ନୂଆଦିଲ୍ଲୀ, ୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଅଶାନ୍ତ ସ୍ଥିତି ଓ ଯୁଦ୍ଧ ଭୟ ମଧ୍ୟରେ ଭାରତ ନିଜର ଆକାଶମାର୍ଗକୁ ଅଧିକ ସୁରକ୍ଷିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରୁଷଠାରୁ ଆଉ ପାଞ୍ଚଟି ନୂତନ S-400 ଏୟାର ଡିଫେନ୍ସ ସିଷ୍ଟମ କିଣିବାକୁ ଭାରତ ଯୋଜନା କରୁଛି । ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭାରତୀୟ ବାୟୁସେନା (IAF) ର ଏହି ପ୍ରସ୍ତାବକୁ ସୋମବାର ଦିନ 'ପ୍ରତିରକ୍ଷା କ୍ରୟ ବୋର୍ଡ' ଅନୁମୋଦନ କରିଛି । ବର୍ତ୍ତମାନ ଏହି ପ୍ରସ୍ତାବ ଚୂଡ଼ାନ୍ତ ଅନୁମୋଦନ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ 'ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ' (DAC) ନିକଟକୁ ପଠାଯିବ । ସେଠାରୁ ସବୁଜ ସଙ୍କେତ ମିଳିବା ପରେ ଏକ ମୂଲ୍ୟ ଆଲୋଚନା କମିଟି ଗଠନ ହେବ ଏବଂ ଶେଷରେ କ୍ୟାବିନେଟ୍ କମିଟି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।

ଏହା ବି ପଢ଼ନ୍ତୁ...​​​​​​ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବି ପ୍ରଭାବ ହେବ ନାହିଁ ଭାରତର ବାଣିଜ୍ୟିକ କାରବାର: କେନ୍ଦ୍ର ସରକାର ଗଠନ କଲେ ହାଇ-ଲେଭଲ୍ କମିଟି !

'ଅପରେସନ ସିନ୍ଦୁର'ରେ ଦେଖାଇଥିଲା ଦମ୍:

ସୂଚନାଯୋଗ୍ୟ, S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ପୂର୍ବରୁ 'ଅପରେସନ ସିନ୍ଦୁର' ସମୟରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଛି । ଏହି ପ୍ରଣାଳୀ ସାହାଯ୍ୟରେ ଭାରତ ଅନେକ ପାକିସ୍ତାନୀ ଲଢ଼ୁଆ ବିମାନକୁ ଅଟକାଇବା ସହ ଖସାଇ ଦେବାରେ ସଫଳ ହୋଇଥିଲା । ଏହି ସିଷ୍ଟମର ଭୟରେ ପାକିସ୍ତାନର ବାୟୁବାହୀ ଚେତାବନୀ ବିମାନ ଏବଂ ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ ବିମାନଗୁଡ଼ିକ ଆକାଶରେ ଉଡ଼ିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା । ଭାରତ ପାଖରେ ଏବେ ୩ଟି S-400 ସିଷ୍ଟମ ଅଛି । ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୨ଟି ସିଷ୍ଟମ ସାମିଲ ହେବାର ସମ୍ଭାବନା ଅଛି । ନୂଆ ଚୁକ୍ତି ଅନୁଯାୟୀ, ଆଉ ପାଞ୍ଚଟି ନୂଆ ସିଷ୍ଟମ ସିଧାସଳଖ ରୁଷରୁ କିଣାଯିବ । ଏହି ଅତ୍ୟାଧୁନିକ ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ଭାରତୀୟ ଘରୋଇ କମ୍ପାନୀଗୁଡ଼ିକୁ ଦିଆଯିବ ।

ପାଣ୍ଟସିର S-1 କିଣିବା ପାଇଁ ପ୍ରସ୍ତୁତି: 

S-400 ବ୍ୟତୀତ ଭାରତ ଆଉ ୧୩ଟି ରୁଷୀୟ ପାଣ୍ଟସିର S-1 ସ୍ୱୟଂଚାଳିତ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବାକୁ ମଧ୍ୟ ବିଚାର କରୁଛି । ୧୦ଟି ପ୍ରଣାଳୀ S-400 କୁ ସୁରକ୍ଷା ଦେବା ପାଇଁ ବ୍ୟବହାର ହେବ । ୩ଟି ପ୍ରଣାଳୀ ସୀମାରେ କ୍ରୁଜ୍ କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ରକେଟ୍ ମାଡ଼ର ମୁକାବିଲା କରିବା ପାଇଁ ମୁତୟନ କରାଯିବ । ୨୦୨୫ ମେ ୧୦ରେ ବ୍ରହ୍ମୋସ୍ ଆକ୍ରମଣରେ ପାକିସ୍ତାନର ଚକଲାଲା ଏୟାରବେସର କଣ୍ଟ୍ରୋଲ ନେଟୱାର୍କ ଧ୍ୱଂସ ହେବା ପରେ ଭାରତ ନିଜର ପ୍ରତିରକ୍ଷା କ୍ଷମତାକୁ ଆହୁରି ସଶକ୍ତ କରିବା ପାଇଁ ଏହି ବଡ଼ ନିଷ୍ପତ୍ତି ନେଇଛି ।