ଭୁବନେଶ୍ୱର,୧୦/୦୧: ୨୦୩୬ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ  କ୍ରୀଡ଼ା ଆୟୋଜନ ନେଇ ଭାରତ ଆଗ୍ରହ  ପ୍ରକାଶ କରିଛି । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଭାରତୀୟ ଅଲିମ୍ପିକ ସଂଘ  (ଆଇଓଏ) ଗତ ଅକ୍ଟୋବର ମାସରେ  ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ର ଫ୍ୟୁଚର ହୋଷ୍ଟ୍‌ କମିଶନ ନିକଟରେ  କ୍ରୀଡ଼ା ଆୟୋଜନ ନେଇ ଇଚ୍ଛା ପତ୍ର  ଦାଖଲ କରିଥିଲା । ଏବେ ଏକ ଜାତୀୟ  ଗଣମାଧ୍ୟମର ରିପୋର୍ଟରୁ ଜଣା ପଡ଼ିଛି  ଯେ, ଯଦି ଭାରତ ଅଲିମ୍ପିକ୍ସ ଆୟୋଜନ  ଅଧିକାର ପାଏ ତେବେ ଅହମ୍ମଦାବାଦ  ହେବ ଆୟୋଜକ ସହର । ଦେଶର ବିଭିନ୍ନ  ସହରରେ ଭିନ୍ନ ଭିନ୍ନ କ୍ରୀଡ଼ା ଇଭେଣ୍ଟ  ଆୟୋଜନ କରାଯିବ । ଭୁବନେଶ୍ୱର କଳିଙ୍ଗ  ଷ୍ଟାଡିୟମରେ ହକି, ମୁମ୍ବାଇରେ କ୍ରିକେଟ୍‌,  ଭୋପାଳରେ ରୋଇଂ ଏବଂ ପୁନେରେ  କାନୋଇଂ ଓ କାୟାକିଂ ପ୍ରଭୃତି କ୍ରୀଡ଼ା  ଆୟୋଜିତ ହେବ । କ୍ରୀଡ଼ା ଆୟୋଜନ  ବିଡ୍‌ରେ ଏହି ଯୋଜନା ରହିଛି ବୋଲି  ଅନୁମାନ କରାଯାଉଛି । କିନ୍ତୁ ଏ ସଂପର୍କରେ  କିଛି ସ୍ପଷ୍ଟ ସୂଚନା ଆଇଓଏ କିମ୍ବା କେନ୍ଦ୍ର  କ୍ରୀଡ଼ା ମନ୍ତ୍ରଣାଳୟରୁ ମିଳି ନାହିଁ ।  

ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି  ଅହମ୍ମଦାବାଦରେ ଅତ୍ୟାଧୁନିକ କ୍ରୀଡ଼ା  ଭିତ୍ତିଭୂମିର ନିର୍ମାଣ ଚାଲିଛି । ଇତିମଧ୍ୟରେ  ନାରାନପୁରା ସ୍ପୋର୍ଟ୍ସ କମ୍ପେ୍ଲକ୍ସର କାର୍ଯ୍ୟ ଶେଷ  ପର୍ଯ୍ୟାୟରେ ରହିଛି । ୨୦.୩୯ ଏକର  ଜମିରେ ନିର୍ମିତ ଏହି କ୍ରୀଡ଼ା କମ୍ପେ୍ଲକ୍ସରେ  ୬୩୧.୭୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।  ଏଠାରେ ଇନ୍‌ଡୋର ସନ୍ତରଣ ପୁଲ ସହ  ବାସ୍କେଟବଲ, ଭଲିବଲ, ବ୍ୟାଡମିଣ୍ଟନ,  ଜିମ୍ନାଷ୍ଟିକ, କବାଡ଼ି, କୁସ୍ତି, ତାଏକୋଣ୍ଡୋ  ଓ ଟେବୁଲ ଟେନିସ କ୍ରୀଡ଼ା ପାଇଁ ସୁବିଧା  ରହିଛି । ଆସନ୍ତା ମାର୍ଚ୍ଚ ମାସରେ ଏହି  କ୍ରୀଡ଼ା କମ୍ପେ୍ଲକ୍ସର ଶୁଭ ଉଦ୍‌ଘାଟନ  ହେବ । ମୋଟ୍‌ ୬୦୦୦ କୋଟିର  କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କରିବାକୁ  ଗୁଜରାଟ ସରକାର ଲକ୍ଷ୍ୟ ରଖିଛନ୍ତି ।  ଯୋଜନା ଅନୁଶାରେ ସମସ୍ତ ଭିତ୍ତିଭୂମିର  କାର୍ଯ୍ୟ ୨୦୨୮ ସୁଦ୍ଧା ଶେଷ ହେବ । 

୧୮୯୬ ମସିହାରୁ ଅଲିମ୍ପିକ୍ସ କ୍ରୀଡ଼ା  ଆୟୋଜିତ ହୋଇ ଆସୁଥିଲେ ବି  ଭାରତ ଏ ପର୍ଯ୍ୟନ୍ତ ଥରୁଟିଏ ବି କ୍ରୀଡ଼ା  ଆୟୋଜନରେ ସମର୍ଥ ହୋଇପାରି ନାହିଁ ।  ଯଦିଓ ପଡୋଶୀ ଚୀନ ୨୦୦୮ରେ କ୍ରୀଡ଼ା  ଆୟୋଜନ କରି ସାରିଛି । କିନ୍ତୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏ ଦିଗରେ ଗୁରୁତ୍ୱ  ଦେବା ପରେ ଭାରତୀୟ ଅଲିମ୍ପିକ୍ସ ସଂଘ  (ଆଇଓଏ) କାର୍ଯ୍ୟ ଆରମ୍ଭ କରିଥିଲା ।  

୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ  କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଭିଜନ’  ରହିଛି । ପ୍ୟାରିସ ଅଲିମ୍ପିକ୍ସରେ ପଦକ  ବିଜେତା ଏବଂ ପୂର୍ବତନ ଅଲିମ୍ପିଆନଙ୍କୁ  ଡକାଇ ଗତ ସ୍ୱାଧୀନତା ଦିବସରେ କ୍ରୀଡ଼ା  ଆୟୋଜନ ସଂପର୍କରେ ସେମାନଙ୍କର  ମତାମତ ଓ ସହାୟତା ଲୋଡ଼ିଥିଲେ  ପ୍ରଧାନମନ୍ତ୍ରୀ । ସେ କହିଥିଲେ, ‘ଅଲିମ୍ପିକ୍ସ  ଆୟୋଜନ ଦ୍ୱାରା ଦେଶରେ ଅର୍ଥନୈତିକ  ଅଭିବୃଦ୍ଧି ସାଙ୍ଗକୁ ସାମାଜିକ ପ୍ରଗତି ଘଟିପାରିବ ।’ ଭାରତ ଯଦି ଅଲିମ୍ପିକ୍ସ  ଆୟୋଜନ ଅଧିକାର ପାଏ, ତେବେ  ଯୋଗ, ଖୋ ଖୋ, କବାଡ଼ି, ଚେସ୍‌, ଟିଟ୍ୱେଣ୍ଟି କ୍ରିକେଟ୍‌ ଏବଂ ସ୍କ୍ୱାଶ ପ୍ରଭୃତି କ୍ରୀଡ଼ା  ସାମିଲ ରହିବ । ଏଥିରେ ଭାରତ ସ୍ୱର୍ଣ୍ଣ  ଜିତି ପାରିବ । 

ଭୁବନେଶ୍ୱରରେ ପୂର୍ବରୁ ଚାମ୍ପିଅନ୍ସ  ଟ୍ରଫି ହକି, ୨୦୧୮ ଓ ୨୦୨୩ ପୁରୁଷ  ହକି ବିଶ୍ୱକପ୍‌ ଏବଂ ୨୦୨୧ ଜୁନିୟର  ପୁରୁଷ ହକି ବିଶ୍ୱକପ୍‌ ବେଶ ସଫଳତାର  ସହ ଆୟୋଜିତ ହୋଇଛି । ବିଶ୍ୱ କ୍ରୀଡ଼ା  ମାନଚିତ୍ରରେ ଭୁବନେଶ୍ୱର ହକି ପାଇଁ  ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସେମିତି ରାଉରକେଲାରେ ନିର୍ମାଣ  ହୋଇଛି ବିଶ୍ୱର ବୃହତ୍‌ ହକି ଷ୍ଟାଡିୟମ ।  

୨୦୨୮ ବିଶ୍ୱ ୨୦ ବର୍ଷରୁ କମ୍‌  ଆଥଲେଟିକ୍ସ ଚାମ୍ପିଅନସିପ, ୨୦୨୮  ଏସିଆନ ସନ୍ତରଣ ଚାମ୍ପିଅନସିପ୍‌,  ୨୦୩୦ ଯୁବ ଅଲିମ୍ପିକ୍ସ ଏବଂ ବିଶ୍ୱ  ମିଲିଟାରୀ ଓ ପୁଲିସ କ୍ରୀଡ଼ା ପାଇଁ  ଭାରତ ବିଡ୍‌ ଦାଖଲ କରିସାରିଛି ।  ୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ  ଭାରତୀୟ ଅଧିକାରୀମାନେ ଆଇଓସି  ସହ ନିୟମିତ ଯୋଗାଯୋଗରେ ରହିଛନ୍ତି ।  ଭାରତ ସମେତ ମୋଟ୍‌ ୧୦ଟି ଦେଶ  ଅଲିମ୍ପିକ୍ସର ଏହି ସଂସ୍କରଣ ଆୟୋଜନ  ନେଇ ଆଗ୍ରହୀ ଅଛନ୍ତି । ୨୦୨୬ ପୂର୍ବରୁ  ୨୦୩୬ ଅଲିମ୍ପିକ୍ସର ଆୟୋଜକ ସହର  ନାମ ଘୋଷଣା ହେବ ।