ନୂଆଦିଲ୍ଲୀ,୧୯/୦୮: ଉପରାଷ୍ଟ୍ରପତି ନିର୍ବାଚନ ନେଇ ଦିନ ନିକଟ ହେଉଛି । ହାତ ଗଣତି ଦିନ ବାକି ରହିଛି । ଅଗଷ୍ଟ ୨୧ ନାମାଙ୍କନ ଭରିବା ଶେଷ ତାରିଖ । ଏନ୍ଡିଏ ସିପି ରଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି । ହେଲେ କିଏ ହେବ ବିରୋଧୀ ଦଳର ପ୍ରାର୍ଥୀ ? ଇଣ୍ଡି ମେଣ୍ଟର କିଏ ହେବ ଉପରାଷ୍ଟ୍ରପତି ପ୍ରାର୍ଥୀ ? ତାହା ଏ ପର୍ଯ୍ୟନ୍ତ ଫାଇନାଲ ହୋଇପାରୁନାହିଁ । ଗତକାଲି କଂଗ୍ରେସ ସଭାପିତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଇଣ୍ଡିଆ ବ୍ଲକର ବୈଠକ ହୋଇଥିଲା ହେଲେ ପ୍ରାର୍ଥୀ ନାମ ଫାଇନାଲ ହୋଇପାରିନଥିଲା । ଆଜି ପୁଣି ମଧ୍ୟାହ୍ନ ୧୨ ଟା ୨୦ରେ ବୈଠକ ବସିବ । ଏହାପରେ ବିରୋଧୀ ଆଜି ପ୍ରାର୍ଥୀ ନାମରେ ମୋହର ମାରିବା ନେଇ ଚର୍ଚ୍ଚା ହେଉଛି । ଇସ୍ରୋର ପୂର୍ବତନ ବୈଜ୍ଞାନିକ ପଦ୍ମଶ୍ରୀ ଏମ୍ ଆନ୍ନାଦୁରାଇଙ୍କ ସମେତ ଅନ୍ୟ କେତେକ ନାମକୁ ନେଇ ଆଲୋଚନା ହେଉଛି ।
କିଏ ଏମ୍ ଆନ୍ନାଦୁରାଇ ? ଇଣ୍ଟି ମେଣ୍ଟ ବୈଠକରେ ଅନେକ ନାମକୁ ନେଇ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଇଲସ୍ୱାମୀ ଏମ୍ ଆନ୍ନାଦୁରାଇ । ସେ ଇସ୍ରୋର ପୂର୍ବ ବୈଜ୍ଞାନିକ । ତାଙ୍କୁ 'ମନ୍ ମ୍ୟାନ ଅଫ୍ ଇଣ୍ଡିଆ' କୁହାଯାଏ । ସେ ଚନ୍ଦ୍ରଯାନ-୧ (ଭାରତର ପ୍ରଥମ ଚନ୍ଦ୍ର ମିଶନ ୨୦୦୮) ଏବଂ ମଙ୍ଗଳଯାନ (ଏମ୍ଓଏମ୍, ୨୦୧୩) ପାଇଁ ପରିଚିତ ଥିଲେ । ଏମ୍ ଆନ୍ନାଦୁରାଇଙ୍କୁ ବିରୋଧୀ ପ୍ରାର୍ଥୀ କରି ମୈଦାନକୁ ଓହ୍ଲାଇବା ପାରେ ବୋଲି ଚର୍ଚ୍ଚା ହେଉଛି । ଏମ୍ ଆନ୍ନାଦୁରାଇଙ୍କ ସମେତ ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଇତିହାସକାର ତୁଷାର ଗାନ୍ଧୀଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସାଂସଦ ତିରୁଚି ଏନ୍ ଶିବାଙ୍କୁ ଇଣ୍ଡି ମେଣ୍ଟ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି । ପ୍ରାର୍ଥୀ ଚୟନକୁ ନେଇ ଇଣ୍ଡି ମେଣ୍ଟର ମାନସ ମନ୍ଥନ ଚାଲିଛି ।
ଦକ୍ଷିଣ ବନାମ ଦକ୍ଷିଣ- ଦେଶର ଦ୍ବିତୀୟ ସମ୍ବିଧାନିକ ପଦ ପାଇଁ ଦକ୍ଷିଣ ବନାମ ଦକ୍ଷିଣ ହୋଇପାରେ ମୁକାବିଲା । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଯଦି ବିରୋଧୀ ଏମ୍ ଆନ୍ନାଦୁରାଇଙ୍କୁ ପାର୍ଥୀ କରୁଛି ତେତେ ଦକ୍ଷିଣ ବନାମ ଦକ୍ଷିଣ ଲଢେଇ ନିଶ୍ଚିନ୍ତ । କାରଣ ଏନ୍ଡିଏର ସିପି ରାଧାକ୍ରିଷ୍ଣନ୍ ବି ଦକ୍ଷିଣ ଭାରତୀୟ ଅର୍ଥାତ ତାମିଲନାଡୁର ।