ନୂଆଦିଲ୍ଲୀ, ୦୨/୦୨ : ଭାରତର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରର ବିକାଶ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ୮ ବଡ଼ ଘୋଷଣା କରିଛନ୍ତି । ବୈଶ୍ୱିକ ଡାଟା ସେଣ୍ଟର ନିବେଶ କ୍ଷେତ୍ରରେ ଭାରତରୁ କ୍ଲାଉଡ୍ ସେବା ପାଉଥିବା ବିଦେଶୀ କମ୍ପାନିଙ୍କୁ ୨୦ ବର୍ଷିଆ ଟିକସ ରିହାତି ଦେବାକୁ ସରକାର ପ୍ରସ୍ତାବ ରଖିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ୮ ବର୍ଷ ଘୋଷଣା ସମ୍ପର୍କରେ ସମ୍ୟକ ସୂଚନା:-

୧- ଭାରତ ସେମିକଣ୍ଡକ୍ଟର ମିଶନ ୨.୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ସେମିକଣ୍ଡକ୍ଟର ମିଶନ (ଆଇଏସ୍ଏମ୍) ୨.୦ ଘୋଷଣା କରିଛନ୍ତି । ଏଥିପାଇଁ ୧୦୦୦ କୋଟିର ବଜେଟ ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ଅଧୀନରେ ଭାରତରେ ଉପକରଣ ଓ ସାମଗ୍ରୀ ଉତ୍ପାଦନ କରାଯିବ ଏବଂ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରାଯିବ । ପ୍ରଯୁକ୍ତି କୌଶଳ ବିକାଶ ଓ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରୁଥିବା ଶିଳ୍ପ ସଂସ୍ଥାଙ୍କୁ ପ୍ରୋତ୍ସାହନ ଦିଆଯିବ । ଆଇଏସ୍ଏମ୍ ୧.୦ରେ ଭାରତରେ ସେମିକଣ୍ଡକ୍ଟର ସେକ୍ଟର ସୁଦୃଢ଼ ହେବା ସହ ଏହାର ପ୍ରସାର ହୋଇଥିଲା । କିନ୍ତୁ ୨.୦ରେ ଭାରତରେ ହିଁ ସେମିକଣ୍ଡକ୍ଟର ଉତ୍ପାଦନ କରାଯିବ ।

୨-ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମାନୁଫାକଚରିଂ ସ୍କିମ ପରିସର ବୃଦ୍ଧି: ୨୦୨୫ ବଜେଟରେ ଦେଶରେ ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମାନୁଫାକଚରିଂ ସ୍କିମର ଶୁଭାରମ୍ଭ କରାଯାଇଥିଲା । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭,୨୨,୯୧୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ଏଥର ବଜେଟରେ ଏହି ଯୋଜନା ଲାଗି ଆହୁରି ଅଧିକ ୪୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

୩-ଆଇଟି ସେବା କମ୍ପାନିଙ୍କୁ ଗୋଟିଏ ବର୍ଗକୁ ଅଣାଯିବ: ସଫ୍ଟୱେର ବିକଶିତ ସେବା କ୍ଷେତ୍ରରେ ଭାରତ ବର୍ତ୍ତମାନ ବିଶ୍ୱରେ ପ୍ରମୁଖ ସ୍ଥାନ ହାସଲ କରିପାରିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଆଗାମୀ ବଜେଟରେ ସବୁ ଆଇଟି ସେବା ପ୍ରଦାନ କରୁଥିବା କମ୍ପାନିଙ୍କୁ ଗୋଟିଏ ବର୍ଗକୁ ଆଣିବେ । ଅର୍ଥାତ ଆଇଟି ଆଧାରିତ ସେବା, ନଲେଜ ପ୍ରୋସେସ ଆଉଟସୋର୍ସିଂ ସେବା ଏବଂ କଣ୍ଟ୍ରାକ୍ଟ ଆର ଆଣ୍ଡ ଡି ସେବା ଆଦି ପରସ୍ପର ସହ ସଂଶ୍ଳିଷ୍ଟ ଥିବାରୁ ଏମାନଙ୍କ ସେବାକୁ ଗୋଟିଏ ବର୍ଗକୁ ଅଣାଯିବ । ଯାହାର ନାମ ରଖାଯିବ ଇନଫର୍ମେସନ ଟେକ୍ନୋଲୋଜି ସର୍ଭିସେସ୍ ବା ସୂଚନା ପ୍ରଯୁକ୍ତି ସେବା ।

୪-ଆଇଟି କମ୍ପାନିଙ୍କ ପାଇଁ ସେଫ ହାର୍ବର ପ୍ରୋଭିଜନ: ଭାରତର ବିକାଶ ଇଞ୍ଜିନ ଭାବେ ପରିଚିତ ଆଇଟି ସେକ୍ଟରକୁ ସମର୍ଥନ ଦେବା ତଥା ଟିକସ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଇଟି ଓ ଆଇଟିଇ କମ୍ପାନିଙ୍କ ଲାଗି ନୂଆ ସେଫ ହାର୍ବର ପ୍ରୋଭିଜନର ପ୍ରାବଧାନ ବଜେଟରେ କରାଯାଇଛି । ଏଥିପାଇଁ ଆଇଟି କମ୍ପାନି ଲାଗି ରହିଥିବା ସୀମାକୁ ୩୦୦ କୋଟିରୁ ୨ ହଜାର କୋଟିକୁ ବୃଦ୍ଧି କରାଯାଇଛି । ଆଇଟି ସେବାର ସେଫ ହାର୍ବରକୁ ସ୍ୱୟଂଚାଳିତ ପ୍ରକ୍ରିୟା ମାଧ୍ୟମରେ ଅନୁମୋଦନ କରାଯିବ । ଏଥିପାଇଁ ଟିକସ ଅଫିସର ଆବେଦନ ଗ୍ରହଣ କରିବା କିମ୍ବା ତାର ପରୀକ୍ଷା କରିବାର ଆବଶ୍ୟକତା ପଡିବନାହିଁ । ଥରେ ଆଇଟି କମ୍ପାନି ଆବେଦନ କଲେ ସେଫ ହାର୍ବର ୫ ବର୍ଷ ବଳବତ୍ତର ରହିବ ।

୫-ଆଇଟି ସେବାର ଏପିଏ ପ୍ରକ୍ରିୟା ଫାଷ୍ଟ ଟ୍ରାକ ହେବ: ଯେଉଁ ଆଇଟି ସେବା ପ୍ରଦାନକାରୀ କମ୍ପାନିମାନେ ଆଡଭାନ୍ସଡ ପ୍ରାଇସିଂ ଏଗ୍ରିମେଣ୍ଟ (ଏପିଏ) ଶେଷ କରିବାକୁ ଚାହାନ୍ତି ବଜେଟରେ ରହିଥିବା ପ୍ରାବଧାନ ଅନୁସାରେ ୟୁନିଲାଟେରାଲ ଏପିଏ ପ୍ରକ୍ରିୟାର ଫାଷ୍ଟ ଟ୍ରାକ ବ୍ୟବସ୍ଥାରେ ୨ ବର୍ଷ ଭିତରେ ଶେଷ ହେବ । ତେବେ ଟିକସଦାତାଙ୍କ ଆବେଦନକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ୬ମାସ ପର୍ଯ୍ୟନ୍ତ ବଢ଼ାଯିବ ।

୬-କ୍ଲାଉଡ ସେବା ଦେଉଥିବା ବିଦେଶୀ କମ୍ପାନିଙ୍କୁ ଟିକସ ରିହାତି: ମହତ୍ତ୍ୱପୂର୍ଣ୍ଣ ଭିତ୍ତିଭୂମି ଢ଼ାଞ୍ଚାର ଆବଶ୍ୟକତା ଓ ନିବେଶକୁ ପ୍ରୋତ୍ସାହିତ କରିବା ଲାଗି ବଜେଟରେ କ୍ଲାଉଡ ସେବା ଯେଗାଉଥିବା ବିଦେଶୀ କମ୍ପାନିଙ୍କୁ ଟିକସ ରିହାତି ଘୋଷଣା କରାଯାଇଛି । ଯେଉଁ ବିଦେଶୀ କମ୍ପାନିମାନେ ଭାରତରୁ ଡାଟା ସେଣ୍ଟର ସର୍ଭିସ ମାଧ୍ୟମରେ ବିଶ୍ୱରେ ସେବା ଯୋଗାଉଛନ୍ତି ସେମାନଙ୍କୁ ୨୦୪୭ ପର୍ଯ୍ୟନ୍ତ ଟିକସ ରିହାତି ଦେବାକୁ ପ୍ରସ୍ତାବ ରଖାଯାଇଛି । ତେବେ ଏହି କମ୍ପାନିମାନଙ୍କୁ ଭାରତୀୟଙ୍କୁ ଭାରତୀୟ ରିସେଲର ଏଣ୍ଟିଟି ମାଧ୍ୟମରେ ସେବା ଯୋଗାଇବାକୁ ହେବ । ଭାରତରେ ପ୍ରତିଷ୍ଠାନ ଖୋଲି ସେବା ଯୋଗାଉଥିବା ବିଦେଶୀ କ୍ଲାଉଡ କମ୍ପାନିମାନେ ଏହାଦ୍ୱାରା ଲାଭବାନ ହୋଇପାରିବେ ।

୭-ସ୍କୁଲ ଓ କଲେଜରେ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ: ବଜେଟରେ ଭାରତର ଆନିମେସନ, ଭିଜୁଆଲ ଇଫେକ୍ଟ, ଗେମିଂ ଓ କମିକ୍ସ (ଏଭିଜିସି)କୁ ପ୍ରାଥମିକତା ଦିଆଯାଇଛି । ଆସନ୍ତା ୨୦୩୦ ବେଳକୁ ଏହିଶିଳ୍ପ କ୍ଷେତ୍ର ସହ ଜଡିତ ୨୦ ଲକ୍ଷ ପେସାଧାରୀଙ୍କର ଆବଶ୍ୟକତା ପଡିବ । ତେଣୁ ବଜେଟରେ ଏଥିପାଇଁ ପ୍ରାବଧାନ କରାଯାଇଛି । ଏଥିପାଇଁ ମୁମ୍ବାଇସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜିକୁ ଦେଶର ୧୫ ହଜାର ମାଧ୍ୟମିକ ସ୍କୁଲ ଏବଂ ୫୦୦ କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର ଲ୍ୟାବ ପ୍ରତିଷ୍ଠା କରିବାକୁ ଦାୟିତ୍ୱ ଦିଆଯାଇଛି । ଫଳରେ ଦେଶର ଅରେଞ୍ଜ ଅର୍ଥନୀତିକୁ ବଳ ମିଳିବ ।

୮-କୃଷି ଉତ୍ପାଦନ ବୃଦ୍ଧି ପାଇଁ ଭାରତ-ବିସ୍ତାର: କୃଷି ଉତ୍ପାଦନ ବୃଦ୍ଧି ଓ ଚାଷ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ଲାଗି ଏଥିରେ ଏଆଇର ଉପଯୋଗ କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଜେଟରେ ଭାରତ-ବିସ୍ତାର (ଭର୍ଚୁଆଲି ଇଣ୍ଟିଗ୍ରେଟେଡ ସିଷ୍ଟମ ଟୁ ଆକ୍ସେସ ଏଗ୍ରିକଲ୍ଚରାଲ ରିସୋର୍ସେସ୍) ଉପକରଣ ବିଷୟରେ ଘୋଷଣା କରାଯାଇଛି।

ଏହି ଖବରଟିକୁ ପଢନ୍ତୁ- ବଜେଟ୍ ରେ ସ୍ଵାସ୍ଥ୍ୟକ୍ଷେତ୍ରକୁ ବୁଷ୍ଟର : ସଂସ୍କାରକୁ ରୋଡ୍ ମ୍ୟାପ୍, ପ୍ରମୁଖ ଯୋଜନାର ବଢିଲା ପାଣ୍ଠି