ନୂଆଦିଲ୍ଲୀ,୨୬।୫: ଚୀନ୍ ଏବଂ ପାକିସ୍ତାନର ମିଳିତ ବିବୃତ୍ତିରେ ଜମ୍ମୁ ଏବଂ କାଶ୍ମୀରର ଉଲ୍ଲେଖକୁ ନେଇ ଭାରତର ତୀବ୍ର ବିରୋଧ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଚୀନ୍ ଗସ୍ତରେ ଅଛନ୍ତି। ମଙ୍ଗଳବାର ଜାରି ହୋଇଥିବା ମିଳିତ ବିବୃତ୍ତିରେ କୁହାଯାଇଛି, ‘ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀରର ବର୍ତ୍ତମାନର ସ୍ଥିତି ବିଷୟରେ ଚୀନ୍କୁ ଅବଗତ କରିଛି।’ ଚୀନ୍ ପ୍ରତିକ୍ରିୟା ଦେଇ କହିଛି , ଏହି ବିବାଦ ପୁରୁଣା ଏବଂ ଜାତିସଂଘ ଚାର୍ଟର, ସୁରକ୍ଷା ପରିଷଦ ପ୍ରସ୍ତାବ ଏବଂ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରାଯିବା ଉଚିତ।

ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ‘ଜମ୍ମୁ-କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାରତର ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଂଶ ଅଛି ଏବଂ ସର୍ବଦା ରହିବ। ଅନ୍ୟ ଦେଶର ଏହା ଉପରେ ମନ୍ତବ୍ୟ ଦେବାର କୌଣସି ଅଧିକାର ନାହିଁ। ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ମିଳିତ ବିବୃତ୍ତିରେ ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ବିଷୟରେ ଅନାବଶ୍ୟକ ଉଲ୍ଲେଖକୁ ଆମେ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଛୁ।’

ଭାରତ ମଧ୍ୟ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପ୍ରକଳ୍ପକୁ ଦୃଢ଼ ବିରୋଧ କରିଥିଲା। ବୈଦେଶିକ ମନ୍ତ୍ରଣାଳୟ କହିଛି, ‘ଏହାର କିଛି ଅଂଶ ଭାରତର ସାର୍ବଭୌମ କ୍ଷେତ୍ର ଦେଇ ଯାଏ। ପାକିସ୍ତାନର ଅବୈଧ ଏବଂ ବଳପୂର୍ବକ ଦଖଲକୁ ବୈଧ କରିବାର କୌଣସି ପ୍ରୟାସକୁ ଭାରତ ସ୍ବୀକାର କରେ ନାହିଁ, କାରଣ ଏହା ଭାରତର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ଉଲ୍ଲଂଘନ।’ ଭାରତ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ସୀମାପାର ଜଳସମ୍ପଦ ସହଯୋଗ ଆଲୋଚନାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଦୁଇ ଦେଶ ସୀମା ସେୟାର କରନ୍ତି ନାହିଁ, ତେଣୁ ସୀମାପାର ଜଳସମ୍ପଦ ସହଯୋଗର ପ୍ରଶ୍ନ ଉଠୁନାହିଁ। ଭାରତ କେବେବି ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ତଥାକଥିତ ୧୯୬୩ ସୀମା ଚୁକ୍ତିନାମାକୁ ସ୍ୱୀକୃତି ଦେଇନାହିଁ।’

ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ପୃଥକ ଭାବରେ ସାକ୍ଷାତ କରିଥିଲେ ଏବଂ ଉଭୟ ପକ୍ଷ ଚୀନ-ପାକିସ୍ତାନ ସର୍ବାଙ୍ଗୀନ ରଣନୈତିକ ସହଯୋଗ ସହଭାଗୀତାକୁ ଆହୁରି ଗଭୀର କରିବାକୁ ସହମତ ହୋଇଥିଲେ। ପାକିସ୍ତାନର ଜାତୀୟ ସାର୍ବଭୌମତ୍ୱ, ସ୍ୱାଧୀନତା ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ଚୀନ୍ ତାର ସମର୍ଥନକୁ ଦୋହରାଇଥିଲା ଏବଂ ଏହାର ଜାତୀୟ ସୁରକ୍ଷା, ସ୍ଥିରତା, ବିକାଶ ଏବଂ ସମୃଦ୍ଧିକୁ ସୁରକ୍ଷା ଦେବା ପାଇଁ ପାକିସ୍ତାନର ପ୍ରୟାସକୁ ଦୃଢ଼ ଭାବରେ ସମର୍ଥନ କରିଥିଲା।