ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଫୋର୍ଟ ନକ୍ସର ଗୋଲ୍ଡ ରିଜର୍ଭର ଫିଜିକାଲ ଅଡିଟ୍ ଦାବି କରିଛନ୍ତି। ଏଠାରେ ଆମେରିକାର ମୋଟ ରିଜର୍ଭର ପ୍ରାୟ ଅଧା ସୁନା ରଖାଯାଇଛି, ଯାହାର ମୂଲ୍ୟ ପ୍ରାୟ ୬୦୦ବିଲିୟନ ଡଲାର। ଗତ ୭୦ବର୍ଷରୁ ଏହାର ଇଣ୍ଡିପେଣ୍ଡେଟ (ସ୍ୱାଧୀନ ଭାବେ) ଅଡିଟ୍ କରାଯାଇ ନାହିଁ। ଏହାକୁ ଆମେରିକାରେ ସବୁଠୁ ସୁରକ୍ଷିତ ସ୍ଥାନ ମନେକରାଯାଏ। ଏହାକୁ ୧୯୩୬ ମସିହାରେ ସମୁଦ୍ର ଉପକୂଳ ଠାରୁ ଦୂରରେ ଥିବା କେଣ୍ଟୁକିରେ ଗ୍ରାନାଇଟ୍, ଷ୍ଟିଲ୍ ଏବଂ କଂକ୍ରିଟରେ ନିର୍ମିତ କରାଯାଇଥିଲା। ଏହାର ଚାରିପାଖରେ ଏକ ମୋଟା କଂକ୍ରିଟ୍ କାନ୍ଥ ଏବଂ ଭିତରେ ଏମିତି ଷ୍ଟିଲ୍ ଲାଗିଛି , ଯାହା ଉପରେ ଡ୍ରିଲିଂ କରାଯାଇ ପାରିବ ନାହିଁ। ଏହାର ଦ୍ୱାରର ଓଜନ ୨୦ ଟନ୍ ଏବଂ ଏହା ବିଭିନ୍ନ ଆକ୍ରମଣକୁ ସହ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି।
ଏହାକୁ ବିଶ୍ୱର ସବୁଠୁ ସୁରକ୍ଷିତ ଭଣ୍ଡାର ମନେକରାଯାଏ। ଫୋର୍ଟ ନକ୍ସର ସୁରକ୍ଷା ଏତେ କଡ଼ା ଯେ ଗୋଟିଏ ପକ୍ଷୀ ମଧ୍ୟ ଭିତରକୁ ଉଡ଼ି ପାରିବ ନାହିଁ। ହେଲେ, ଦୀର୍ଘ ସମୟ ଧରି ଏହାର ଅଡିଟ୍ କରାଯାଇ ନାହିଁ। ଏହି କାରଣରୁ ଏହାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଏକ ପୋଷ୍ଟରେ କହିଛନ୍ତି ଯେ, ଫୋର୍ଟ ନକ୍ସର ଫିଜିକାଲ ଅଡିଟ୍ କରିବାର ସମୟ ଆସିଛି। ସମ୍ପ୍ରତି ଜଣେ ପୂର୍ବତନ CIA ଅଧିକାରୀଙ୍କୁ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ଗୋଲ୍ଡ ବାର ଏବଂ ନଗଦ ଟଙ୍କାର ଚୋରି କରିବାର ଅଭିଯୋଗ ଆସିଥିଲା। ଏହି ଖବର ଫୋର୍ଟ ନକ୍ସ ପ୍ରତି ଜାତୀୟ ଦୃଷ୍ଟି ଆକର୍ଷଣ କରିଛି। ପୁଲିସ ତାଙ୍କ ଠାରୁ ପ୍ରାୟ ୪୦ ନିୟୁତ ଡଲାରରୁ ଅଧିକ ମୂଲ୍ୟର ୩୦୦ ଗୋଲ୍ଡ ବାର ଜବତ କରି ଥିଲା।
ଆହୁରି ମଧ୍ୟ ପଢନ୍ତୁ : US attack on Iran: ଡ୍ରୋନ ମାଡ଼ର ପ୍ରତିଶୋଧ; ଇରାନ ଉପରେ ଆମେରିକାର ଭୟାବହ ଏୟାରଷ୍ଟ୍ରାଇକ
ଆମେରିକାର ଟ୍ରେଜରୀ ବିଭାଗ ମୁକାବିକ , ଫୋର୍ଟ ନକ୍ସରେ ପ୍ରାୟ ୧୪୭.୩ ନିୟୁତ ଆଉନ୍ସ ସୁନା ରଖାଯାଇଛି, ଯାହା ଆମେରିକାର ଫେଡରଲ ଗଭର୍ଣ୍ଣମେଣ୍ଟର ମୋଟ ରିଜର୍ଭର ପ୍ରାୟ ଅଧା। ଟ୍ରେଜରୀର କହିବାନୁସାରେ, ପ୍ରତି ବର୍ଷ ଏହାକୁ ସମୀକ୍ଷା କରାଯାଏ , କିନ୍ତୁ ସମାଲୋଚକମାନେ କୁହନ୍ତି ଯେ, ଏହାର ଅନେକ ଦଶନ୍ଧି ଧରି ସମ୍ପୂର୍ଣ୍ଣ ସ୍ୱାଧୀନ ଅଡିଟ୍ ହୋଇ ନାହିଁ। କଂଗ୍ରେସର ସଦସ୍ୟମାନେ ଶେଷ ଥର ପାଇଁ ଏହାକୁ ୧୯୭୪ ମସିହାରେ ଯାଞ୍ଚ କରି ଥିଲେ। ଏହି ସୁବିଧା ୧୯୩୬ ମସିହାରେ ଉପକୂଳବର୍ତ୍ତୀ ସହର ଗୁଡ଼ିକରୁ ଦୂରରେ ଏକ ସୁରକ୍ଷିତ ସ୍ଥାନରେ ଦେଶର ସୁନା ଭଣ୍ଡାର ସଂରକ୍ଷଣ କରିବା ପାଇଁ ନିର୍ମିତ ହୋଇଥିଲା।
ସୁନା ସହିତ, ଏହି ଡିପୋଜିଟୋରୀରେ ଆମେରିକାର କିଛି ମୂଲ୍ୟବାନ ଐତିହାସିକ ଡକ୍ୟୁମେଣ୍ଟ ମଧ୍ୟ ରଖାଯାଇଛି। ଏଥିରେ ସ୍ୱାଧୀନତା ଘୋଷଣା ଏବଂ ସମ୍ବିଧାନର ମୂଳ କପି ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେଠାରେ ସଂରକ୍ଷିତ ଥିଲା। ଡିପୋଜିଟୋରୀରେ ସଂରକ୍ଷିତ ସୁନାର ମୂଲ୍ୟ ବର୍ତ୍ତମାନର ମୂଲ୍ୟ ଅନୁସାରେ ୫୯୦ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ଏହାର ଶେଷ ମୋଟ ଅଡିଟ୍ ୧୯୫୪ ମସିହାରେ କରାଯାଇଥିଲା।
ଆମେରିକାର ଅଭେଦ୍ୟ ଦୁର୍ଗ
- ଫୋର୍ଟ ନକ୍ସରେ ଆମେରିକାର ପ୍ରାୟ ଅଧା ସୁନା ରଖାଯାଇଛି।
- ବର୍ତ୍ତମାନର ବଜାର ମୂଲ୍ୟରେ ଏହାର ଦାମ୍ ପ୍ରାୟ ୫୯୦ ବିଲିୟନ ଡଲାର ଅଛି।
- ଫୋର୍ଟ ନକ୍ସର ପ୍ରୟା ୭୦ ବର୍ଷରୁ ସ୍ୱାଧୀନ ଭାବେ ଅଡିଟ୍ ହୋଇ ନାହିଁ।
- ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଫିଜିକାଲ ଅଡିଟର ଦାବି କରିଛନ୍ତି।
ଏହା ପ୍ରଥମ ଥର ନୁହେଁ ଯେବେ ଟ୍ରମ୍ପ ଫୋର୍ଟ ନକ୍ସର ସ୍ୱାଧୀନ ଅଡିଟ ନେଇ ଦାବି କରିଛନ୍ତି। ଗତ ବର୍ଷ ମଧ୍ୟ ଟ୍ରମ୍ପ ଓ ଏଲନ ମସ୍କ ସାର୍ବଜନିକ ଭାବେ ଫୋର୍ଟ ନକ୍ସକୁ ନେଇ ପ୍ରଶ୍ନ କରିଥିଲେ ଏବଂ ଏହାର ଫିଜିକାଲ ଅଡିଟର ଦାବି କରିଥିଲେ। ହେଲେ ଏହି ଦାବିକୁ ଗ୍ରହଣ କରାଯାଇ ନଥିଲା ଏବଂ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଏବେ ବି ଜାରି ରହିଛି। ଆମେରିକା ପାଖରେ ୮,୧୩୩ ଟନ ଗୋଲ୍ଡ ରିଜର୍ଭ ଅଛି , ଯାହା ବିଶ୍ୱରେ ସବୁଠୁ ଅଧିକ। ଆମେରିକା ସରକାର ଫୋର୍ଟ ନକ୍ସକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ଚାହୁଁ ନାହାନ୍ତି।
ଦେଖନ୍ତୁ ଏହି ଭିଡିଓ - ୮୫ ବର୍ଷରେ ବି ପେପର ବିକି ଚଳାଉଛନ୍ତି ସଂସାର! ସଂଘର୍ଷର ଅନ୍ୟ ନାମ ରମ୍ଭାମଣି