ଭାରତ ୨ୟ ସର୍ବାଧିକ ନିଦ୍ରାହୀନତା ପୀଡ଼ିତଙ୍କ ଦେଶ, ୭ ଘଣ୍ଟାରୁ କମ୍ ଶୋଇଲେ ସୃଷ୍ଟି ହେବ ବଡ଼ ସମସ୍ୟା

ନୂଆଦିଲ୍ଲୀ ୧୮/୦୩: ଜାପାନ ପରେ ସର୍ବାଧିକ ନିଦ୍ରାହୀନତାରେ ପୀଡ଼ିତ ବିଶ୍ୱର ୨ୟ ଦେଶ ହେଉଛି ଭାରତ । ଶରୀରରେ ନିଦର ଭୂମିକାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଅତିକମ୍ରେ ୭ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଛନ୍ତି । ତା’ଠୁ କମ୍ ଶୋଇଲେ କେବଳ କ୍ଲାନ୍ତି ନୁହେଁ, ବିଭିନ୍ନ ବଡ଼ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଡା. ଏଲ୍ ଏଚ୍ ହିରାନନ୍ଦାନି ହସ୍ପିଟାଲର ନମୋଚିକିତ୍ସକ ହରିଶ ଶେଟ୍ଟୀ କହିଛନ୍ତି ।
ସେ କହିଛନ୍ତି, ନିଦ ଆମ ଦୈନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଆମର ଉତ୍ତମ ସ୍ୱାସ୍ଥ୍ୟ ସହ ଏହା ଓତଃପ୍ରୋତ ଭାବେ ଜଡ଼ିତ । ସୁସ୍ଥ ରହିବାଠୁ ଆରମ୍ଭ କରି କର୍ମଠ ରହିବା ଲାଗି ନିଦ ଗୁରୁତ୍ୱପୂର୍ଣ୍ଣ । କ୍ଲାନ୍ତି, ମୁଣ୍ଡବିନ୍ଧା, ମୁଡ୍ ସ୍ୱିଙ୍ଗ୍.. ସବୁ କିଛି ଆମ ମାନସିକ ସ୍ୱାସ୍ଥ୍ୟ ସହ ଜଡ଼ିତ । ଆମ ଶିଖିବାର ଦକ୍ଷତା, ସ୍ମରଣଶକ୍ତି, ଭାବନାତ୍ମକ ସ୍ଥିତି.. ସବୁକିଛି ଆମ ନିଦ ଗୁଣବତ୍ତା ଉପରେ ନିର୍ଭର କରେ । ଶୋଇବା ସମୟରେ ଆମ ମସ୍ତିଷ୍କ ତଥ୍ୟ ପ୍ରସ୍ତୁତ କରେ ଏବଂ ଦୀର୍ଘ ଅବଧିର ସ୍ମୃତି ଉତ୍ପନ୍ନ କରେ । ତେଣୁ ପର୍ଯ୍ୟାପ୍ତ ଶୋଇବା ଦ୍ୱାରା ମସ୍ତିଷ୍କ ନିଜର ଶ୍ରେଷ୍ଠ ଦକ୍ଷତାର ସହିତ କାମ କରିପାରେ ବୋଲି ଡା. ହରିଶ କହିଛନ୍ତି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଆପଣ ନିଦ୍ରାହୀନତାର ଶିକାର ବୋଲି କେମିତି ଜାଣିବେ?
ଏ ବିଷୟରେ ଜାସ୍ଲକ୍ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର୍ର ନ୍ୟୁରୋଲୋଜିଷ୍ଟ ଡା. ଜୟ ଦେସାଇ କହିଛନ୍ତି, ଆପଣଙ୍କ ନିଦ ଚକ୍ର ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀ ସହିତ ନିବିଡ଼ ଭାବେ ଯୋଡ଼ି ହୋଇଥାଏ । ଶୋଇବା ସମୟରେ ପ୍ରତିରକ୍ଷା ପ୍ରଣାଳୀ ସାଇଟୋକାଇନ୍ସ ଜାରି କରେ, ଯାହା ସଂକ୍ରମଣ ବିରୋଧରେ ଲଢ଼େଇ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ତେଣୁ ଆପଣ ଯଦି ପର୍ଯ୍ୟାପ୍ତ ମାତ୍ରାରେ ଶୋଇବେ ନାହିଁ, ଏହି ସୁରକ୍ଷାତ୍ମକ ସାଇଟୋକାଇନ୍ସ ଓ ଅନ୍ୟ ସଂକ୍ରମଣ-ରୋଧୀ ଆଣ୍ଟିବଡି କମ୍ ଉତ୍ପନ୍ନ ହୋଇପାରନ୍ତି । ଏହା ଫଳରେ ଆପଣ ବାରମ୍ବାର ରୋଗର ଶିକାର ହେବେ । ଏହା ଖରାପ ନିଦ ଗୁଣବତ୍ତାର ଲକ୍ଷଣ ।
ସେହିପରି ଛୋଟ ଛୋଟ ବିଷୟକୁ ନେଇ ଉତ୍ତେଜିତ ହେବା, ବାରମ୍ବାର କ୍ଲାନ୍ତ ଅନୁଭବ କରିବା ଏବଂ ଧ୍ୟାନ କେନ୍ଦ୍ରିତ କରିବାରେ ଅସମର୍ଥ ହେବା ନିଦ୍ରାହୀନତାର ଲକ୍ଷଣ ହୋଇପାରେ। ଅବଧି, ନିରନ୍ତରତା ଏବଂ ନିଦର ଗଭୀରତା ହେଉଛି ଉତ୍ତମ ଗୁଣବତ୍ତାସମ୍ପନ୍ନ ଦିନର ୩ଟି ମୁଖ୍ୟ ଉପାଦାନ । ତେବେ ନିଦ୍ରାହୀନତାର ଆଉ କିଛି ସାଧାରଣ କାରଣ ମଧ୍ୟ ରହିଛି । ଶୋଇବା ପୂର୍ବରୁ ଡିଜିଟାଲ୍ ଡିଭାଇସ୍ରେ ସମୟ ବିତାଇବା, ଯେକୌଣସି ସ୍ଥାନ ଓ ସମୟରେ ଶୋଇବା, ଶୋଇବା-ଉଠିବାର ଚିକ୍ରକୁ ବଜାୟ ନ ରଖିବା ଇତ୍ୟାଦି । ବାରମ୍ବାର ଶୋଇବା ଓ ଛୁଟି ଦିନମାନଙ୍କରେ ବେଶି ଶୋଇବା ଆମ ନିଦ ଚକ୍ରକୁ ଦୁର୍ବଳ କରିଦିଏ । ଏହା ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇଥାଏ ବୋଲି ଡା. ୟଙ୍ଗ୍ ଚିଆଟ୍ କହିଛନ୍ତି ।