ଢେଙ୍କାନାଳ, ୨୧।୭: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସାଆନ୍ଦା ଗ୍ରାମରେ ଏକ ଭୟାନକ ଲୁଟପାଟର ଘଟଣା ସାମ୍ନାକୁ ଆସିଛି । ଗ୍ରାମର ସୁରେଶ ଚନ୍ଦ୍ର ପାଣିଙ୍କ ଘରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପଶି ୩ ଜଣ ମୁଖାପିନ୍ଧା ଦୁର୍ବୁତ୍ତ ସଶସ୍ତ୍ର ଲୁଟପାଟ କରିଛନ୍ତି । ଘରଲୋକଙ୍କୁ ମାରାଣାସ୍ତ୍ର ଦେଖାଇ ଭୟଭୀତ କରି ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଘରେ ସିସିଟିଭି କ୍ୟାମେରା ଲାଗିଥିବା ସତ୍ତ୍ୱେ, ଚୋରମାନେ ଯୋଜନାବଦ୍ଧ ଭାବେ ଘର ଭିତରକୁ ପ୍ରବେଶ କରିଥିଲେ । ସୁରେଶ ଓ ତାଙ୍କ ସ୍ତ୍ରୀଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ପରେ ସମସ୍ତ ସୁନା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ଏବଂ ଦୁଇଟି ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ ।
ଏହା ବି ପଢ଼ନ୍ତୁ... ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ: ନିଖୋଜ ନାଇଡୁ କମିଶନ ରିପୋର୍ଟକୁ ନେଇ ଚର୍ଚ୍ଚା, ସିବିଆଇ ତଦନ୍ତ ପାଇଁ ବିଶ୍ୱହିନ୍ଦୁ ପରିଷଦର ଦାବି
ଲୁଟ୍ ପରେ ଦୁର୍ବୁତ୍ତମାନେ ସୁରେଶ ଓ ତାଙ୍କ ସ୍ତ୍ରୀ ଦୁଇଜଣଙ୍କ ଦୁଇଟି ମୋବାଇଲକୁ ସାଆନ୍ଦା ଗ୍ରାମ ଶିବମନ୍ଦିର ଏବଂ କନ୍ତିଓକାଟେଣୀ ଗାଁ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ଘଟଣା ପରେ ପରିବାର ପକ୍ଷରୁ ସାଆନ୍ଦା ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ପୁଲିସ ଯାଞ୍ଚ କରୁଛି । ଫିଙ୍ଗା ଯାଇଥିବା ମୋବାଇଲ୍ ଫୋନଗୁଡ଼ିକୁ ଜବତ କରାଯାଇ ସାଇବର ଓ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ଦୁର୍ବୁତ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚାଲିଛି ।