ନୂଆଦିଲ୍ଲୀ,୨୭/୦୩: ଭାରତୀୟ ଅର୍ଥବ୍ୟବସ୍ଥା ଗତ ୧୦ ବର୍ଷରେ ଦୁଇ ଗୁଣା  ହୋଇଛି । ଅର୍ଥବ୍ୟବସ୍ଥାର ଏହି ଅଭିବୃଦ୍ଧି  ସମଗ୍ର ବିଶ୍ୱରେ ଦ୍ରୁତ। ଆଗାମୀ କିଛି ବର୍ଷରେ  ଦେଶ ପାଲଟିବ ବିଶ୍ୱର ତୃତୀୟ ବୃହତ୍ତ  ଅର୍ଥନୀତି । ଅର୍ଥନୀତି ଉପରେ କୋଭିଡ୍‌  ମହାମାରୀର କଳାବାଦଲ ସତ୍ତେ୍ୱ ମଧ୍ୟ ଭାରତର  ଅଭିବୃଦ୍ଧି ଧାରା ଅବିରତ । ଅନ୍ତର୍ଜାତୀୟ ମୁଦ୍ରା  ପାଣ୍ଠି(ଆଇଏମ୍‌ଏଫ୍‌)ର ତଥ୍ୟ ଅନୁସାରେ,  ଭାରତର ଜିଡିପି ଗତ ଦଶକରେ ୧୦୫%  ବଢ଼ିଛି । ବର୍ତ୍ତମାନ ଦେଶର ଜିଡିପି ରହିଛି  ୪.୩ ଟ୍ରିଲିୟନ ଡଲାର, ଯାହାକି ୨୦୧୫ରେ  ଥିଲା ୨.୧ ଟ୍ରିଲିୟନ ଡଲାର । 

୧୦ତମ ସ୍ଥାନରୁ ଦେଶ ୫ମ ସ୍ଥାନକୁ ଲମ୍ପା ଲମ୍ପ  ମାରିଛି । ଭାରତର ଜିଡିପି ଅଭିବୃଦ୍ଧି ହାର ଏହିଭଳି  ରହିଲେ ପ୍ରତି ଦେଢ଼ ବର୍ଷରେ ଅର୍ଥନୀତି ୧ ଟ୍ରିଲିୟନ  ଡଲାର ବଢ଼ିବ । ଫଳରେ ୨୦୩୨ ସୁଦ୍ଧା ଭାରତ  ୧୦ ଟ୍ରିଲିୟନ ଡଲାରର ଅର୍ଥନୀତି ପାଲଟିପାରିବ ।

ଆଇଏମ୍‌ଏଫ୍‌ ଅନୁସାରେ, ୨୦୨୫  ତୃତୀୟ ତ୍ରୟମାସ ସୁଦ୍ଧା ଭାରତୀୟ ଅର୍ଥନୀତି  ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥବ୍ୟବସ୍ଥା ପାଲଟିବ । ଜାପାନର ଜିଡିପି ଏବେ  ୪.୪ ଟ୍ରିଲିୟନ ଡଲାର ରହିଛି । ବର୍ତ୍ତମାନର ଅଭିବୃଦ୍ଧି  ଧାରା ଜାରି ରହିଲେ ୨୦୨୭ର ଦ୍ୱିତୀୟ ତ୍ରୟମାସ ସୁଦ୍ଧା  ଭାରତ ଜର୍ମାନିକୁ ପଛରେ ପକାଇଦେବ । ଜର୍ମାନିର  ଜିଡିପି ବର୍ତ୍ତମାନ ୪.୯ ଟ୍ରିଲିୟନ ଡଲାର ରହିଛି ।

ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ  ଭାରତର ଜିଡିପି ୧୦ ବର୍ଷରେ ଦୁଇଗୁଣା ହୋଇଛି ।  ଏବେ ଏହା ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି  ପାଲଟିବାକୁ ଯାଉଛି । ଚୀନ୍‌, ଆମେରିକା, ଜର୍ମାନୀ,  ଫ୍ରାନ୍ସ ଏବଂ ୟୁକେ ଭଳି ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ  ଅର୍ଥବ୍ୟବସ୍ଥାଗୁଡ଼ିକୁ ପଛରେ ପକାଇ ଭାରତ ଭଲ  ପ୍ରଦର୍ଶନ କରିଛି । ଅର୍ଥନୀତିର ଆକାର ହିସାବରେ  ଶୀର୍ଷ ଦୁଇ ସ୍ଥାନରେ ଆମେରିକା ଏବଂ ଚୀନ୍‌  ରହିଛନ୍ତି । ଆମେରିକା ଅର୍ଥନୀତିର ଆକାର ୩୦.୩  ଟ୍ରିଲିୟନ ଡଲାର ଥିବାବେଳେ ଚୀନ୍‌ ଅର୍ଥନୀତିର  ଆକାର ୧୯.୫ ଟ୍ରିଲିୟନ ଡଲାର ରହିଛି । କିନ୍ତୁ  ଋଣ ମାମଲାରେ ଭାରତ ଉଭୟ ଦେଶଙ୍କଠାରୁ  ମଜଭୁତ ସ୍ଥିତିରେ ଅଛି ।  ୨୦୨୫ ମାର୍ଚ୍ଚ ସୁଦ୍ଧା ଆମେରିକାର ଋଣ  ୩୬.୨୨ ଟ୍ରିଲିୟନ ଡଲାର ରହିଛି । ସେହିଭଳି  ଚୀନ୍‌ର ଋଣ ୨.୫୨ ଟ୍ରିଲିୟନ ଡଲାର ରହିଛି ।  ଅନ୍ୟପକ୍ଷରେ, ଭାରତ ଉପରେ ୭୧୨ ବିଲିୟନ  ଡଲାରର ଋଣ ରହିଥିବା ଜଣାପଡ଼ିଛି ।  

ଆଇଏମ୍‌ଏଫ୍‌ର ଅନୁମାନ ଅନୁସାରେ,  ୨୦୨୫ ଏବଂ ୨୦୨୬ରେ ଭାରତୀୟ ଅର୍ଥବ୍ୟବସ୍ଥା  ୬.୫% ହାରରେ ବଢ଼ିପାରେ । ସେହିଭଳି ଆଲୋଚ୍ୟ ସମୟରେ ଆମେରିକା ଯଥାକ୍ରମେ  ୨.୭% ଏବଂ ୨.୧% ହାରରେ ବଢ଼ିବ । ଚୀନ  ଉଭୟ ବର୍ଷରେ ଯଥାକ୍ରମେ ୪.୬% ଏବଂ ୪.୫% ହାରରେ ବଢ଼ିପାରେ ।  

ସୂଚନାଯୋଗ୍ୟ, ୨୦୦୭ରେ ଭାରତୀୟ  ଅର୍ଥନୀତିର ଆକାର ୧ ଟ୍ରିଲିୟନ ଡଲାର  ହୋଇଥିଲା । ଏଥିପାଇଁ ଅର୍ଥନୀତିକୁ ଲାଗିଥିଲା  ୬୦ ବର୍ଷ ସମୟ । ସେହିଭଳି ୨୦୧୪ରେ ଭାରତର ଜିଡିପି ୨ ଟ୍ରିଲିୟନ  ଡଲାରରେ ପହଞ୍ଚିଲା । ଏଥିପାଇଁ ୭ ବର୍ଷ ସମୟ  ଲାଗିଲା । ପରବର୍ତ୍ତୀ ୭ ବର୍ଷ ବା ୨୦୨୧ରେ ଭାରତୀୟ  ଅର୍ଥନୀତି ୩ ଟ୍ରିଲିୟନ ଡଲାର ହେଲା । ୨୦୨୫ରେ ଏହା  ୪ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଛି । 

ଏସ୍‌ବିଆଇ ରିସର୍ଚ୍ଚ ରିପୋର୍ଟ ମୁତାବକ, ସରକାର  ଲୋକଙ୍କ ଜୀବନ ଧାରଣ ମାନ ଉନ୍ନତୀକରଣ ସହ ଡିବିଟି  ଜରିଆରେ ବାଟମାରଣାକୁ ରୋକିବାକୁ ସକ୍ଷମ ହୋଇଛନ୍ତି ।  ୨୦୨୪-୨୫ରେ ବର୍ତ୍ତମାନର ମୂଲ୍ୟରେ ଦେଶର  ମୁଣ୍ଡପିଛା ଜିଡିପି ୨.୩୫ ଲକ୍ଷ ଟଙ୍କା । ଦଶନ୍ଧିରେ ଅଭିବୃଦ୍ଧି  ୯.୧% । ସ୍ଥାୟୀ ମୂଲ୍ୟ ଅନୁସାରେ ମୁଣ୍ଡ ପିଛା ଜିଡିପି  ୧.୩୩ ଲକ୍ଷ ଟଙ୍କାକୁ ବଢ଼ିଛି । ଗତ ୨ ଆର୍ଥିକ ବର୍ଷରେ  ମୁଣ୍ଡ ପିଛା ଜିଡିପି ୪୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ବଢ଼ିଛି ।  ୨୦୧୪ ପରଠୁ ମୁଣ୍ଡ ପିଛା ଜିଡିପି ୨.୬ ଗୁଣ ବଢ଼ିଛି । 

ସରକାରଙ୍କ ନୀତିଗତ ପଦକ୍ଷେପ, ସଂସ୍କାର  କାର୍ଯ୍ୟକ୍ରମ, ବିନିର୍ମାଣ କ୍ଷେତ୍ର ଉପରେ ଫୋକସ,  ରପ୍ତାନି, ଡିଜିଟାଇଜେସନ, ଜିଏସ୍‌ଟି ଏବଂ ପୁଞ୍ଜି  ଖର୍ଚ୍ଚରେ ଲଗାତର ବୃଦ୍ଧିରୁ ଅର୍ଥନୀତିର ଗତି  ତ୍ୱରାନ୍ୱିତ ହୋଇଥିବା ବିଶେଷଜ୍ଞ କହିଛନ୍ତି ।  

ବ୍ୟାଙ୍କ ଅଫ୍‌ ବରୋଦାର ଅର୍ଥନୀତିଜ୍ଞ ମଦନ  ସବନାବିସ କୁହନ୍ତି, କୃଷିରେ ସ୍ଥିତାବସ୍ଥା, ଦୃଢ଼ ଶିଳ୍ପ  କ୍ଷେତ୍ର, ଇଜ୍‌ ଅଫ୍‌ ଡୁଇଁ ବିଜ୍‌ନେସ, ଜିଏସ୍‌ଟି,  ଡିଜିଟାଲିକରଣ, ନିୟନ୍ତ୍ରିତ ବିତ୍ତୀୟ ନିୟଣ୍ଟ, ସେବା  କ୍ଷେତ୍ର ଯୋଗଦାନ, ଦୃଢ଼ ବ୍ୟାଙ୍କିଙ୍ଗ ବ୍ୟବସ୍ଥା,  ଏଫ୍‌ଡିଆଇ ଉଦ୍ଧ୍ୱର୍ଗାମୀ ହେବା, ଉପରମୁହାଁ ପୁଞ୍ଜି  ବଜାର ଅର୍ଥନୀତିର ଗତିକୁ ତ୍ୱରାନ୍ୱିତ କରୁଛି ।  

କ୍ରିସିଲ ମୁଖ୍ୟ ଅର୍ଥନୀତିଜ୍ଞ ଧର୍ମକିର୍ତ୍ତୀ ଜୋଶୀ  କୁହନ୍ତି, ଆଖିଦୃଶିଆ ଭିତ୍ତିଭୂମି ବ୍ୟୟ ମହାମାରୀ ପରେ  ଅର୍ଥନୀତିକୁ ଦୃଢ଼ କରିଛି । ଜିଏସ୍‌ଟି ଯୋଗୁ ଟିକସ  ଅନୁପାଳନ ବଢ଼ିଥିବା ବେଳେ ଉଭୟ ରାଜସ୍ୱ ଆଦାୟ  ଏବଂ ବଜେଟ ଖର୍ଚ୍ଚ ବଢ଼ିଛି । ଡିଜିଟାଲ ଭିତ୍ତିଭୂମି ଦୃଢ଼  ହେବାରୁ ଦକ୍ଷ ପେମେଣ୍ଟ ସିଷ୍ଟମ, ତ୍ୱରିତ ଋଣ ଯୋଗାଣ  ଏବଂ ନବସୃଜନକୁ ଉତ୍ସାହିତ କରିଛି । ଡିବିଏସ୍‌  ବ୍ୟାଙ୍କର ଅର୍ଥନୀତିଜ୍ଞ ରାଧିକା ରାଓ କୁହନ୍ତି, ଦେଶର  ରପ୍ତାନି ଉନ୍ନତ ହେବା ଯୋଗୁ ଏହା କରେଣ୍ଟ ଆକାଉଣ୍ଟ  ବାଲାନ୍ସ ସ୍ଥିତିକୁ ସୁଧାରିଛି । ଏ କ୍ଷେତ୍ରରେ ଗ୍ଲୋବାଲ  କାବାବିଲିଟି ସେଣ୍ଟର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।  

୨୦୨୩-୨୪ରେ ଦେଶର ପ୍ରକୃତ ଜିଡିପି  ଅଭିବୃଦ୍ଧି ୯.୨% ଥିଲା ଯାହା ୧୨ ବର୍ଷରେ ସର୍ବାଧିକ ।  ଆର୍ଥିକ ବର୍ଷ ୨୦୨୪-୨୫ର ଦ୍ୱିତୀୟ ତ୍ରୈମାସରେ  ଜିଡିପି ମାନ୍ଦାବସ୍ଥାରୁ ବାହାରିବା ସହ ତୃତୀୟ  ତ୍ରୈମାସରେ ୬.୨% ରହିଛି । ଭାରତ ଏବେ ତୃତୀୟ  ବୃହତ୍ତ ଅର୍ଥନୀତି ହେବା ରାସ୍ତାରେ ଅଗ୍ରସର । ବିଶ୍ୱର  ଅର୍ଥନୈତିକ ଅନିଶ୍ଚିତତା, ଆମେରିକାର ପାଲଟା ଶୁଳ୍କ  ଆହ୍ୱାନ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ଦେଶକୁ ଏହାର  ଅଭିବୃଦ୍ଧି ଅବିରତ ରଖିବାକୁ ହେଲେ ଉଭୟ ବିତ୍ତୀୟ  ଏବଂ ମୁଦ୍ରାନୀତିର ଠିକ୍‌ ପରିଚାଳନା ଲୋଡ଼ା ରହିଛି ।