ନୂଆଦିଲ୍ଲୀ,୦୨/୦୬: ଭାରତ ଏବଂ ବ୍ରିଟେନ ମଧ୍ୟରେ ଲମ୍ବା ସମୟ ଧରି ଚାଲିଥିବା ମୁକ୍ତ ବାଣିଜ୍ୟ ରାଜିନାମା(ଏଫ୍ଟିଏ) ପ୍ରକ୍ରିୟାକୁ ଏକ ବଡ଼ ସଫଳତା ଭାବେ ଗଣନା କରାଯାଉଥିଲା । କିନ୍ତୁ ଏହା ଲାଗୁ ହେବା ପୂର୍ବରୁ ହିଁ ଏକ ନୂଆ ବିବାଦ ସାମ୍ନାକୁ ଆସିଲାଣି । ଭାରତ ସଂକେତ ଦେଇଛି ଯେ, ଯଦି ବ୍ରିଟେନ ଭାରତୀୟ ଷ୍ଟିଲ ଉତ୍ପାଦଗୁଡ଼ିକ ଉପରେ ଲାଗିଥିବା ବାଣିଜ୍ୟିକ କଟକଣା ଏବଂ କୋଟା ସୀମାକୁ ନ ହଟାଏ, ତେବେ ସ୍କଚ୍ ହ୍ୱିସ୍କିକୁ ମିଳିବାକୁ ଥିବା ବଡ଼ ଟାରିଫ୍ ରିହାତି ଉପରେ ପୁନର୍ବିଚାର କରାଯାଇପାରେ ।
ଏହି ମାମଲା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ସ୍କଚ୍ ହ୍ୱିସ୍କି ଉପରେ ଆମଦାନି ଶୁଳ୍କ ହ୍ରାସ ବ୍ରିଟେନ ପାଇଁ ଏହି ସମ୍ପୂର୍ଣ୍ଣ ରାଜିନାମାର ସବୁଠୁ ବଡ଼ ଉପଲବ୍ଧି ଭାବେ ଗଣାଯାଉଥିଲା । ଭାରତ ଆଶା କରୁଥିଲା ଯେ, ଏହାର ଇସ୍ପାତ, ବୟନ ସାମଗ୍ରୀ ଏବଂ ଅନ୍ୟ ବିନିର୍ମାଣ ଉତ୍ପାଦଗୁଡ଼ିକୁ ବ୍ରିଟେନ ବଜାରରେ ଭଲ ପହଞ୍ଚ ମିଳିବ । ଏବେ ଉଭୟ ପକ୍ଷଙ୍କ ହିତ ମଧ୍ୟରେ ସନ୍ତୁଳନର ପ୍ରଶ୍ନ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛି ।
ପ୍ରକାଶଯୋଗ୍ୟ, ବ୍ରିଟେନର ବ୍ୟାପାର ସଚିବ ପିଟର କାଇଲ ଏବଂ ଭାରତର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲଙ୍କ ମଧ୍ୟରେ ପ୍ରସ୍ତାବିତ ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ଭାରତର ଏହି ଆଭିମୁଖ୍ୟ ସାମ୍ନାକୁ ଆସିଛି ।
ଅଧିକ ପଢ଼ନ୍ତୁ :- US Gold Reserves: ଆମେରିକାର ସବୁଠୁ ବଡ଼ ଗୁପ୍ତକୋଠରୀ 'ଫୋର୍ଟ ନକ୍ସ'କୁ ନେଇ ସନ୍ଦେହ : ୭୦ ବର୍ଷ ହେବ ହୋଇନି ଅଡିଟ୍, ଟ୍ରମ୍ପ କଲେ ଦାବି !
ଭାରତୀୟ ଅଧିକାରୀମାନଙ୍କ କହିବାନୁସାରେ, ବ୍ରିଟେନ ଏବେ ବି ଭାରତୀୟ ଇସ୍ପାତ ଆମଦାନି ଉପରେ ସୁରକ୍ଷା ଉପାୟ ଏବଂ କୋଟା ଆଧାରିତ ପ୍ରତିବନ୍ଧକକୁ ଜାରି ରଖିଛି । ଏହାଦ୍ୱାରା ଭାରତୀୟ କମ୍ପାନିଗୁଡ଼ିକ ପାଇଁ ବ୍ରିଟିଶ ବଜାରରେ ପ୍ରତିଯୋଗିତା କରିବା କଷ୍ଟକର ପାଲଟିଛି । ଭାରତର କହିବାନୁସାରେ, ଯଦି ବାଣିଜ୍ୟିକ ରାଜିନାମାର ଉଦ୍ଦେଶ୍ୟ ହେଉଛି ବଜାର ଖୋଲିବା ତେବେ ଉଭୟ ଦେଶକୁ ସମାନ ସୁଯୋଗ ଦେବାକୁ ହେବ ।