ଦେଶରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ, ୪ ମାସରେ ସର୍ବାଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦୀର୍ଘ ୪ ମାସ ପରେ ଗୋଟିଏ ଦିନରେ ୮୦୦ ପାର କରିଛି କରୋନା ସଂକ୍ରମତିଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଭାରତରେ ୮୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ସକ୍ରିୟ ସଂଖ୍ୟା ବଢ଼ି ଯାଇ ବର୍ତ୍ତମାନ ୫ ହଜାର ୩୮୯ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଆଜିର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ୪.୪୬ କୋଟି ଛୁଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା।
ଦେଶରେ ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ମଧ୍ୟରେ ୦.୦୧ ପ୍ରତିଶତ ସକ୍ରିୟ ମାମଲା ରହିଥିବା ବେଳେ ସୁସ୍ଥ ହାର ରହିଛି ୯୮.୮୦ ପ୍ରତିଶତ। କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଗୁଜରାଟରେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ରହିଛି। ପିଟିଆଇ ରିପୋର୍ଟ ଅନୁସାରେ ବେଶଷ କରି ଏକ୍ସବିବି.୧.୧୬ ଭାରିଆଣ୍ଟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟର କର୍ଣ୍ଣାଟକରେ ୩୦, ମହାରାଷ୍ଟ୍ରରେ ୨୯, ପୁଡୁଚେରୀରେ ୭, ନୂଆ ଦିଲ୍ଲୀ ୫, ତେଲେଙ୍ଗାନାରେ ୨, ଗୁଜରାଟରେ ୧ ଏବଂ ଓଡ଼ିଶାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସୂଚନା ଥାଉକି, ଏକ୍ସବିବି୧.୧୬ ଭାରିଆଣ୍ଟ ପ୍ରଥମେ ଜାନୁଆରୀରେ ଚିହ୍ନଟ ହୋଇଥିଲା। ଏହାପରେ ଫେବୃଆରୀ ବେଳକୁ ଏହି ସଂଖ୍ୟା ବଢ଼ିଯାଇ ୫୯ ହୋଇଥିଲା। ବର୍ତ୍ତମାନ ମାର୍ଚ୍ଚରେ ୧୫ ଜଣ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଅନେଇ ଗତ ସପ୍ତାହରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ ଜାରି କରିଛନ୍ତି।