ନୂଆଦିଲ୍ଲୀ,୦୩/୦୧; ଆସନ୍ତା ମାସରେ ଟି-ଟ୍ୱେଣ୍ଟି ବିଶ୍ୱକପ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଦିନିକିଆ ଓ ୫ଟି ଟ୍ୱେଣ୍ଟି ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ । ଜାନୁଆରୀ ୧୧ରୁ ଆରମ୍ଭ ହେବ ଦିନିକିଆ ସିରିଜ । ଏ ନେଇ ଆଜି ଭାରତୀୟ ଦଳ ଘୋଷଣା ହେବ । କାହାକୁ ଟିମରେ ଚାନ୍ସ ମିଳିବ ତାହା ଉପରେ ନଜର ରହିଛି । ତେବେ ମହମ୍ମଦ ସାମି କମବ୍ୟାକ କରିବା ଚର୍ଚ୍ଚା ହେଉଛି । ଏହା ସହିତ ସର୍ଫରାଜ ଏବଂ ଇଶାନ କିସନଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ରିଷବ ପନ୍ତଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ସୁଯୋଗ ଦେଇ ୟୁ-ଟର୍ଣ୍ଣ ନେଇପାରନ୍ତି ବିସିସିଆଇ ଚୟନକର୍ତ୍ତା ।

​​​​​​​ସର୍ଫରାଜ-ସାମିଙ୍କୁ ମିଳିପାରେ ସୁଯୋଗ- ବିଜୟ ହଜାରେ ଟ୍ରଫିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାଉଣ୍ଡ ଖେଳାଯିବ । ଏହି ରାଉଣ୍ଡରେ ଭାରତୀୟ ଦଳର ଅନେକ ଖେଳାଳି ଖେଳିବେ । ଯାହା ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରଜ୍ ପୂର୍ବରୁ ଏହି ଖେଳାଳିଙ୍କ ପ୍ରଦର୍ଶନ ଶେଷଥର ଦେଖିବା ପୂର୍ବରୁ ଦଳ ଚୟନ କରାଯିବ ବୋଲି ଆଶା କରାଯାଉଛି । ଏହାର ଅର୍ଥଆଜି ଅପରାହ୍ନରେ ଭାରତୀୟ ଦିନିକିଆ ଦଳ ଘୋଷଣା ହେବାର ସମ୍ଭାବନା ରହିଛି । ଜାନୁଆରୀ ୧୧ରୁ ସିରିଜ ଆରମ୍ଭ ହେବ । ଜାନୁଆରୀ ୭ ସୁଦ୍ଧା ସମସ୍ତ ଖେଳାଳି ବରୋଦାରେ ପହଞ୍ଚିବେ । ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍ ପଡିଥିବା ଶୁବମନ ଗିଲ ଦଳର ନେତୃତ୍ୱ ନେବାକୁ ଫେରିବେ । ତାଙ୍କ ସହ ଉପଅଧିନାୟକ ଶ୍ରେୟାସ ଆୟର ଫେରିବା ସମ୍ଭାବନା ରହିଛି । ୩୫ ବର୍ଷୀୟ ମହମ୍ମଦ ସାମିଙ୍କର କମବ୍ୟାକ ହୋଇପାରେ । ସର୍ଫରାଜଙ୍କୁ ସୁଯୋଗ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସର୍ଫରାଜ ୨୦୨୪ ମସିହାରେ ୱାଙ୍ଖେଡେ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେହି ମ୍ୟାଚ୍‌ରେ ତାଙ୍କର ଭଲ ପ୍ରଦର୍ଶନ କରିନଥିଲା । ଏବେ ବିଜୟ ହଜାରେ ଟ୍ରଫିରେ ଫୁଲ୍ ଫର୍ମରେ ଅଛନ୍ତି ।  ଗୋଆ ବିପକ୍ଷରେ ୭୫ ବଲ୍‌ରେ (୯ ଚୌକା, ୧୪ ଛକା) ୧୫୭ ରନ୍‌ର ଏକ ଧୂଆଁଧାର ଇନିଂସ ଖେଳିଥିଲେ । ​​​​​​​

ପନ୍ତଙ୍କ ଉପରେ ଝୁଲୁଛି ଖଣ୍ଡା- ପ୍ରତିଭାଶାଳୀ ରିଷଭ ପନ୍ତ ଆହତ ପରେ ଖେଳରେ ଭଲ କମବ୍ୟାକ କରିପାରିନାହାନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ବିଜୟ ହଜାରେ ଟ୍ରଫିରେ ବି ତାଙ୍କ ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ଖୁସି କରିବା ପରି ନାହିଁ । ଯଦି ପନ୍ତ ଆଉ ଏକ ସୁଯୋଗ ପାଆନ୍ତି, ତେବେ ତାଙ୍କୁ ନିଜକୁ ପୁଣି ଥରେ ପ୍ରମାଣ କରିବାକୁ ପଡିବ । ଗତ ୭-୮ ବର୍ଷ ମଧ୍ୟରେ, ପନ୍ତଙ୍କ ଭଳି ପ୍ରତିଭାବାନ ୱିକେଟକିପର-ବ୍ୟାଟସମ୍ୟାନ ମାତ୍ର ୩୧ଟି ଦିନିକିଆ ଖେଳିଛନ୍ତି, ଯେଉଁଥିରେ ତାଙ୍କ ନାମରେ ୩୫.୫ ହାରରେ ୧ ଶତକ ଏବଂ ୫ଟି ଅର୍ଦ୍ଧଶତକ ଅଛି ।

ପୁଣି ଦେଖିବାକୁ ମିଳିବ ରୋ-କୋ ଝଡ଼- ଟି-ଟ୍ୱେଣ୍ଟି ଏବଂ ଟେଷ୍ଟରୁ ଅବସର ନେଇଥିବା ବିରାଟ କୋହଲି ଏବଂ ରୋହିତ ଶର୍ମା କେବଳ ଦିନିକିଆ ଖେଳୁଛନ୍ତି । ଦକ୍ଷିଣ ଆଫ୍ରିକା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା ରୋ-କୋ ।  ବିରାଟ କୋହଲିଙ୍କ ୮୪ତମ ଶତକ ଆଗରେ ଫ୍ୟାନ୍ସଙ୍କ ନଜର ରହିବ । ଅଷ୍ଟ୍ରେଲିଆରେ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଥିବା ରୋହିତ ଶର୍ମା ବିସ୍ଫୋରକ ପାଳି ଖେଳିବେ ବୋଲି ଆଶା କରାଯାଉଛି ।