ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ପାଖରୁ ପାକିସ୍ତାନ ମହିଳା କ୍ରିକେଟ ଦଳ ଶୋଚନୀୟ ପରାଜୟ ଭୋଗିଛି । ଏହା ସହ  ଭାରତୀୟ ଦଳର ଟି-୨୦ ବିଶ୍ଵକପ୍‌ ୨୦୨୪ର ସେମି ଫାଇନାଲ୍ ଖେଳିବାର ଆଶା ଧୂଳିସାତ ହୋଇଛି । ଗ୍ରୁପ ଏରୁ ଦ୍ଵିତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଛି । ନ୍ୟୁଜିଲାଣ୍ଡ ସୋମବାର ଖେଳା ଯାଇଥିବା ଶେଷ ଲିଗ୍ ମ୍ୟାଚ୍‌ରେ ପାକିସ୍ତାନକୁ ୫୪ ରନରେ ହରାଇ ସେମିରେ ଏଣ୍ଟ୍ରି ମାରିଛି । ପାକିସ୍ତାନ ମ୍ୟାଚ୍  ଜିତିଥିଲେ ଭାରତ ସେମିରେ ପ୍ରବେଶ କରିଥାନ୍ତା । ନ୍ୟୁଜିଲାଣ୍ଡ ମ୍ୟାଚ୍ ଜିତିଯିବା ପରେ ଭାରତୀୟ ଟିମ୍‌ ସ୍ଵପ୍ନ  ଅଧୁରା ରହିଯାଇଛି ।

ନ୍ୟୁଜିଲାଣ୍ଡ ୪ ମ୍ୟାଚ୍‌ରୁ ୩ଟିରେ ବିଜୟ ସହ ୬ ପଏଣ୍ଟ ପାଇଥିବା ବେଳେ ଭାରତ ଦୁଇ ମ୍ୟାଚ୍ ଜିତି ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଭାରତ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇଥିବା ବେଳେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପାଖରୁ ପରାସ୍ତ  ହୋଇଥିଲା। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ଆଜିର ଏହି ମୁକାବିଲା ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। ଦୁଇ ଦଳ ପାଇଁ ସେମିରେ ପହଞ୍ଚିବା ପାଇଁ ସୁଯୋଗ ରହିଥିଲା । ଦୁବାଇରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍ ହରାଇ ୧୧୦ ରନ କରିଥିଲା। ସେପଟେ ପାକିସ୍ତାନ ଟିମ୍‌ ୧୧.୪ ଓଭରରେ ୫୬ ରନରେ ଅଲଆଉଟ୍ ହୋଇଛି। 

ପାକିସ୍ତାନର ପରାଜୟ ସହ ଭାରତର ଟି-୨୦ ବିଶ୍ଵକପ୍ ୨୦୨୪ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି । ଏହା ସହ ଚଳିତ ବିଶ୍ବକପରେ ଗ୍ରୁପ୍‌ ଷ୍ଟେଜରୁ ବିଦା ହୋଇଛି ଭାରତୀୟ ମହିଳା କ୍ରିକେଟ ଟିମ୍‌ । ଉଲ୍ଲେଖନୀୟ ଏ ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳ ଟି-୨୦ ବିଶ୍ଵକପ୍ ଜିତିପାରି ନାହିଁ ।