କଲମ୍ବୋ: ମହିଳା ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଜାରି ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୪୭ ରନ୍‌ କରିଛି । ପାକିସ୍ତାନକୁ ଦେଇଛି ୨୪୮ ରନ୍‌ର ବିଜୟ ଲକ୍ଷ୍ୟ । ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୪୭ ରନ୍‌ରେ ଅଲଆଉଟ୍ ହୋଇଛି । ଏହି ମ୍ୟାଚ୍‌ରେ ଭାରତର ବ୍ୟାଟିଂ ଖରାପ ରହିଛି । କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ଭାରତ ପକ୍ଷରୁ ହରଲିନ୍ ଦେଓଲ୍ ସର୍ବାଧିକ ୪୬ ରନ୍ କରିଛନ୍ତି । ସେ ୬୫ ବଲ୍‌ରେ ୪ଟି ଚୌକା ଏବଂ ଗୋଟିଏ ଛକା ମାରିଛନ୍ତି ।

ଓ୍ବିକେଟ କିପର ରିଚା ଘୋଷ ଭଲ ବ୍ୟାଟିଂ କରିଛନ୍ତି । ସେ କ୍ରିଜ୍‌ରେ ଜମିଆସିଥିବା ବେଳେ ଦଳ ସବୁ ଓ୍ବିକେଟ ହରାଇଥିଲା । ସେ ୨୦ ବଲ୍‌ରୁ ୩ଟି ଚୌକା ଏବଂ ୨ଟି ଛକା ସହାୟତାରେ ୩୫ ରନ୍‌ କରି ଅପରାଜିତ ଥିଲେ । ଭାରତୀୟ ଟିମ୍‌ର ଅଧିନାୟକ ହରମନପ୍ରୀତ କୌର ଖାସ ପ୍ରଦର୍ଶନ କରିପାରି ନଥିଲେ । ଦଳୀୟ ସ୍କୋର ୪୮ ରନ୍ ବେଳେ ଭାରତୀୟ ଟିମ୍‌ ଗୁରୁତ୍ବପୂର୍ଣ୍ଣ ଓ୍ବିକେଟ ସ୍ମୃତି ମନ୍ଧାନାଙ୍କୁ ହରାଇଥିଲା । ଏହା ପରେ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନଥିଲେ । 

ସେପଟେ ପାକିସ୍ତାନ ଟିମ୍‌ର ବୋଲର କମାଲ କରିଛନ୍ତି । ଡାଏନା ବେଗ ସର୍ବାଧିକ ୪ଟି ଓ୍ବିକେଟ ନେଇଛନ୍ତି ।ସାଦିଆ ଇକବାଲ ଏବଂ ଅଧିନାୟକ ପାତିମା ସାନା ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ରମୀନ ଶାମିମ ଓ ନାଶ୍ରା ସାନ୍ଧୁ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।