ନୂଆଦିଲ୍ଲୀ, ୧୪।୧: ଦେଶରୁ ଇଲେକଟ୍ରୋନିକ୍ସ ରପ୍ତାନି ଲଗାତାର ବୃଦ୍ଧି ହେଉଛି । ୨୦୨୫ରେ ଏହା ୪ ଲକ୍ଷ କୋଟି ଟଙ୍କା ଛୁଇଁଥିବା ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଏହି ଧାରା ଆହୁରି ଦୃଢ଼ ହେବାକୁ ଯାଉଛି । ଚଳିତ ବର୍ଷ ୪ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ୟୁନିଟ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହା ଦ୍ୱାରା ଦେଶ ସେମିକଣ୍ଡକ୍ଟର କ୍ଷେତ୍ରରେ ମଧ୍ୟ ରପ୍ତାନିକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ବୈଷ୍ଣବ ଆଶା ପ୍ରକଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଶ୍ରୀ ବୈଷ୍ଣବ କହିଲେ, ରପ୍ତାନି ବୃଦ୍ଧି ସହ ଦେଶ ମଧ୍ୟରେ ନୂଆ ନିଯୁକ୍ତି ସୃଷ୍ଟି ଏବଂ ବିଦେଶୀ ମୁଦ୍ରା ଆଗମନରେ ବୃଦ୍ଧି ହୋଇଛି । ଏକ ଆକଳନ ମୁତାବକ, ୨୦୨୪-୨୫ରେ ଇଲେକଟ୍ରୋନିକ୍ସ ଉତ୍ପାଦନ ୧୧.୩ ଲକ୍ଷ କୋଟି ଟଙ୍କା ରହିଛି । ଏ କ୍ଷେତ୍ରରେ ୩.୩ ଲକ୍ଷ କୋଟି ଟଙ୍କାର ରପ୍ତାନି ହୋଇଛି । ଏହି କ୍ଷେତ୍ରରେ ବର୍ତ୍ତମାନ ୨୫ ଲକ୍ଷ ଲୋକ କାମ କରୁଛନ୍ତି । ଇଲେକଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ମୋବାଇଲ ଫୋନର ଏକ ପ୍ରମୁଖ ଅଂଶ ରହିଛି । ସ୍ମାର୍ଟଫୋନ ରପ୍ତାନି ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଲେ, ୨୦୨୫ରେ ଦେଶ ୨.୦୩ ଲକ୍ଷ କୋଟିର ଆଇଫୋନ ରପ୍ତାନି କରିଛି । ଏହା ୨୦୨୪ରେ ୧.୧ ଲକ୍ଷ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ରପ୍ତାନି ୨ ଗୁଣ ହୋଇଛି ।

ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ୍ ଇଲେକଟ୍ରୋନିକ୍ସ ଆସୋସିଏସନ(ଆଇସିଇଏ) ଆଶା କରିଛି ଯେ, ଚଳିତ ଆର୍ôଥକ ବର୍ଷରେ ଦେଶ ମଧ୍ୟରେ ମୋବାଇଲ ରପ୍ତାନି ୭୫ ବିଲିୟନ ଡଲାର ଛୁଇଁପାରେ । ଏଥିରେ ରପ୍ତାନିର ଅଂଶ ୩୦ ବିଲିୟନ ଡଲାର ବା ୨.୭ ଲକ୍ଷ କୋଟି ଟଙ୍କା ରହିପାରେ । ୨୦୨୪-୨୫ରେ ମୋବାଇଲ ଫୋନ ଉତ୍ପାଦନ ୫.୫ ଲକ୍ଷ କୋଟି ଟଙ୍କା ରହିଛି । ଏହି ସେଗମେଣ୍ଟରେ ରପ୍ତାନି ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରହିଥିବା ଆକଳନ କରାଯାଇଛି । ଆଇଡିସି ଆକଳନ ମୁତାବକ, ସାରା ବିଶ୍ୱରେ ଡିସେମ୍ବର ତ୍ରେ ÷ମାସରେ ଆପଲ୍ ଘରୋଇ ବଜାରରେ ସିପ୍ମେଣ୍ଟ କ୍ଷେତ୍ରରେ ରେକର୍ଡ କରିଛି । ଏହି ଅବଧିରେ କମ୍ପାନି ଭାରତରେ ୫୦ ଲକ୍ଷ ଆଇଫୋନ ଯୋଗାଇଛି । ପ୍ରିମିୟମ୍ ଏବଂ ସୁପର ପ୍ରିମିୟମ ସ୍ମାର୍ଟଫୋନ କ୍ଷେତ୍ରରେ ମଧ୍ୟ ଆପଲ ଆଗରେ ରହିଛି । ଘରୋଇ ବଜାରକୁ ବିନିର୍ମାଣ ହବ୍ କରିବା ଦିଗରେ କେନ୍ଦ୍ର ସରକାର ଏବେ କମ୍ପାନିଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି । ପିଏଲ୍ଆଇ ଯୋଜନା ସହ ନୀତିଗତ ପଦକ୍ଷେପ ଯୋଗୁ ସାମସଙ୍ଗ ଏବଂ ଆପଲ ଭଳି କମ୍ପାନି ଘରୋଇ ବଜାରରେ ଉତ୍ପାଦନ ଫାସିଲିଟି ବସାଇଛନ୍ତି । ଆପଲ ଚୀନ ପରିବର୍ତ୍ତେ ଭାରତ ବଜାର ଉପରେ ଏବେ ଫୋକସ୍ କରିଛି ।