ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

୧୨ା୬(ଏଜେନ୍ସି): ଭାରତ ଚଳିତ ବିଶ୍ୱକପ୍ରେ ଆଜି ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ଓପନର ଶିଖର ଧାୱନ ଆହତ ହେବା ଟିମ୍ ଇଣ୍ଡିଆ ପାଇଁ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ତଥାପି ଦଳ କାଲି ନ୍ୟୁଜିଲାଣ୍ଡକୁ ହରାଇ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ରହିଛି । ନଟିଂହାମ୍ରେ ଗତ କିଛି ଦିନ ହେଲା ବର୍ଷା ଲାଗି ରହିଛି । ସୋମବାର ଦିନ ବର୍ଷା ଯୋଗୁଁ ଭାରତୀୟ ଦଳ ଯଥେଷ୍ଟ ଅଭ୍ୟାସ କରିପାରି ନଥିଲା । ଆସନ୍ତାକାଲି ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ।
ଭାରତ ପ୍ରଥମ ୨ଟି ମ୍ୟାଚ୍ରେ ଯଥାକ୍ରମେ ଦକ୍ଷିଣ ଆଫ୍ରିକା ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇ ସାରିଛି । ସେହିଭଳି ନ୍ୟୁଜିଲାଣ୍ଡ ଖେଳି ସାରିଥିବା ୩ଟି ମ୍ୟାଚ୍ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛି । ବିଶ୍ୱକପ୍ରେ ଉଭୟ ଦଳ ପୂର୍ବରୁ ୭ ଥର ମୁହାଁମୁହିଁ ହୋଇଛନ୍ତି । ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍ ଜିତିଥିବାବେଳେ ଭାରତ ୩ଟି ମ୍ୟାଚ୍ରେ ବିଜୟୀ ହୋଇଛି । ଆସନ୍ତାକାଲି ଭାରତ ବିଜୟୀ ହୋଇ ବିଶ୍ୱକପ୍ରେ (୪-୪) ସ୍ଥିତି ବରାବର କରିବାକୁ ଟାର୍ଗେଟ୍ ରଖିଛି ।
ଆସନ୍ତା କାଲିର ମ୍ୟାଚ୍ ପାଇଁ ପ୍ରସ୍ତୁତ ଟ୍ରେଣ୍ଟବ୍ରିଜ ଗ୍ରାଉଣ୍ଡ୍ର ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିବା ନିଶ୍ଚିତ ଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ । କେବଳ ଟ୍ରେଣ୍ଟ ବୋଲ୍ଟ ନୁହନ୍ତି, ନ୍ୟୁଜିଲାଣ୍ଡ ଦଳରେ ଲୋକି ଫର୍ଗୁସନ୍, ଜିମ୍ମି ନୀଶମ ଓ ମାଟ୍ ହେନରୀଙ୍କ ଭଳି ଦକ୍ଷ ପେସ ବୋଲର ରହିଛନ୍ତି । ଉଭୟ ଦଳରେ ଦକ୍ଷ ପେସ୍ ବୋଲର ରହିଛନ୍ତି । ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ପେସ୍ ବିଭାଗରେ ବିଭିନ୍ନତା ରହିଛି । ହେଲେ ଭାରତର ସ୍ପିନ ବାହିନୀ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ୱିକେଟ୍ ହାତେଇବାର କ୍ଷମତା ରଖିଛନ୍ତି
ଶିଖର ଧାୱନ ଆହତ ହୋଇ ବାଦ ପଡ଼ିଥିବାରୁ ତାଙ୍କ ସ୍ଥାନରେ ଲୋକେଶ ରାହୁଲ ପାଳି ଆରମ୍ଭ କରିବେ । ୪ନଂ ସ୍ଥାନ ପାଇଁ ଦିନେଶ କାର୍ତ୍ତିକ ଓ ବିଜୟ ଶଙ୍କରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ହେଲେ ପିଚ୍କୁ ଦେଇ ଭାରତ ଅତିରିକ୍ତ ପେସ୍ ବୋଲର ନେଇ ଖେଳିଲେ ମହମ୍ମଦ ସାମି ଏକାଦଶରେ ସ୍ଥାନ ପାଇବେ ।