ନୂଆଦିଲ୍ଲୀ, ୪।୩: ଇରାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶର ବାଣିଜ୍ୟ ଏବଂ ସପ୍ଲାଇ ଚେନ୍ (ଯୋଗାଣ ଶୃଙ୍ଖଳା) ଉପରେ ଏହାର ପ୍ରଭାବକୁ ପରଖିବା ପାଇଁ ଏକ ଶକ୍ତିଶାଳୀ ଆନ୍ତଃ-ମନ୍ତ୍ରାଳୟ ଗୋଷ୍ଠୀ ଗଠନ କରାଯାଇଛି । କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ଯୁଦ୍ଧ ଯୋଗୁଁ ଯେପରି ଭାରତର ବାଣିଜ୍ୟ, ପରିବହନ ଏବଂ ରପ୍ତାନି ପ୍ରଭାବିତ ନହୁଏ, ସେଥିପାଇଁ ଏକ 'ଆନ୍ତଃ-ମନ୍ତ୍ରାଳୟ ଗୋଷ୍ଠୀ' (IMG) ଗଠନ କରାଯାଇଛି । ଏଥିରେ ଅର୍ଥନୈତିକ ସେବା ବିଭାଗ, ବୈଦେଶିକ ମନ୍ତ୍ରାଳୟ, ପରିବହନ ଓ ବନ୍ଦର ମନ୍ତ୍ରାଳୟ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଏବଂ ସୀମା ଶୁଳ୍କ ବିଭାଗର ପ୍ରତିନିଧିମାନେ ସାମିଲ ଅଛନ୍ତି ।
ଏହା ବି ପଢ଼ନ୍ତୁ... ମିସାଇଲ ଆକ୍ରମଣ ମଧ୍ୟରେ ପୁଅ ଫସି ରହି ଥିବାରୁ ଅଭିନେତ୍ରୀ ଚିନ୍ତାରେ , କାନ୍ଦି କାନ୍ଦି ପିଏମ୍ ମୋଦିଙ୍କୁ କଲେ ଅନୁରୋଧ
ବଜେଟ୍ ପରବର୍ତ୍ତୀ ଏକ ଓ୍ୱେବିନାର୍କୁ ସମ୍ବୋଧିତ କରି ମନ୍ତ୍ରୀ ଗୋୟଲ କହିଛନ୍ତି ଯେ, ଏହି ଗୋଷ୍ଠୀ ପ୍ରତିଦିନ ବୈଠକ କରି ପଶ୍ଚିମ ଏସିଆର ସ୍ଥିତି ଅନୁଧ୍ୟାନ କରିବେ। ବିଶେଷ କରି ସିପିଂ (Shipping), ଲଜିଷ୍ଟିକ୍ସ ଏବଂ ଜରୁରୀ ଆମଦାନୀ-ରପ୍ତାନି କ୍ଷେତ୍ରରେ କୌଣସି ସମସ୍ୟା ରହିଛି କି ନାହିଁ, ତାହା ଉପରେ ତୀକ୍ଷ୍ଣ ନଜର ରଖାଯିବ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ ରପ୍ତାନିକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ (FIEO) ଅନୁଯାୟୀ, ସିପିଂ ଲାଇନଗୁଡ଼ିକ ପ୍ରାୟ ହଜାରରୁ ୪ ହଜାର ଡଲାର ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲାଗୁ କଲେଣି । 'ସପ୍ଲାଇ ଚେନ୍ ରେଜିଲିଏନ୍ସ' ପାଇଁ ଗଠିତ ଏହି ଗୋଷ୍ଠୀ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ବାଣିଜ୍ୟିକ କାରବାରକୁ ସହଜ କରିବ । ରପ୍ତାନିକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବୀମା ଏବଂ ଆର୍ଥିକ ସଂସ୍ଥାଗୁଡ଼ିକ ସହ ସରକାର ଆଲୋଚନା କରୁଛନ୍ତି ।
କଷ୍ଟମ୍ସ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଯୋଗାଯୋଗ ରଖାଯାଇଛି ଯେପରି ସାମଗ୍ରୀ ପରିବହନରେ କୌଣସି ଅସୁବିଧା ନହୁଏ । ଶ୍ରୀ ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଭୂ-ରାଜନୈତିକ ପରିସ୍ଥିତିର ମୁକାବିଲା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ବାଣିଜ୍ୟ କ୍ଷେତ୍ରକୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଲଗାତାର ଦୁଇ ଦିନ ଧରି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି । ବିଶେଷ କରି ମହୁଲ ଓ ତେଲ ପରିବହନ କ୍ଷେତ୍ରରେ କୌଣସି ବାଧା ଉପୁଜିଲେ ତୁରନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ରପ୍ତାନିକାରୀ ଏବଂ ଆମଦାନୀକାରୀଙ୍କ ସୁବିଧା ପାଇଁ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ୨୪ ଘଣ୍ଟିଆ ସେବା ଯୋଗାଉଥିବା ଏକ ହେଲ୍ପ ଡେସ୍କ ମଧ୍ୟ ସ୍ଥାପନ କରାଯାଇଛି ।