ନୂଆଦିଲ୍ଲୀ,୨୬/୦୧: ଆଜି ଭାରତ ୭୭ତମ ଗଣତନ୍ତ୍ର ଦିବସ ପାଳୁଛି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଦେଶରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ରଙ୍ଗାରଙ୍ଗ ପରେଡ ସମାରୋହରେ ଭାରତର ଶକ୍ତି ଓ ଏକତାର ସାମର୍ଥ୍ୟ ଦେଖବାକୁ ମିଳିବ । ପ୍ରାୟ ୯୦ ମିନିଟ୍ ଧରି ଭାରତର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତାର ଝଲ୍କ ମଧ୍ୟ ସମଗ୍ର ବିଶ୍ୱ ଦେଖିବ ।
ଚଳିତବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଓ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିୟେନଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ଅତିଥି ଯୋଗଦେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଏହା ପରେ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ବିବିଧତା ମଧ୍ୟରେ ଏକତା । ଭାରତୀୟ ଯବାନମାନେ ସେମାନଙ୍କ କଳାକୌଶଳ ପ୍ରଦର୍ଶନ କରିବେ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ସମେତ ବିଭିନ୍ନ ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ଗଡିବ । ଭାରତର ସାମରିକ ଶକ୍ତି ମଧ୍ୟ ପ୍ରଦର୍ଶିତ ହେବ । ଭାରତୀୟ ବାୟୁସେନାର ୨୯ଟି ଯୁଦ୍ଧବିମାନ ଫ୍ଲାଏପାଷ୍ଟ କରିବେ।