ରାଉରକେଲା,୨୪/୦୪: ରାଉରକେଲା ପୁଲିସ୍ ଜିଲ୍ଲାରେ ବଦଳୁଛି ଅପରାଧୀଙ୍କ ଅପରାଧର ତରିକା । ଖଣ୍ଡା, ଭୁଜାଲିରୁ ପାଦେ ଆଗକୁ ବଢ଼ି ଏବେ ବନ୍ଧୁକ ମୁନରେ ଘଟାଉଛନ୍ତି ଅପରାଧ । ଜେଲ୍ ଫେରନ୍ତା ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଛୋଟ ଛୋଟ ଗ୍ୟାଙ୍ଗ ଗଢ଼ି ବଟି ଆଦାୟ କରୁଛନ୍ତି । ହତ୍ୟା ଉଦ୍ୟମ, ଡକାୟତି, ଲୁଟ୍, ଛିନ୍ତାଇ ଭଳି ଜଘନ୍ୟକାଣ୍ଡ ଘଟାଉଛନ୍ତି । ଅପରାଧରେ ବ୍ୟବହୃତ ଚୋରା ବନ୍ଧୁକର ଲିଙ୍କ୍ ବିହାର ରାଜ୍ୟ । ଦୀର୍ଘ ଦୁଇ ଦଶନ୍ଧି ହେଲା ବାହାର ରାଜ୍ୟରୁ ଗଳାବାଟ ଦେଇ ଚୋରା ବନ୍ଧୁକ ଆସୁଛି । ଶସ୍ତାରେ ମିଳିବା ଏବଂ ଗୁଳି ଚଳାଇବା ବେଳେ ବ୍ଲକ୍ ହେଉ ନ ଥିବାରୁ ଏହି ବନ୍ଧୁକ ଅପରାଧୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ସହରର ବସ୍ତିଗୁଡ଼ିକରେ ହାଉଯାଉ ହେଉଛି ମୁଙ୍ଗେର ବନ୍ଧୁକ । ହେଲେ ପୁଲିସ୍ ଏହାର ସୁରାକ୍ ପାଉନି ।
୨୦୧୦ ମସିହାରେ ରାଉରକେଲା ପୁଲିସ୍ ସ୍ଥାନୀୟ ସାରନା ଛକରେ ଗୋଟିଏ କାର୍ରୁ ୧୮ରୁ ଊଦ୍ଧ୍ୱର୍ ବନ୍ଧୁକ ଜବତ କରିଥିଲା । ଏହାର ଲିଙ୍କ୍ ବିହାର ରାଜ୍ୟ ମୁଙ୍ଗେରରୁ ମିଳିଥିଲା। ବନ୍ଧୁକଗୁଡ଼ିକୁ ସାରନଗରୀ ଓ ଲାଠିକଟା ଅଞ୍ଚଳକୁ ଚାଲାଣ କରାଯାଉଥିବା ତଦନ୍ତ ବେଳେ ଜଣାପଡ଼ିଥିଲା । ସେତେବେଳେ ପୁରୁଣାକାଳିଆ ବନ୍ଧୁକଗୁଡ଼ିକ ଅପେକ୍ଷା ଏବେକାର ମୁଙ୍ଗେର ବନ୍ଧୁକ ଆହୁରି ଅତ୍ୟାଧୁନିକ ହେଲାଣି । ଅବିକଳ ୯-ଏମ୍ଏମ୍ ମାଉଜର ଭଳି ଦିଶୁଥିବାରୁ ଏହାର ଚାହିଦା ବେଶି । ଦେଖିବାକୁ ଆକର୍ଷଣୀୟ ଏବଂ ୫୦ ହଜାର ଟଙ୍କାରେ ସହଜରେ ମିଳିଯାଉଛି । ୬ରୁ ୧୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଫୁଟିବା କ୍ଷମତା ରହିଛି । ଗୁଳିମାଡ଼ ବେଳେ ବ୍ଲକ ହେବାର ଆଶଙ୍କା ଖୁବ୍ କମ୍ । ଥରେ ଟ୍ରିଗର୍ ଚିପିଲେ ଗୁଳି ଫୁଟିବା ଥୟ । ତେଣୁ ଅପରାଧୀମାନେ ଅପରାଧ ଘଟାଇବା ସମୟରେ ଏହାକୁ ସହଜରେ ବ୍ୟବହାର କରୁଛନ୍ତି । ଅପରାଧ ଘଟାଇବା ପରେ ଧରାପଡ଼ିବା ଆଶଙ୍କା ରହିଲେ ବ୍ଲାଙ୍କ୍ ଫାୟାରିଂ କରି ଖସିଯିବାରେ ସକ୍ଷମ ହେଉଛନ୍ତି ।
କିଛି ମାସ ପୂର୍ବେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ୍ ପଞ୍ଝାରେ ପଡିଥିଲା । ସେ ରହୁଥିବା ଭଡ଼ା ଘରେ ଗଚ୍ଛିତ ରଖିଥିବା ବନ୍ଧୁକ ଜବତ କରିଥିଲା ପୁଲିସ୍ । ସେହିସବୁ ବନ୍ଧୁକ ମୁଙ୍ଗେର ଜିଲ୍ଲାରୁ ଆସିଥିବା ପରବର୍ତ୍ତୀ ସମୟରେ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା । କେବଳ ସୁନୀଲ ନୁହେଁ, ସହରରେ ସକ୍ରିୟ ଅଧିକାଂଶ ଅପରାଧୀ ଗୋଷ୍ଠୀ ପାଖରେ ମୁଙ୍ଗେର ବନ୍ଧୁକ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ବନ୍ଧୁକ କାରବାର ପଛରେ ଏକ ସ୍ଲିପର ସେଲ୍ କାମ କରୁଛି । ବରାଦ କଲେ ସେମାନେ ମନୋହରପୁର ଓ ବୀରମିତ୍ରପୁର ରାସ୍ତା ଦେଇ ଠିକଣା ଜାଗାରେ ପହଞ୍ଚାଉଛନ୍ତି । ବୀରମିତ୍ରପୁର ଅଞ୍ଚଳର କେତେଜଣ ଅସାମାଜିକତତ୍ତ୍ୱ ମୁଙ୍ଗେର ବନ୍ଧୁକ କାରବାରକୁ ବ୍ୟବସାୟରେ ପରିଣତ କରିଛନ୍ତି । ରାଉରକେଲା ସହରର ମାଲଗୋଦାମ, ଗୋପବନ୍ଧୁପାଲି, ସେକ୍ଟର-୨ ଖରିଆବାହାଲ ବସ୍ତି, ସେକ୍ଟର-୨୧ ନୟାବଜାର, ସେକ୍ଟର-୧୯ ମିଶ୍ର ଖଟାଲ, ପାନପୋଷ, ସାରନଗରୀ, ଜଲଦା ଓ ଲାଠିକଟା ଅଞ୍ଚଳର ଅପରାଧୀଙ୍କ ପାଖରେ ବିପୁଳ ପରିମାଣର ବନ୍ଧୁକ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ସେମାନେ ସବୁବେଳେ ଏହାକୁ ପାଖରେ ରଖୁନାହାନ୍ତି । ନିରାପଦ ସ୍ଥାନରେ ଲୁଚାଇ ରଖୁଛନ୍ତି । ଆବଶ୍ୟକ ସମୟରେ ବ୍ୟବହାର କରି ଛୁ’ ମାରୁଛନ୍ତି ।
ସହରକୁ ମୁଙ୍ଗେର ଜିଲ୍ଲାରୁ ଆସୁଥିବା ବନ୍ଧୁକ ସମ୍ପର୍କରେ ରାଉରକେଲା ଏସ୍ପି ନିତେଶ ୱାଧୱାନୀ କହିଛନ୍ତି³ ବିଶେଷ ଭାବେ ସହରର ଗୋପବନ୍ଧୁପାଲି ଓ ମାଲଗୋଦାମ ଅଞ୍ଚଳରେ ପୁଲିସ୍ ପ୍ରଶାସନର ଅଧିକ ଫୋକସ୍ ରହୁଛି । ଏହି ଦୁଇ ଅଞ୍ଚଳରେ ଅଧିକ ମାତ୍ରାରେ ଚୋରା ବନ୍ଧୁକ କାରବାର ହେଉଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡିବା ପରେ ନିୟମିତ ଚଢଉ କରାଯାଇ ବନ୍ଧୁକ ଜବତ କରାଯାଉଛି । ବୀରମିତ୍ରପୁରରେ ମୁଙ୍ଗେର ବନ୍ଧୁକ ଅଧିକ ମହଜୁଦ୍ ରହୁଥିବା ବେଳେ ସେଠାରୁ ସହରକୁ ଆସୁଥିଲା³ ସେଥିରେ ମଧ୍ୟରେ ରୋକ୍ ଲାଗିପାରିଛି । ବନ୍ଧୁକ ଧରି ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରୁଥିବା ଯୁବଗୋଷ୍ଠୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ୮/୧୦ଟି ମାମଲା କରାଯିବା ସହିତ ଦୁଇଜଣଙ୍କ ଗିରଫ କରାଯାଇଛି । ପୁଲିସ୍ ପକ୍ଷରୁ ସହରର ବିଭିନ୍ନ ସେକ୍ଟରରେ ଗଢି ଉଠିଥିବା ବସ୍ତିଗୁଡ଼ିକରେ ନଜର ରଖାଯାଉଛି । ଗୁଇନ୍ଦା ଆଧାରରେ ସୂଚନା ସଂଗ୍ରହ କରାଯାଉଛି । ଗତବର୍ଷ ୬୦ଟି ବେଆଇନ୍ ବନ୍ଧୁକ ଜବତ କରାଯାଇଥିଲା ।