ଦକ୍ଷିଣ ଆଫ୍ରିକା ସହିତ ଭାରତର ଚୁକ୍ତି; ଦଶବର୍ଷ ଭିତରେ ଦେଶ ପାଇବ ୧୦୦ରୁ ଅଧିକ ଚିତା

ନୂଆଦିଲ୍ଲୀ,୩୦/୦୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚିତାକୁ ଏକ ଚୁକ୍ତି ସ୍ୱାକ୍ଷର କରାଯାଇଛି। ଯେଉଁଥିରେ ଆଗାମୀ ଦଶବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ଭାରତ ପାଇବ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରୁ ଏହା ସ୍ପଷ୍ଟ ହୋଇଛି। ସମ୍ପ୍ରତି ‘ଚିତାର ପୁନଃ ପରିଚୟରେ ସହଯୋଗ’ ନାମକ ଚୁକ୍ତିକୁ ନେଇ ଫେବୃଆରୀ ୨୦୨୩ରେ ୧୨ଟି ଚିତାଙ୍କ ପ୍ରାରମ୍ଭିକ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଠାରୁ ଭାରତକୁ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଛି। ୨୦୨୨ରେ ନାମିବ୍ୟାରୁ ଭାରତ ଆସିଥିବା ୮ଜଣ ଚିତାଙ୍କ ସହିତ ଆଫ୍ରିକାରୁ ଫେବୃଆରୀରେ ଆସିବାକୁ ଚିତା ସାମିଲ ହେବେ।
ସୂଚନାଥାଉକି, ଦକ୍ଷିଣ ଆଫ୍ରିକା ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଆସନ୍ତା ଫେବୃଆରୀରେ ଭାରତକୁ ୧୨ଟି ଚିତା ପଠାଯିବାକୁ ଥିବା ବେଳେ ଆଗାମୀ ୮-୧୦ ବର୍ଷ ଭିତରେ ଏହିଭଳି ପ୍ରତିବର୍ଷ ଚିତାଙ୍କୁ ପଠାଯିବ। ପ୍ରେସ ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଏହା ପ୍ରାସଙ୍ଗିକ ରହିବ ବୋଲି ପ୍ରତି ପାଞ୍ଚ ବର୍ଷରେ ଥରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ଚୁକ୍ତିର ସମୀକ୍ଷା କରାଯିବ।

ଏହି ଖବର ଉପରେ ନଜର ପକାନ୍ତୁ: ଗୋଟିଏ ବର୍ଷରେ ବଢ଼ିଲା ୭୦ ବିଶ୍ବବିଦ୍ୟାଳୟ; ନାମାଙ୍କନରୁ ସ୍ପଷ୍ଟ, ‘କଳା’ରେ ବଢ଼ୁଛି ଛାତ୍ରଛାତ୍ରୀଙ୍କ ଆଗ୍ରହ
ନ୍ୟୁଜ୍ ଏଜେନ୍ସି ପିଟିଆଇ ପୂର୍ବରୁ ରିପୋର୍ଟ କରିଥିଲା ଯେ, ଦକ୍ଷିଣ ଆଫ୍ରିକାର ପରିବେଶ, ଜଙ୍ଗଲ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ବାର୍ବାରା କ୍ରେଇସି ନଭେମ୍ବରରେ ଚିତାଙ୍କୁ ଭାରତ ପଠାଇବା ପାଇଁ ଭାରତ ସରକାରଙ୍କର ପ୍ରସ୍ତାବକୁ ସ୍ବୀକାର କରିଥିଲେ। ତେବେ ଏହି ଚୁକ୍ତିନାମା ସ୍ପଷ୍ଟ କରିଛି ଯେ, ଆସନ୍ତା ୮-୧୦ ବର୍ଷ ମଧ୍ୟରେ ଭାରତୀୟ ଜାତୀୟ ଉଦ୍ୟାନ ଗୁଡ଼ିକରେ ୧୦୦ରୁ ଉର୍ଦ୍ଧ୍ବ ଚିତା ବାଘ ସାମିଲ ହେବେ।

ସୂଚନାଥାଉକି, ଗତ ବର୍ଷ ସେପ୍ଟେମ୍ବର ୧୭ରେ ମଧ୍ୟପ୍ରଦେଶର ସୋଏପୁର ଜିଲ୍ଲାର କୁନୋ ଜାତୀୟ ଉଦ୍ୟାନରେ ପାଞ୍ଚଟି ମାଇ ଏବଂ ତିନୋଟି ଅଣ୍ଡିରା ଚିତା ଅର୍ଥାତ୍ ସମୁଦାୟ ୮ଟି ଚିତାଙ୍କୁ ସାମିଲ କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୧୯୫୨ରେ ଭାରତ ସରକାର ଦେଶରୁ ଚିତା ଲୋପ ପାଉଥିବା ସୂଚନା ଦେଇଥିଲେ। କୋର୍ସିଂ(ପ୍ରାଣୀ ଶିକାର), କ୍ରୀଡ଼ା ଦ୍ବାରା ପ୍ରାଣୀ ଶିକାର, ଚର୍ମ ଓ ଦାନ୍ତ ପାଇଁ ଶିକାର ଏବଂ ଜଙ୍ଗଲ ନଷ୍ଟ କାରଣରୁ ଦେଶରେ ଦିନକୁ ଦିନ ଚିତାଙ୍କର ବିଲୋପ ହେଉଥିବା ପରିବେଶବିତ୍ ମାନେ ମତ ଦେଇଛନ୍ତି।
୭୦ ଦଶକରୁ ଦେଶର ଐତିହାସିକ ରେଞ୍ଜ ଗୁଡ଼ିକରେ ଚିତା ପ୍ରଜାତିଗୁଡିକର ପୁନଃ ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ଉଦ୍ୟମ ସ୍ବରୁପ ନାମିବ୍ୟାରେ ଏକ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।ଏହି ଚୁକ୍ତି ଅନୁସାରେ ଗତ ଜୁଲାଇ ୨୦ରେ ନାମିବ୍ୟା ପକ୍ଷରୁ ଭାରତକୁ ୮ଟି ଚିତା ପଠାଯିବା ନେଇ ଘୋଷଣା କରାଯାଇଥିଲା।