ଦୀର୍ଘ ସାତ ଦଶନ୍ଧି ଧରି ଐତିହାସିକ କଟକ ସହରର ଛାତିରେ ଛିଡ଼ା ହୋଇଛି ବାରବାଟୀ ଷ୍ଟାଡିୟମ । ୧୯୮୨ ମସିହାରୁ ଏଠାରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ ଆୟୋଜିତ ହୋଇ ଆସୁଛି । ବାରବାଟୀକୁ ମ୍ୟାଚ ଆସିଲେ ମାସକ ପୂର୍ବରୁ ଚଳଚଞ୍ଚଳ ହୋଇ ଉଠେ ସହର । କ୍ରିକେଟ୍ପ୍ରେମୀ ଉତ୍ସାହିତ ହୋଇ ପଡ଼ନ୍ତି, ମ୍ୟାଚର ଦିନ ପୂର୍ବରୁ ଉତ୍ସବମୁଖର ହୋଇ ଉଠେ ଷ୍ଟାଡିୟମ ପରିବେଶ । ଦର୍ଶକଙ୍କ ଗହଳି ଜମେ, ରଙ୍ଗୀନ ଆଲୋକମାଳାରେ ଚିକ୍ମିକ୍ କରେ ଷ୍ଟାଡିୟମ । ୪୩ ବର୍ଷ ଧରି ଏଠାରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇ ଆସୁଛି । ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିର ଅନେକ ଗାଥା ବାରବାଟୀର ରେକର୍ଡ ଖାତାରେ ଲେଖା ହୋଇଛି । ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟିକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି । ସୋମବାର ଉଭୟ ଦଳର ଖେଳାଳିଙ୍କ ଅଭ୍ୟାସ ସମୟରେ ଦର୍ଶକଙ୍କ ଏଭଳି ଭିଡ଼ ହୋଇଥିଲା ଯେ ମ୍ୟାଚ ଦିବସର ଭ୍ରମ ସୃଷ୍ଟି ହୋଇଥିଲା।
ପ୍ରସ୍ତୁତି: ବିମଳ କୁମାର ରାଉଳ, ସୁକେଶ ବେହେରା, ଫଟୋ: ଅମରଦେବ ନାୟକ
ବାରବାଟୀ ଷ୍ଟାଡିୟମ, ଓଡ଼ିଶାର ଆଧୁନିକ କ୍ରୀଡ଼ା ଇତିହାସର ଏହି ବିଶାଳ ଦୁର୍ଗ, ୪୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ର ଗୋଟିଏ ଗୋଟିଏ ଐତିହ୍ୟର ଗାଥାକୁ ନିଜ ଛାତିରେ ସାଇତି ରଖିଛି । ୧୯୫୮ରେ ପ୍ରତିଷ୍ଠା ହୋଇଥିଲା ଏହି ଷ୍ଟାଡିୟମ୍ । ୧୯୮୦ରେ ବାରବାଟୀକୁ ମିଳିଥିଲା ଅନ୍ତର୍ଜାତୀୟ ମାନ୍ୟତା । ଓଡ଼ିଶା ଅଲିମ୍ପିକ ସଂଘ ଏଠାରେ ୫୦ ଦଶକରେ ପ୍ରଥମ ଶ୍ରେଣୀ କ୍ରିକେଟ ରଣଜୀ ଟ୍ରଫି ଆୟୋଜନ କରି ଏଠାରେ ଏକ ଭଲ ପିଚ୍ ଥିବାର ପ୍ରମାଣ ଦେଇଥିଲା । ପ୍ରଥମ କରି ୧୯୮୨ ମସିହାରେ ବାରବାଟୀ ଷ୍ଟାଡିୟମ୍ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ଲାଗି ସବୁଜ ସଙ୍କେତ ମିଳିଥିଲା । ଏ ନେଇ ସାରା ରାଜ୍ୟରେ ଉତ୍ସାହ ଖେଳିଯାଇଥିଲା । ଷ୍ଟାଡିୟମ୍ ଯେ କୌଣସି ଖେଳରେ ଏହା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ହୋଇଥିବାରୁ ଏହାକୁ ନେଇ ଓଡ଼ିଆ ଦର୍ଶକ ବେଶ ଉତ୍ସାହିତ ହୋଇ ପଡ଼ିଥିଲେ ।
୧୯୮୨ ଜାନୁୟାରୀ ୨୭ ତାରିଖରେ ଏଠାରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ଭାରତ ୫ ୱିକେଟରେ ବିଜୟୀ ହୋଇଥିଲା । ପ୍ରଥମ ଦିନିକିଆରେ ଭାରତ ଲାଗି ପିଚ୍ ଏବଂ ଷ୍ଟାଡିୟମ୍ ଲକି ସାବ୍ୟସ୍ତ ହୋଇଥିବା ବେଳେ କେବଳ ରେଡ଼ିଓରେ ନାମୀ ଖେଳାଳିଙ୍କ ନାମ ଶୁଣୁଥିବା ଓଡ଼ିଆ ଦର୍ଶକ କପିଳ ଦେବ, ଭେଙ୍ଗସରକାର, ସୁନୀଲ ଗାଭାସ୍କର, ମଦନ ଲାଲ୍, ରବି ଶାସ୍ତ୍ରୀଙ୍କ ଭଳି ଖେଳାଳିଙ୍କୁ ଆଖି ସାମ୍ନାରେ ଦେଖିବାକୁ ପାଇଥିଲେ । ଇତିମଧ୍ୟରେ ବାରବାଟୀ ଷ୍ଟାଡିୟମ୍ ମୋଟ୍ ୨୦ଟି ଦିନିକିଆ, ୩ଟି ଟି-ଟ୍ୱେଣ୍ଟି, ୨ଟି ଟେଷ୍ଟ ମ୍ୟାଚ୍ ଏବଂ ମହିଳା ବିଶ୍ୱକପ୍ର ୮ଟି ମ୍ୟାଚ ବାରବାଟୀରେ ଖେଳାଯାଇଛି । ଇଂଲଣ୍ଡ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ପାକିସ୍ତାନ, ଜିମ୍ୱାୱେ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ପ୍ରମୁଖ ଦଳ ଏଠାରେ ଖେଳିଛନ୍ତି । ପୂର୍ବରୁ ଏଠାରେ ଦକ୍ଷିଣ ଆଫ୍ରିକା ୨ଟି ଟି-ଟ୍ୱେଣ୍ଟି ଖେଳି ବିଜୟୀ ହୋଇଛି । ଦଳ ଏଥର ତୃତୀୟ ଟି-ଟ୍ୱେଣ୍ଟି ଖେଳିବାକୁ ଯାଉଛି।
ନାଲି ମାଟିରେ ପିଚ୍
ପ୍ରଥମ ଥର ଏଥର ବାରବାଟୀରେ ନାଲି ମାଟି ପିଚରେ ଖେଳାଯିବ । କୁହୁଡି ଓ କାକର ପଡ଼ିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏକ ହାଇସ୍କୋରିଂ ପିଚ୍ ପ୍ରସ୍ତୁତ କରାଯାଇଛି । ବାରବାଟୀ ଷ୍ଟାଡିୟମ୍ରେ ପୂର୍ବରୁ କେବଳ କଳାମାଟି ପିଚ୍ ରହିଥିଲା । କଳାହାଣ୍ଡିର ମାଟିରେ ପ୍ରସ୍ତୁତ ପିଚ୍ରେ ଖେଳାଯାଉଥିଲା ଅନ୍ତର୍ଜାତୀୟ ମୁକାବିଲା । କିନ୍ତୁ ଭାରତର ଅଗ୍ରଣୀ କ୍ରିକେଟ ଷ୍ଟାଡିୟମ୍ ଗୁଡିକରେ ନାଲି ମାଟି ପିଚ୍ରେ ମ୍ୟାଚ ହେଉଥିବାରୁ ବିସିସିଆଇ ପରାମର୍ଶରେ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ ନାଲିମାଟି ପିଚ୍ ପାଇଁ ଯୋଜନା ହୋଇଥିଲା । କରୋନା ମହାମାରୀ ସମୟରେ ମହାରାଷ୍ଟ୍ରରୁ ମାଟି ଆଣି ବାରବାଟୀରେ ପିଚ୍ ତିଆରି କରାଯାଇଥିଲା । ଏବେ ଷ୍ଟାଡିୟମରେ ଦୁଇଟି ନାଲିମାଟି ଓ ୩ଟି କଳାମାଟିରେ ପ୍ରସ୍ତୁତ ମୁଖ୍ୟ ପିଚ୍ ରହିଥିବା ବେଳେ ୩ଟି ଲେଖାଏଁ ନାଲି ଓ କଳାମାଟିର ଅଭ୍ୟାସ ପିଚ୍ ରହିଛି।
ଅନ୍ତର୍ଜାତୀୟ ମାନ୍ୟତା
୧୯୮୨ ଜାନୁଆରୀ ୨୭ ତାରିଖରେ ଭାରତ ଓ ଇଂଲଣ୍ଡ ବାରବାଟୀରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ । ଏହା ଥିଲା ଭାରତରେ ଆୟୋଜିତ ତୃତୀୟ ଦିନିକିଆ ମ୍ୟାଚ୍ । ସୁନୀଲ ଗାଭାସ୍କରଙ୍କ ନେତୃତ୍ୱରେ ଭାରତୀୟ ଦଳ ୫ ୱିକେଟରେ ମ୍ୟାଚ ବିଜୟୀ ହୋଇଥିଲା । ଏବେ ସୁଦ୍ଧା ମୋଟ୍ ୨୦ ଥର ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ପାଇଛି ବାରବାଟୀ । ଏଥିରୁ ଭାରତ ୧୮ଟି ମ୍ୟାଚ ଖେଳି ୧୪ଟିରେ ବିଜୟ ହାସଲ କରିଛି ।
୨୦୦୩ରୁ ଦିବାରାତ୍ର ଭେନ୍ୟୁ ମାନ୍ୟତା
ବିସିସିଆଇ ସହାୟତାରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ୨୦୦୩ରେ ବାରବାଟୀ ଷ୍ଟାଡିୟମ୍କୁ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା କରିଥିଲା । ସେହିବର୍ଷ ନଭେମ୍ୱର ୬ ତାରିଖରେ ଏଠାରେ ପ୍ରଥମ ଫ୍ଲଡ୍ ଲାଇଟ୍ରେ ମ୍ୟାଚ ଖେଳାଯାଇଥିଲା । ଏଥିରେ ଭାରତ ୪ ୱିକେଟରେ ପରାଜିତ ହୋଇଥିଲେ ବି ଘରୋଇ ଦର୍ଶକ ପ୍ରଥମ ଥର ଲାଗି ଫ୍ଲଡ୍ ଲାଇଟ୍ରେ ଦିବାରାତ୍ର ମ୍ୟାଚ ଦେଖିବାକୁ ସୁଯୋଗ ପାଇଥିଲେ।
ମହିଳା ବିଶ୍ୱକପ୍
୨୦୧୩ରେ ମହିଳା ବିଶ୍ୱକପ୍ର ୮ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଏଠାରେ ଖେଳାଯାଇଥିଲା । ଭାରତ ବ୍ୟତୀତ ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ଦଳ ପରସ୍ପରକୁ ଭେଟିଥିଲେ । ବମ୍ବେରେ ପାକିସ୍ତାନ ଦଳକୁ ବିରୋଧ କରାଯିବାରୁ ଏହି ମ୍ୟାଚ ଗୁଡ଼ିକ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବାରବାଟୀରେ ପ୍ରଥମ ମହିଳା କ୍ରିକେଟ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୯୮୫ ମସିହା ମାର୍ଚ୍ଚ ୭ରୁ ୧୦ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା । ଫେବ୍ରୁଆରୀ ୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚରେ ହଠାତ ଫ୍ଲଡ୍ଲାଇଟ ଲିଭି ଯିବା ପ୍ରସଙ୍ଗକୁ ନେଇ ଓସିଏକୁ ବହୁ ଅପଦସ୍ତ ହେବାକୁ ପଡ଼ିଥିଲା । ଭାରତୀୟ ଇନିଂସ ସମୟରେ ସନ୍ଧ୍ୟା ୬ଟା ୧୫ ମିନିଟ ବେଳକୁ ଫ୍ଲଡଲାଇଟ୍ ବନ୍ଦ ହୋଇଯାଇଥିଲା । ଖେଳ ୩୦ ମିନିଟରୁ ଊଦ୍ଧ୍ୱର୍ ସମୟ ଧରି ବନ୍ଦ ରହିଥିଲା । ଜେନେରେଟର ଫେଲ ମାରିବାରୁ ଏଭଳି ସମସ୍ୟ ଦେଖା ଦେଇଥିଲା । ଯାହାବି ହେଉ, ଜେନେରେଟର ପୁନଃ ସଂଯୋଗ ହେବା ପରେ ଖେଳ ପୁଣି ଆରମ୍ଭ ହୋଇଥିଲା । କିନ୍ତୁ ଷ୍ଟାଡିୟମରେ ଉପସ୍ଥିତ ୪୫ ହଜାରରୁ ଊଦ୍ଧ୍ୱର୍ ଦର୍ଶକ ଫ୍ଲଡଲାଇଟ ସମସ୍ୟା ଯୋଗୁ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ । ଏଥର ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟିରେ ଯେମିତି ପୂର୍ବ ସମସ୍ୟା ଦେଖା ନଯାଏ, ସେନେଇ ଓସିଏ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ପ୍ରଥମ ଟି-ଟ୍ୱେଣ୍ଟି
୨୦୧୫ ଅକ୍ଟୋବର ୫ ତାରିଖ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ର ଗୋଟିଏ ମ୍ୟାଚ ବାରବାଟୀକୁ ମିଳିଥିଲା । ପ୍ରଥମ ଥର ପାଇଁ ବାରବାଟୀରେ ଅନ୍ତର୍ଜାତୀୟ ଟିଟ୍ୱେଣ୍ଟିର ଆକର୍ଷଣ ଦେଖିବାକୁ ମିଳିଥିଲା । ଯଦିଓ ପୂର୍ବରୁ ଆଇପିଏଲ୍ ଖେଳାଯାଇଥିଲା, କିନ୍ତୁ ଅନ୍ତର୍ଜାତୀୟ ଦିନିକିଆର ମାହୋଲ୍ ବେଶ୍ ନିଆରା ଥିଲା । କିନ୍ତୁ ଏଥିରେ ଭାରତର ପରାଜୟ ହୋଇଥିଲା । ଦୁର୍ବଳ ବ୍ୟାଟିଂ ଯୋଗୁଁ ଭ୍ରମଣକାରୀ ବିଦେଶୀ ଦଳ ୬ ୱିକେଟରେ ମ୍ୟାଚ୍ କବ୍ଜା କରିନେଇଥିଲା । ଭାରତ ମାତ୍ର ୯୨ ରନ୍ରେ ଅଲ୍ଆଉଟ୍ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୭.୧ ଓଭରରେ ବିଜୟୀ ହୋଇଥିଲା।
୨ ବିଶ୍ୱକପ୍ ମ୍ୟାଚ୍
ବାରବାଟୀରେ ୨ଟି ଦିନିକିଆ ବିଶ୍ୱକପ୍ ମ୍ୟାଚ ଖେଳାଯାଇଛି । ୧୯୮୭ରେ ଅଷ୍ଟ୍ରେଲିଆ ବନାମ ଜିମ୍ବାୱେ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ ୭୦ ରନ୍ରେ ବିଜୟୀ ହୋଇଥିଲା । ସେହିପରି ୧୯୯୬ ବିଶ୍ୱକପ୍ରେ କେନିଆକୁ ଭେଟିଥିଲା ଭାରତ । ଘରୋଇ ଦଳ ଚମତ୍କାର ପ୍ରଦର୍ଶନ କରି ୭ ୱିକେଟରେ ବିଜୟୀ ହୋଇଥିଲା ।