ହରଭଙ୍ଗା, ୧୨।୨ : ଦେଶବ୍ୟାପୀ ଭାରତ ବନ୍ଦର ପ୍ରଭାବ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି। ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଶ୍ରମିକ ସଂଗଠନମାନେ ରାସ୍ତାକୁ ଓହ୍ଲାଇଥିବା ବେଳେ ଜିଲ୍ଲାର ମୁଖ୍ୟ ବଜାର ଅଞ୍ଚଳଗୁଡ଼ିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାର ମାଧପୁର, ଚାରିଛକ, ପୁରୁଣା କଟକ ସହ ବୌଦ୍ଧ ସହରର ଏନଏସି ଛକ ଓ ବ୍ରିଜ ଛକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନଚଳାଚଳ ମଧ୍ୟ ଆଂଶିକ ଭାବେ ପ୍ରଭାବିତ ହୋଇଥିଲା। ସକାଳୁ ସକାଳୁ ଶ୍ରମିକ ସଂଗଠନ ଓ ବିଭିନ୍ନ ସମର୍ଥକ ଦଳମାନେ ରାସ୍ତାରେ ପିକେଟିଙ୍ଗ କରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।

ଶ୍ରମିକ ସଂଗଠନ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି, ମୂଲ୍ୟବୃଦ୍ଧି ଓ ବେକାରି ସମସ୍ୟା ନେଇ ସେମାନେ କଟୁ ସମାଲୋଚନା କରିଥିଲେ। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଥିଲା।