କଟକ,୧୮/୧୧: ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ବାରବାଟୀ ଷ୍ଟାଡିୟମ୍ ଖେଳାଯିବ । ଏଥିଲାଗି ଆସନ୍ତା ଡିସେମ୍ବର ୫ ତାରିଖରୁ କାଉଣ୍ଟର ଟିକେଟ ବିକ୍ରି ଆରମ୍ଭ ହେବ । ଏହା ପୂର୍ବରୁ ଡିସେମ୍ବର ୩ ଓ ୪ତାରିଖରେ ଆୟୋଜକ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ଅନୁବନ୍ଧିତ ୟୁନିଟ୍‌ମାନଙ୍କୁ ଟିକେଟ ବିକ୍ରି କରାଯିବ । ଡିସେମ୍ବର ୧ତାରିଖରୁ ଅନ୍‌ଲାଇନ୍ ଟିକେଟ ବିକ୍ରି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

ଗତ ଫେବ୍ରୁଆରୀ ୯ ତାରିଖରେ ବାରବାଟୀରେ ମ୍ୟାଚ୍ ସମୟରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ଏଡ଼ାଇବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଭାରତ-ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ମ୍ୟାଚ୍ ବେଳେ ଫ୍ଲଡ୍ଲାଇଟ୍ ଲିଭିଯିବା ଯୋଗୁ ମ୍ୟାଚ୍ ପ୍ରାୟ ଅଧଘଣ୍ଟା ବନ୍ଦ ରହିଥିଲା । ଡିଜି ସେଟ୍ ଅଚଳ ହେବା ଏବଂ ବିକଳ୍ପ ଡିଜି ସେଟ୍ ଉପଲବ୍ଧ ନଥିବା ଯୋଗୁ ଏହି ସମସ୍ୟା ଉପୁଜି ଥିଲା । ଓଡ଼ିଶା କ୍ରିକେଟ ଆସୋସିଏସନ୍ ବିଶ୍ୱ ଦରବାରରେ ନିନ୍ଦା ମୁଣ୍ଡାଇଥିଲା । ଏହା ପୂର୍ବରୁ କାଉଣ୍ଟର ଟିକେଟ ବିକ୍ରି ବେଳେ କ୍ରିକେଟପ୍ରେମୀ ଦଳାଚକଟା ହୋଇଥିଲେ । ଏଭଳି ସମସ୍ୟାର କିପରି ପୁନରାବୃତ୍ତି ନହେବ ସେ ଦିଗରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।

ଜିଲ୍ଲାପାଳ ଶ୍ରୀ ସିନ୍ଦେ କହିଛନ୍ତି ଯେ, ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ କିପରି ନଘଟିବ ସେଥିପାଇଁ ପ୍ରାକ୍ପ୍ରସ୍ତୁତି ଗ୍ରହଣ କରାଯିବ । ଦର୍ଶକଙ୍କ ନିମନ୍ତେ ଖାଦ୍ୟ, ମେଡିକାଲ ସୁବିଧା ସହିତ ପରିମଳ ଉପରେ ଗୁରୁତ୍ୱ ଦିଆଯିବ । ଟିକେଟ କାଉଣ୍ଟର ପ୍ରବେଶ ଓ ପ୍ରସ୍ଥାନ ପଥରେ ସୁରକ୍ଷା କଡ଼ାକଡ଼ି କରାଯିବ । ଟିକେଟ କିଣିବାକୁ ଆସୁଥିବା ଲୋକଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯିବ । ମୁଖ୍ୟତଃ ପିଇବା ପାଣିର ବ୍ୟବସ୍ଥା ହେବ । ଗତ ମ୍ୟାଚ୍ ସମୟରେ ଯେପରି ବିଦ୍ୟୁତ ସମସ୍ୟା ହୋଇଥିଲା ତାକୁ ନଜରରେ ରଖି ପାୱାର୍ ବ୍ୟାକ୍ଅପ୍ ଓ ଅଧିକ ଡିଜି ସେଟ୍ ମହଜୁଦ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ଦର୍ଶକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଚଳିତଥର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଯାହାଦ୍ୱାରା ସେମାନେ ସୁରୁଖୁରୁରେ ଗ୍ୟାଲେରୀକୁ ଯାଇପାରିବେ । ଟିକେଟ ପାଇଁ ପୂର୍ବ ରାତିରୁ ଧାଡ଼ିରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯିବ । ଚଳିତଥର ବାଉଁଶ ବ୍ୟାରିକେଡ୍ ନୁହେଁ ବରଂ ଲୁହା ବ୍ୟାରିକେଡ୍ ବନ୍ଧା ହେବ । ଆଗାମୀ ମ୍ୟାଚରେ କୌଣସି ବିଶୃଙ୍ଖଳା କିପରି ନହେବ ସେଥିପାଇଁ ଉଦ୍ୟମ କରାଯାଉଛି ।

ଚଉଡ଼ା ହେଉଛି ଗ୍ୟାଲେରି ସିଟ୍ ,କମିପାରେ ଟିକେଟ ସଂଖ୍ୟ

ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏଥର ଆୟୋଜକ ଓସିଏ ପକ୍ଷରୁ ଷ୍ଟାଡିୟମ୍ ଗ୍ୟାଲେରୀ କାମ କରାଯାଉଛି । ୭ଟି ଯାକ ଗ୍ୟାଲେରୀର ସିଟ୍କୁ ଚଉଡ଼ା କରାଯାଉଛି । ୧୯ ଇଞ୍ଚ୍ ବିଶିଷ୍ଟ ସିମେଣ୍ଟ ସିଟ୍ ଗୁଡିକୁ ୨୨ ଇଞ୍ଚ୍ କରାଯାଉଛି । ଗ୍ୟାଲେରୀ ନଂ-୫ ଏବଂ ଗ୍ୟାଲେରୀ ନଂ-୬ରେ ଏହି ନିର୍ମାଣ କାମ ଶେଷ ହୋଇଥିବା ବେଳେ ଅବଶିଷ୍ଟ ଗ୍ୟାଲେରୀ ଗୁଡିକର ନବୀକରଣ କାର୍ଯ୍ୟ ଜାରି ରହିଛି । ଦର୍ଶକ କିଭଳି ସୁବିଧାରେ ବସି ମ୍ୟାଚ୍ ଉପଭୋଗ କରିପାରିବେ ସେ ନେଇ ଏଭଳି ପଦକ୍ଷେପ ହାତକୁ ନିଆଯାଇଥିବା ଓସିଏ ତରଫରୁ କୁହାଯାଇଛି । ଯେହେତୁ ସିଟ୍ କାମ ସରିନି ତେଣୁ ମୋଟ୍ କେତେ ସଂଖ୍ୟକ ଟିକେଟ ଏଥର ଛପାଯିବ ତାହା ମଧ୍ୟ ଚୂଡ଼ାନ୍ତ ହୋଇପାରିନାହିଁ । ନବୀକରଣ ପ୍ରକ୍ରିୟାରେ ଗ୍ୟାଲେରୀର ସମସ୍ତ ସିଟ୍‌କୁ ଚଉଡ଼ା କରାଯାଇ ପ୍ରଥମେ ନମ୍ବରିଂ କରାଯିବ । ଏହାପରେ ସମୁଦାୟ ଟିକେଟ ସଂଖ୍ୟା ଜଣାପଡ଼ିବ ।

ପ୍ରକାଶଯୋଗ୍ୟ, ବାରବାଟୀରେ ପ୍ରାୟ ୪୫ହଜାର ଦର୍ଶକ ଏକସଙ୍ଗେ ମ୍ୟାଚ୍ ଦେଖତ୍ପାରୁଥିଲେ । ସିଟ୍ ଗୁଡିକ ଚଉଡ଼ା କରାଯିବା ପରେ ଏହି ସଂଖ୍ୟା ୩ରୁ ୪ହଜାର ହ୍ରାସ ପାଇବାର ଆଶଙ୍କା ରହିଛି