PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ବ୍ୟାଟିଂ ତ୍ରୁଟି ସୁଧାରିବ ଭାରତ

ନାଗପୁର,୪ା୩(ଏଜେନ୍ସି): ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଖେଳାଯିବ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚ୍‌ରେ ଲଢୁଆ ବିଜୟ ପରେ ଭାରତୀୟ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । ଅନ୍ୟ ପଟରେ ଟି-ଟ୍ୱେଣ୍ଟି ସିରିଜର ପ୍ରଦର୍ଶନକୁ ଦିନିକିଆ ସିରିଜ୍‌ରେ ଦୋହରାଇବା ପାଇଁ ଅଷ୍ଟ୍ରେଲିଆ ପ୍ରୟାସ ଜାରି ରଖିଛି । ଆସନ୍ତାକାଲି ବିଜୟ ସହ ସିରିଜ୍‌କୁ ଫେରିବା ପାଇଁ ଅଷ୍ଟ୍ରେଲିଆ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଅନ୍ୟ ପଟରେ ଭାରତ ବିଜୟ ଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ତଥାପି ପ୍ରଥମ ମ୍ୟାଚ୍‌ର ତ୍ରୁଟି ସୁଧାରିବାକୁ ଦଳ ପ୍ରାଥମିକତା ଦେବା ଜରୁରୀ ।
ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ବେଶ୍‌ ଉନ୍ନତ ପ୍ରଦର୍ଶନ କରିଥିଲେ । ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଦୁର୍ବଳ ରହିଥିଲା । ବିଶେଷ କରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନଥିଲେ । ୯୯ ରନ୍‌ରେ ଭାରତ ୪ଟି ୱିକେଟ୍‌ ହରାଇଥିଲା । ଏହାପରେ ମହେନ୍ଦ୍ର ସିଂ ଧୋନି ଓ କେଦାର ଜାଦବ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ । ବିଶ୍ୱକପ୍‌ ପୂର୍ବରୁ ମଧ୍ୟଭାଗକୁ ସୁଦୃଢ କରିବା ପାଇଁ ଭାରତ ଚେଷ୍ଠା ଚଳାଇଥିଲେ ହେଁ ଅମ୍ବାତି ରାୟୁଡୁଙ୍କ କ୍ରମାଗତ ବିଫଳତା ଦଳକୁ ଚିନ୍ତାରେ ପକାଇଛି ।

ରୋହିତ-ଧାୱନଙ୍କ ପ୍ରଦର୍ଶନକୁ ଅପେକ୍ଷା: ପ୍ରଥମ ମ୍ୟାଚ୍‌ରେ ଭାରତର ଉଭୟ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ବିଫଳ ହୋଇଥିଲେ । ଧାୱନ ଗୋଟିଏ ମାତ୍ର ବଲ୍‌ ଖେଳି ପାଭିଲିୟନ ଫେରିଥିଲେ । ରୋହିତଙ୍କୁ ଆକ୍ରମଣାତ୍ମକ ସଟ୍‌ ଖେଳିବାକୁ ଅଷ୍ଟ୍ରେଲିଆ ବୋଲରମାନେ ସୁଯୋଗ ଦେଇ ନଥିଲେ । ରୋହିତ-ଧାୱନ ଯୋଡି ଭାରତକୁ ଅନେକ ମ୍ୟାଚ୍‌ ଜିତାଇବା ସହ ଏକାଧିକ ରେକର୍ଡ ସ୍ଥାପନ କରିସାରିଛନ୍ତି । ବିଶ୍ୱକପ୍‌ ପୂର୍ବରୁ ଉଭୟ ଫର୍ମକୁ ଫେରିବା ଜରୁରୀ । ଆସନ୍ତାକାଲି ଭାରତୀୟ ଓପନର ଓ ଅଷ୍ଟ୍ରେଲିଆ ପେସ୍‌ ବାହିନୀ ମଧ୍ୟରେ ଅସଲ ଲଢେଇ ହେବା ନିଶ୍ଚିତ ।

କେଦାରଙ୍କ ଉପରେ ନଜର: ପ୍ରଥମ ମ୍ୟାଚ୍‌ରେ ଅଲ୍‌ରାଉଣ୍ଡ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିବା ନିମ୍ନ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ କେଦାର ଯାଦବଙ୍କୁ ନେଇ ଅଷ୍ଟ୍ରେଲିଆର ଚିନ୍ତା ପଢି ଯାଇଛି । ପ୍ରଥମ ମ୍ୟାଚ୍‌ରେ ସେ ଅପରାଜିତ ୮୧ ରନ୍‌ର ଇନିଂସ ଖେଳିଥିଲେ । ଏହା ବ୍ୟତୀତ ସେ ୭ ଓଭର ବୋଲିଂ କରି ଗୋଟିଏ ୱିକେଟ୍‌ ନେଇଥିଲେ । କେଦାରଙ୍କ ଭିନ୍ନ ବୋଲିଂ ଆକ୍ସନକୁ ପରଖିବାରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଛନ୍ତି । ବର୍ତ୍ତମାନ ସେ ଭାରତର ପଞ୍ଚମ ବୋଲର ଦାୟିତ୍ୱ ତୁଲାଇବାକୁ ପ୍ରସ୍ତୁତ । ଆସନ୍ତା କାଲି ସେ ଆଉ ଏକ ଅଲ ରାଉଣ୍ଡ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ।

କୋହଲିଙ୍କ ପାଇଁ ପ୍ରସ୍ତୁତ ଜାମ୍ପା: ଅଷ୍ଟ୍ରେଲିଆର ଲେଗ୍‌ ସ୍ପିନର ଆଡାମ ଜାମ୍ପା ଇତି ମଧ୍ୟରେ କୋହଲିଙ୍କୁ ୪ଥର ଆଉଟ୍‌ କରି ସାରିଲେଣି । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଏପର୍ଯ୍ୟନ୍ତ ଏତେଥର ଆଉଟ୍‌ କରିନାହାନ୍ତି । ତେଣୁ ଆସନ୍ତାକାଲି ଉଭୟଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିବ । କୋହଲିଙ୍କ ପାଇଁ ସେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ପ୍ରକାଶ କରିଛନ୍ତି ।

ବ୍ୟାଟ୍ସମ୍ୟାନଙ୍କୁ ସୁହାଇବା ପିଚ୍‌: ନାଗପୁର ପିଚ୍‌ ସର୍ବଦା ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ସହାୟତା ପ୍ରଦାନ କରିଥାଏ । ଅବଶ୍ୟ ମ୍ୟାଚ୍‌ ଆଗେଇବା ସହ ପିଚ୍‌ ମନ୍ଥର ହୋଇଯିବ । ତେଣୁ ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ରବିବାର ରାତିରେ ଏଠାରେ ବର୍ଷା ହୋଇଥିଲା । ଆସନ୍ତାକାଲି ପାଗ ଶୁଖିଲା ରହିବ । ନାଗପୁର ପିଚ୍‌ରେ ସ୍ପିନରମାନେ ସଫଳ ହେବା ସ୍ୱାଭାବିକ୍‌ । ଗତ ରଣଜୀ ଟ୍ରଫି ସେମି ଫାଇନାଲ୍‌ ଓ ଫାଇନାଲ୍‌ରେ ସ୍ପିନରମାନଙ୍କ ଆଧିପତ୍ୟ ରହିଥିଲା ।

ସମ୍ଭାବ୍ୟ ଦଳ
ଭାରତ:
ଶିଖର ଧାୱନ,ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂ ଧୋନି, କେଦାର ଯାଦବ, ବିଜୟ ଶଙ୍କର, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, କୁଲଦୀପ ଯାଦବ, ଜଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ: ଉସମାନ ଖୱାଜା, ଆରୋନ ଫିଞ୍ଚ(ଅଧିନାୟକ), ସନ ମାର୍ଶ, ମାର୍କସ ଷ୍ଟଇନିସ, ପିଟର ହ୍ୟାଣ୍ଡ୍‌ସକମ୍ବ, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ଆଲେକ୍ସ କ୍ୟାରୀ, ନାଥାନ କଲ୍ଟର-ନାଇଲ, ପ୍ୟାଟ୍ରିକ୍‌ କମିନ୍ସ, ଜାସନ ବେହରନଡ୍ରଫ, ଆଡାମ ଜାମ୍ପା ।

ସମ୍ବନ୍ଧିତ ଖବର