ବର୍ଷାରେ ଧୋଇଯିବ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ!

ବିଶାଖାପଟ୍ଟନମ୍ ୧୮/ ୦୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍ ରବିବାର ବିଶାଖାପଟ୍ଟନମ୍ରେ ଖେଳାଯିବ । ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ଘରୋଇ ଦଳ ୫ ଓ୍ବିକେଟ୍ରେ ଜିତିନେଇଥିଲା । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି । ତେବେ ରବିବାର ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆ ପୂର୍ବରୁ ପ୍ରଶଂସକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ସମ୍ଭାବ୍ୟ ବର୍ଷା ।
ଦ୍ବିତୀୟ ଦିନିକିଆରେ ବର୍ଷା ହେବାର ସମ୍ଭାବନା ରହିଛି । ଭାରତର ଅନେକ ରାଜ୍ୟରେ ପାଣିପାଗ ଅଚାନକ୍ ପରିବର୍ତ୍ତନ ହୋଇଛି । ପାଣିପାଗ ଉଷ୍ମ ହେବା ପରିବର୍ତ୍ତେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବିଶାଖାପଟ୍ଟନମରେ ମଦ୍ୟ ସ୍ଥିତି ସମାନ ରହିଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ରବିବାର ଏଠାରେ ପ୍ରବଳ ବର୍ଷା ହେବାର ୮୦% ସମ୍ଭାବନା ରହିଛି । ଦିନ ତମାମ୍ ସେଠାରେ ଆକାଶ ମେଘାଚ୍ଛନ ମଧ୍ୟ ରହିବ ।
ବର୍ଷା ଆଶଙ୍କା ଥିବାରୁ ଟସ୍ କାର୍ଯ୍ୟକ୍ରମ ମଧ୍ୟ ବିଳମ୍ବ ହୋଇପାରେ । ସନ୍ଧ୍ୟା ୪ ରୁ ୬ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଯଦି ମ୍ୟାଚ୍ ଆରମ୍ଭରୁ ବର୍ଷା ହୁଏ ତେବେ ଓଭର ହ୍ରାସ କରାଯାଇପାରେ । ବିଶାଖାପଟ୍ଟମରେ ବର୍ଷା ସାଙ୍ଗକୁ ପ୍ରାୟ ୩୨ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।