ଲର୍ଡସ୍: ଲର୍ଡସ୍ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସ ସୁଦ୍ଧା ଦୁଇ ଦଳର ରନ୍ ସମାନ ରହିଛି। ଶନିବାର ତୃତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଇଂଲଣ୍ଡର ସ୍କୋର ୨/୦ ରହିବା ସହ ଜ୍ୟାକ୍ କ୍ରାଉଲି ଏବଂ ବେନ୍ ଡକେଟ ଅପରାଜିତ ରହିଛନ୍ତି। ପ୍ରଥମ ଇନିଂସରେ କୌଣସି ଦଳ ଲିଡ୍ ପାଇନାହାଁନ୍ତି। ଭାରତୀୟ ଦଳ ୩୮୭ ରନରେ ଅଲଆଉଟ୍ ହୋଇଥିବା ବେଳେ ଇଂଲଣ୍ଡ ମଧ୍ୟ ପ୍ରଥମ ଇନିଂସରେ ୩୮୭ ରନ ସଂଗ୍ରହ କରିଥିଲା।

ଟିମ୍ ଇଣ୍ଡିଆ ସକାଳେ ୧୪୫/୩ ସ୍କୋରରୁ ଖେଳ ଆରମ୍ଭ କରିଥିଲା। ୫୩ ରନ ସହିତ ତାଙ୍କ ଇନିଂସ ଜାରି ରଖିଥିବା କେଏଲ ରାହୁଲ ୧୦୦ ରନ କରିଥିଲେ। ସେ ୱିକେଟକିପର ରିଷଭ ପନ୍ତ (୭୪ ରନ) ସହିତ ଚତୁର୍ଥ ୱିକେଟ ପାଇଁ ୧୯୮ ବଲ୍ ରେ ୧୪୧ ରନର ପାର୍ଟନରସିପ୍ କରିଥିଲେ।

ଏହି ପାର୍ଟନରସିପ୍ ପରେ, ରବିନ୍ଦ୍ର ଜାଡେଜା (୭୨ ରନ) ନୀତିଶ ରେଡ୍ଡୀଙ୍କ ସହିତ ୧୬୫ ବଲ୍ ରେ ୭୨ ରନ ଏବଂ ୱାଶିଂଟନ ସୁନ୍ଦରଙ୍କ ସହିତ ୧୧୩ ବଲ୍ ରେ ୫୦ ରନର ପାର୍ଟନରସିପ୍ କରିଥିଲେ। ଯାହା ଭାରତୀୟ ଦଳର ସ୍କୋରକୁ ୩୭୬ ରନରେ ପହଞ୍ଚାଇଥିଲା। ସେ ଆଉଟ୍ ହେବା ପରେ, ଦଳକୁ ଅଲଆଉଟ୍ ହେବାକୁ ଅଧିକ ସମୟ ଲାଗି ନଥିଲା। ଇଂଲଣ୍ଡ ପକ୍ଷରୁ କ୍ରିସ୍ ୱକ୍ସ ୩ଟି ୱିକେଟ୍ ନେଇଥିଲେ। ଜୋଫ୍ରା ଆର୍ଚର ଏବଂ ବେନ୍ ଷ୍ଟୋକ୍ସ ୨-୨ଟି ୱିକେଟ୍ ହାସଲ କରିଥିଲେ। ସେହିଭଳି ବ୍ରାଇଡନ୍ କାର୍ସେ ଏବଂ ସୋଏବ୍ ବଶିର ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ। ପନ୍ତ ରନ୍ ଆଉଟ୍ ହୋଇଥିଲେ।