଏହି ପ୍ରସ୍ତାବକୁ ବିରୋଧ କରି ନ ଥିଲେ । ତେବେ ରୁଷ୍ ଏବଂ ଚୀନ୍ ଭୋଟିଂରେ ଭାଗ ନେଇ ନ ଥିଲେ । ଏହି ଦୁଇ ଦେଶ ଏଥିରୁ ନିଜକୁ ଦୂରେଇ ରଖିଥିଲେ । ଏବେ ଆମେରିକା ଜାତିସଂଘ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରୁଛି ।

ପ୍ରସ୍ତାବରେ ବାହାରିନ୍, କୁୱେତ, ଓମାନ, କାତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଜୋର୍ଡାନର କ୍ଷେତ୍ରୀୟ ଅଖଣ୍ଡତା ଏବଂ ସ୍ୱାଧୀନତାକୁ ସମର୍ଥନ କରାଯାଇଛି । ଇରାନ ଏହି ଦେଶଗୁଡ଼ିକ ଉପରେ ଆକ୍ରମଣ ତୁରନ୍ତ ବିନା ସର୍ତ୍ତରେ ବନ୍ଦ କରୁ ବୋଲି ୟୁଏଇ ଦାବି କରିଥିଲା । ଏଥିସହ ଇରାନ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ଭଳି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ରାସ୍ତା ବନ୍ଦ କରିବା କିମ୍ବା ସେଠାରେ ଜାହାଜ ଚଳାଚଳ ବାଧିତ କରିବା ଲାଗି ଧମକ ଦେବା ବନ୍ଦ କରୁ ବୋଲି ୟୁଏଇ କହିଥିଲା । ଅନ୍ୟପକ୍ଷରେ ୟୁଏନ୍ଏସ୍ସିରେ ପାରିତ ପ୍ରସ୍ତାବକୁ ଇରାନ କଡ଼ା ବିରୋଧ କରିଛି । ଜାତିସଂଘରେ ଇରାନର ସ୍ଥାୟୀ ପ୍ରତିନିଧି ଅମୀର-ସଇଦ୍ ଇରାବାନୀ କହିଛନ୍ତି, ଏହି ପ୍ରସ୍ତାବ ଅନ୍ୟାୟପୂର୍ଣ୍ଣ ଏବଂ ବେଆଇନ । ଏଭଳି ପ୍ରସ୍ତାବ ପାରିତ ହେବା ୟୁଏନ୍ଏସ୍ସିର ବିଶ୍ୱସନୀୟତା ପାଇଁ ଏକ ବଡ଼ ଝଟକା । ଏହା ଜାତିସଂଘ ଇତିହାସରେ ଏକ କଳାଦାଗ ସଦୃଶ ।

ଅଧିକ ପଢ଼ନ୍ତୁ-#Strait_of_Hormuz : ଥାଇ ଜାହାଜ ଉପରେ ଆକ୍ରମଣ ପରେ ଡ୍ରାଗନ ଛାନିଆ, ହୋର୍ମୁଜରେ ରାସ୍ତା ବଦଳାଇଲା ଚୀନ ଜାହାଜ