ରାଉରକେଲା,୨୪/୦୪: ଯୋଡ଼ିହେବ ରାଉରକେଲା ପାନପୋଷ ହାଡ଼ପକା ଘାଟରୁ ବେଦବ୍ୟାସ ଶୈବପୀଠ । ବ୍ରାହ୍ମଣୀ ନଦୀ ଉପରେ ବହୁ ପ୍ରତୀକ୍ଷିତ ପାଦଚଲା ସେତୁ ଡିଜାଇନ୍‌କୁ ସବୁଜ ସଙ୍କେତ ମିଳିବା ପରେ ଏହି ଆଶା ଉଜ୍ଜୀବିତ ହୋଇଛି । ୫୭୦ ମିଟର ଦୀର୍ଘ ବ୍ରିଜ୍ ନିର୍ମାଣରେ ଖର୍ଚ୍ଚ ହେବ ସାଢ଼େ ୬୨ କୋଟି ଟଙ୍କା । ୧୦ ମିଟର ଚଉଡ଼ା ବିଶିଷ୍ଟ ଏହି ସେତୁ କେବଳ ପଥଚାରୀ ଏବଂ ସାଇକେଲ ଆରୋହୀଙ୍କ ଲାଗି ଉଦ୍ଦିଷ୍ଟ ହେବ । ଏଥିରେ ସ୍ୱତନ୍ତ୍ର ଭାବେ ୪ ମିଟରର ସାଇକେଲ ପାଥ୍ ଏବଂ ଉଭୟ ପାଶ୍ୱର୍ରେ ଅଢ଼େଇ ମିଟର ଲେଖାଏଁ ଫୁଟ୍‌ପାଥ ରହିବ । ଖୁବ୍‌ଶୀଘ୍ର ଏଥିଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ୧୮ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

ପାନପୋଷ ହାଡ଼ପକା ଘାଟରୁ ବେଦବ୍ୟାସ ମନ୍ଦିର ପର୍ଯ୍ୟନ୍ତ ଝୁଲା ପୋଲ ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିଲା । ଏହାଦ୍ୱାରା ବେଦବ୍ୟାସ ମନ୍ଦିରକୁ କମ୍ ସମୟରେ ପହଞ୍ଚି ହେବ ଏବଂ ଦୂରତା ହାରାହାରି ୫ କିମି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି କୁହାଯାଇଥିଲା । ହେଲେ ଅନ୍ତିମ ସମୟରେ ଝୁଲା ପୋଲ୍ ପ୍ରସ୍ତାବକୁ ବାତିଲ କରି ଦିଆଯାଇଛି । ବଦଳରେ ସିମେଣ୍ଟ ପିଲର ଉପରେ ପାଦ ଚଲା ପୋଲ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି । ଏହାର ନିର୍ମାଣ ଦାୟିତ୍ୱ ଓଡ଼ିଶା ବ୍ରିଜ ଆଣ୍ଡ କନ୍‌ଷ୍ଟ୍ରକ୍ସନ୍ କର୍ପୋରେସନ୍ (ଓବିସିସି)କୁ ଦିଆଯାଇଛି ।

ବ୍ରାହ୍ମଣୀ ନଦୀ ଉପରେ ଏକ ଝୁଲା ପୋଲ ନିର୍ମାଣ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଥିଲେ । ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କ ସହ ବିଚାରବିମର୍ଷ କରିଥିଲେ । ଗତବର୍ଷ ମାର୍ଚ୍ଚ ୨୪ରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଉରକେଲା ଗସ୍ତରେ ଆସିଥିବା ବେଳେ କାଚର ଝୁଲା ପୋଲ ହେବ ବୋଲି ଘୋଷଣା କରିଥିଲେ । ପ୍ରାୟ ୩୫ କୋଟିରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ସ୍ଥାୟିତ୍ୱ ୧୦୦ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ମନ୍ତ୍ରୀ ସେତେବେଳେ କହିଥିଲେ । କିନ୍ତୁ ବୈଷୟିକ କାରଣରୁ ଝୁଲା ପୋଲ ଏବଂ କାଚ ପୋଲ ପ୍ରସ୍ତାବ ବାତିଲ୍ ହୋଇଛି । ଶେଷରେ ପାଦଚଲା ସେତୁ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ଚୂଡ଼ାନ୍ତ କରାଯାଇ ଡିଜାଇନ୍ ପ୍ରସ୍ତୁତ ହୋଇଛି ।

ଅଧିକ ପଢ଼ନ୍ତୁ :-  ଷ୍ଟିଲ୍ସିଟିରୁ ମୁଙ୍ଗେରକୁ ଲମ୍ବିଛି ଚୋରା ବନ୍ଧୁକ ଲିଙ୍କ୍; ଶସ୍ତାରେ ମିଳୁଛି, ବ୍ଲକ୍ ହେଉ ନ ଥିବାରୁ ଅପରାଧୀଙ୍କ ପସନ୍ଦ, ସୁରାକ୍ ପାଉନି ପୁଲିସ

ସୂଚନାଯୋଗ୍ୟ, ୨୦୧୪ରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଝୁଲା ପୋଲ ନିର୍ମାଣ ପାଇଁ ତାଙ୍କ ମନ୍ତ୍ରଣାଳୟରୁ ପ୍ରାୟ ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ । କିନ୍ତୁ ପାନପୋଷ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଏଥିଲାଗି ପ୍ରାୟ ୧୩ କୋଟି ଟଙ୍କା ଆକଳନ କରିଥିଲା । ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ରାଉରକେଲାରେ ବିକାଶ ପ୍ରକଳ୍ପ ପାଇଁ ଜନଜାତି ଉପ- ଯୋଜନା ଅଧୀନରେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତାରୁ ୫.୮୦ କୋଟି ଟଙ୍କା ଆଉ ଏକ ପର୍ଯ୍ୟାୟରେ ଆବଶ୍ୟକ ପାଣ୍ଠି ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ତତ୍କାଳୀନ ସରକାର ବୈଷୟିକ କାରଣ ଯୋଗୁଁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତାରୁ ପାଣ୍ଠିର ଅନ୍ୟତ୍ର ସ୍ଥାନାନ୍ତର ନେଇ ଆପତ୍ତି କରିଥିଲେ । ବର୍ଷ ବର୍ଷ ଧରି ପାଣ୍ଠି ପଡ଼ି ରହିବା ପରେ ୨୦୧୮ରେ ଏହା ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିଲା । ଫଳରେ ସେତୁ ଭାଗ୍ୟ ଝୁଲି ରହିଥିଲା ।

୨୦୨୩ ମସିହାରେ ପୂର୍ତ୍ତ ବିଭାଗ ପକ୍ଷରୁ ବଜେଟ୍ରେ ବ୍ୟବସ୍ଥା ନିମନ୍ତେ ସର୍ଭେ ମଧ୍ୟ କରାଯାଇଥିଲା । ହେଲେ ଏହା କାଗଜକଲମରେ ରହି ଯାଇଥିଲା । ଦୀର୍ଘ ବର୍ଷ ବିଳମ୍ବରେ ପାଦଚଲା ସେତୁ ପାଇଁ ସବୁଜ ସଙ୍କେତ ମିଳିଛି । ରାଉରକେଲାବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହେବାକୁ ଯାଉଥିବାବେଳେ ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।