ନୂଆଦିଲ୍ଲୀ, ୭।୩: ସମୁଦ୍ର ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶ୍ରୀଲଙ୍କା ଉପକୂଳରେ ଆମେରିକୀୟ ବୁଡ଼ାଜାହାଜ ଦ୍ୱାରା ଇରାନୀ ଯୁଦ୍ଧ ଜାହାଜ IRIS ଡେନା (IRIS Dena) କୁ ଟାର୍ଗେଟ୍ କରାଯିବାର କିଛି ଦିନ ପୂର୍ବରୁ ଭାରତ ଅନ୍ୟ ଏକ ଇରାନୀ ଜାହାଜକୁ ସାହାଯ୍ୟ କରିଥିବା ଜଣାପଡ଼ିଛି । ମାନବିକତା ଏବଂ ବୈଷୟିକ ଆଧାରରେ ଭାରତ ସରକାର IRIS ଲାଭାନ୍ (IRIS Lavan) କୁ କୋଚି ବନ୍ଦରରେ ଡକିଂ (Docking) ପାଇଁ ଅନୁମତି ଦେଇଛନ୍ତି ।ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଫେବୃଆରୀ ୨୮ ତାରିଖରେ ଇରାନ ପକ୍ଷରୁ ଭାରତକୁ ଏକ ଜରୁରୀକାଳୀନ ଅପିଲ୍ କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, 'ମିଲାନ୍' ବହୁରାଷ୍ଟ୍ରୀୟ ନୌସେନା ଅଭ୍ୟାସରେ ସାମିଲ ଥିବା IRIS ଲାଭାନ୍ରେ ଗମ୍ଭୀର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଏହାର ମରାମତି ପାଇଁ ତୁରନ୍ତ କୋଚିରେ ଡକିଂ କରିବା ଆବଶ୍ୟକ ।
ଏହା ବି ପଢ଼ନ୍ତୁ... ଯୁଦ୍ଧ ପାଇଁ ନ୍ୟୁଜ୍ ଚ୍ୟାନେଲ ଗୁଡ଼ିକର TRP ବନ୍ଦ, ବାର୍କକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର
୨୮ ଫେବୃଆରୀରେ ଇରାନ ପକ୍ଷରୁ ସାହାଯ୍ୟ ପାଇଁ ନିବେଦନ ହୋଇଥିଲା । ୧ ମାର୍ଚ୍ଚରେ ଭାରତ ସରକାରଙ୍କ ପକ୍ଷରୁ ଡକିଂ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ୪ ମାର୍ଚ୍ଚ IRIS ଲାଭାନ୍ କୋଚି ବନ୍ଦରରେ ପହଞ୍ଚିଲା । ଜାହାଜର ୧୮୩ ଜଣ କ୍ରୁ ସଦସ୍ୟ ବର୍ତ୍ତମାନ କୋଚି ନୌସେନା କ୍ୟାମ୍ପରେ ରହିଛନ୍ତି । ଯେଉଁ ଦିନ IRIS ଲାଭାନ୍ କୋଚିରେ ପହଞ୍ଚିଲା, ଠିକ୍ ସେହି ଦିନ ହିଁ ଭାରତ ମହାସାଗରରେ ଏକ ବଡ଼ ସୈନ୍ୟ ଦୁର୍ଘଟଣା ଘଟିଥିଲା । ଦକ୍ଷିଣ ଶ୍ରୀଲଙ୍କାର ଗାଲେଠାରୁ ୪୦ ନଟିକାଲ ମାଇଲ ଦୂରରେ ଆମେରିକୀୟ ସବମରିନ୍ ଇରାନୀ ଜାହାଜ IRIS ଡେନା ଉପରକୁ ଟର୍ପିଡୋ ମାଡ଼ କରିଥିଲା । ଏହି ଆକ୍ରମଣରେ ଜାହାଜଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ବେଳେ ଏପର୍ଯ୍ୟନ୍ତ ୮୭ ଜଣଙ୍କ ଶବ ଉଦ୍ଧାର କରାଯାଇଛି ।
କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧୀ:
IRIS ଡେନା ଉପରେ ହୋଇଥିବା ଆକ୍ରମଣ ପରେ ଦେଶର ରାଜନୀତି ସରଗରମ ହୋଇଛି । କେନ୍ଦ୍ର ସରକାରଙ୍କ ନୀରବତାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି । ବିରୋଧୀଙ୍କ କହିବା କଥା ଯେ, ଭାରତ ଏକ ସାମୁଦ୍ରିକ ଶକ୍ତି ଭାବେ ନିଜର ଦାୟିତ୍ୱରୁ ଓହରି ଯାଉଛି । କଂଗ୍ରେସ କହିଛି ଯେ, ନାବିକମାନେ ଆମ ଦେଶର ସମ୍ମାନିତ ଅତିଥି, ସେମାନଙ୍କ ସୁରକ୍ଷା ଓ ପ୍ରସଙ୍ଗରେ ସରକାର ସ୍ପଷ୍ଟ ମତ ରଖିବା ଉଚିତ୍ । ନୌସେନା ପକ୍ଷରୁ କୁହାଯାଇଛି ଯେ, IRIS ଡେନା ଉପରେ ଆକ୍ରମଣ ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । INS ତରଙ୍ଗିଣୀ ଏବଂ ସର୍ଭେ ଭେସେଲ INS ଇକ୍ଷକକୁ ଘଟଣାସ୍ଥଳକୁ ପଠାଯାଇଥିଲା । ସମୁଦ୍ରରେ ନଜର ରଖିବା ପାଇଁ ଦୂରଗାମୀ ପାଟ୍ରୋଲିଂ ଏୟାରକ୍ରାଫ୍ଟ ମଧ୍ୟ ମୁତୟନ କରାଯାଇଥିଲା ।