ନୂଆଦିଲ୍ଲୀ,୧୬/୦୧: ୨୦୨୬ ସୁଦ୍ଧା  ଭାରତ ପାଲଟିବ ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥବ୍ୟବସ୍ଥା  । ଜାପାନକୁ ଟପି ଭାରତ ଏ  ସଫଳତା ହାସଲ କରିବ ବୋଲି ଶିଳ୍ପସଂଘ  ପିଏଚ୍‌ଡିସିସିଆଇ ପକ୍ଷରୁ ବୁଧବାର ଜାରି  ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  

ଚଳିତ ଆର୍ଥିକବର୍ଷ ଅର୍ଥାତ୍‌ ୨୦୨୪- ୨୫ରେ ଦେଶର ମୋଟ ଘରୋଇ  ଉତ୍ପାଦ(ଜିଡିପି) ୬.୮% ବଢ଼ିବ ବୋଲି  ଏହା ଆକଳନ କରିଛି । ସେହିଭଳି  ୨୦୨୫-୨୬ ଆର୍ଥିକବର୍ଷରେ ଦେଶର  ଅର୍ଥନୈତିକ ଅଭିବୃଦ୍ଧି ୭.୭% ରହିବ  ବୋଲି ପିଏଚ୍‌ଡିସିସିଆଇ ପୂର୍ବାନୁମାନ  କରିଛି ।

ପିଏଚ୍‌ଡି ଚାମ୍ବର ଅଫ୍‌ କମର୍ସ  ଆଣ୍ଡ୍‌ ଇଣ୍ଡଷ୍ଟ୍ରିର ସଭାପତି ହେମନ୍ତ ଜୈନ  କହିଛନ୍ତି ଯେ, ଗତ ୩ ବର୍ଷ ଧରି ଭାରତୀୟ  ଅର୍ଥନୀତି ସ୍ଥିର ଭାବେ ବଢୁଛି । ୨୦୨୬  ସୁଦ୍ଧା ଜାପାନକୁ ଟପି ଏହା ବିଶ୍ୱର ଚତୁର୍ଥ  ବୃହତ୍‌ ଅର୍ଥବ୍ୟବସ୍ଥା ପାଲଟିବ । ଆଗକୁ ବଜେଟ୍‌ ଥିବାବେଳେ ପିଏଚ୍‌ଡିସିସିଆଇ ପକ୍ଷରୁ କୁହାଯାଇଛି  ଯେ, ବର୍ତ୍ତମାନ ୧୫ ଲକ୍ଷ ଟଙ୍କାରୁ ଅଧିକ  ବାର୍ଷିକ ଆୟ ଉପରେ ସର୍ବୋଚ୍ଚ ଆୟକର  ସ୍ଲାବ ୩୦% ଲାଗୁଛି । ଏଥିରେ ସଂଶୋଧନ  ଲୋଡ଼ା । ବାର୍ଷିକ ୪୦ ଲକ୍ଷ ଟଙ୍କାରୁ ଅଧିକ  ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ  ହିଁ ସର୍ବୋଚ୍ଚ ସ୍ଲାବ୍‌ ଲାଗିବା ଉଚିତ ।  ମଧ୍ୟବିତ୍ତ ଆୟକାରୀଙ୍କ ଉପରେ ସର୍ବୋଚ୍ଚ  ଟିକସ ସ୍ଲାବ୍‌ ଲଦାଯିବା ଉଚିତ ନୁହେଁ ।  ଅନ୍ୟପକ୍ଷରେ, ସର୍ବୋଚ୍ଚ ଆୟକର ହାର  ୨୫%ରୁ ଅଧିକ ହେବା ଉଚିତ ନୁହେଁ  ବୋଲି ଏହା ପ୍ରକାଶ କରିଛି ।  

ଅନ୍ୟପକ୍ଷରେ, ଶିଳ୍ପସଂଘ ପକ୍ଷରୁ  ଆୟ କର ଛାଡ଼ ସୀମାକୁ ୧୦ ଲକ୍ଷ ଟଙ୍କାକୁ  ବଢ଼ାଇବା ପାଇଁ ପରାମର୍ଶ ଦିଆଯାଇଛି ।  ଲୋକଙ୍କ ହାତକୁ ଟଙ୍କା ଆସିଲେ ସେମାନେ  ଖର୍ଚ୍ଚ କରିବେ ଏବଂ ଅର୍ଥନୀତିରେ ଚାହିଦା  ବଢ଼ିବ ଓ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ  ବୋଲି ଏହା ମତ ଦେଇଛି । 

ଆସନ୍ତା ମାସ ଭାରତୀୟ ରିଜର୍ଭ  ବ୍ୟାଙ୍କ(ଆର୍‌ବିଆଇ)ର ମୁଦ୍ରାନୀତି  ସମୀକ୍ଷା ବୈଠକ ଥିବାବେଳେ ଏଥିରେ  ସର୍ବୋଚ୍ଚ ବ୍ୟାଙ୍କ ଏହାର ପ୍ରମୁଖ ସୁଧ  ହାରରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ  କରିପାରେ ବୋଲି ପିଏଚ୍‌ଡିସିସିଆଇ  ଅନୁମାନ କରିଛି । ବର୍ତ୍ତମାନ ଖାଉଟି ମୂଲ୍ୟସୂଚୀଭିତ୍ତିକ  ମୁଦ୍ରାସ୍ଫୀତିରେ ସୁଧାର ଆସିଛି । ଏହାକୁ  ଆଖି ଆଗରେ ରଖି ରିଜର୍ଭ ବ୍ୟାଙ୍କ  ରେପୋରେଟ୍‌ରେ ୨୫ ବେସିସ୍‌  ପଏଣ୍ଟ ହ୍ରାସ କରିବା ଦରକାର ବୋଲି  ପିଏଚ୍‌ଡିସିସିଆଇର ଉପ ମହାସଚିବ  ଏସ୍‌. ପି. ଶର୍ମା ପ୍ରକାଶ କରିଛନ୍ତି ।  

ବିଶ୍ୱ ବଜାରରେ ବିଭିନ୍ନ ପ୍ରକାର  ଅନିଶ୍ଚିତତା ସତ୍ତେ୍ୱ ଭାରତୀୟ  ଅର୍ଥବ୍ୟବସ୍ଥା ଦୃଢ଼ତା ଦେଖାଇଥିବା  ସଂଘ ପକ୍ଷରୁ କୁହାଯାଇଛି । ଭାରତର ମାକ୍ରୋ-ଅର୍ଥନୈତିକ ମୂଳଦୁଆ ମଜଭୁତ  ରହିଛି ଏବଂ ସରକାରଙ୍କ ସକ୍ରିୟ ସଂସ୍କାର  ଫଳରେ ଭାରତୀୟ ଅର୍ଥବ୍ୟବସ୍ଥା  ଉଲ୍ଲେଖନୀୟ ଅଗ୍ରଗତି ଦେଖାଇଛି ବୋଲି  ପିଏଚ୍‌ଡିସିସିଆଇ ପକ୍ଷରୁ କୁହାଯାଇଛି ।  ତେବେ ଚଳିତ ଆର୍ଥିକବର୍ଷ ମୁଦ୍ରାସ୍ଫୀତି  ୪.୫% ପାଖାପାଖି ରହିବ ବୋଲି ଏହା  ଆକଳନ କରିଛି । 

ଭାରତ କୃଷି ଏବଂ ଖାଦ୍ୟ  ପ୍ରକ୍ରିୟାକରଣ, ଫିନ୍‌ଟେକ୍‌,  ସେମିକଣ୍ଡକ୍ଟର, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟ  ଏବଂ ବୀମା ଆଦି କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନକେନ୍ଦ୍ରିତ କରିବା ଦରକାର ବୋଲି  ଶିଳ୍ପସଂଘ ପରାମର୍ଶ ଦେଇଛି । ୫ ସୂତ୍ରୀ  ରଣନୀତି ଯଥା ପୁଞ୍ଜି ବ୍ୟୟ, ପରିବର୍ଦ୍ଧିତ  ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ୍‌, ଡୁଇଙ୍ଗ୍‌  ବିଜ୍‌ନେସ୍‌ ଖର୍ଚ୍ଚ ହ୍ରାସ, ଶ୍ରମଭିତ୍ତିକ  ବିମିର୍ମାଣ କ୍ଷେତ୍ର ଉପରେ ଫୋକସ୍‌ ଏବଂ  ବିଶ୍ୱ ମୂଲ୍ୟ ଶୃଙ୍ଖଳର ଇଣ୍ଟିଗ୍ରେସନ୍‌ ଉପରେ  କାର୍ଯ୍ୟ କରିବା ଉଚିତ ବୋଲି ଏହା କହିଛି ।