ନୂଆଦିଲ୍ଲୀ, ୦୨/୦୨ : ବଜେଟ୍ ୨୦୨୬-୨୭ରେ ସ୍ୱାସ୍ଥ୍ୟକ୍ଷେତ୍ରକୁ ମିଳିଛି ଅଗ୍ରାଧିକାର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଂସ୍କାର ଲାଗି ବ୍ୟାପକ ରୋଡ୍ମ୍ୟାପ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଏହି କ୍ଷେତ୍ରକୁ ୧.୦୬ ଲକ୍ଷ କୋଟି ଆବଣ୍ଟନ ହୋଇଛି । ବଢ଼ିଛି ପ୍ରମୁଖ ସ୍ୱାସ୍ଥ୍ୟ ଯୋଜନାର ପାଣ୍ଠି । କ୍ୟାନ୍ସର ଚିକିତ୍ସାରେ ବ୍ୟବହାର ହେବାକୁ ଥିବା ୧୭ଟି ଔଷଧ ଉପରୁ ସୀମା ଶୁଳ୍କ ହଟାଇବାକୁ ହୋଇଛି ଘୋଷଣା । ମେଡିକାଲ୍ ଟୁରିଜିମ୍ କୁ ପ୍ରୋତ୍ସାହନ ଲାଗି ୫ଟି ନୂଆ ଆଞ୍ଚଳିକ ମେଡିକାଲ୍ ହବ୍ ବନାଯିବ । ‘ବାୟୋଫାର୍ମା ଶକ୍ତି ଯୋଜନା’ ପାଇଁ ୧୦ ହଜାର କୋଟି ବ୍ୟୟବରାଦ କରିଛନ୍ତି ସରକାର । ୫ ବର୍ଷରେ ୧ ଲକ୍ଷ ଆନୁଷଙ୍ଗିକ ହେଲ୍ଥ ପ୍ରଫେସନାଲଙ୍କୁ ତାଲିମ ପାଇଁ ଲକ୍ଷ୍ୟ ରହିଛି।
ପୂର୍ବ ବର୍ଷଠାରୁ ୧୦ ପ୍ରତିଶତ ଅଧିକ
ବଜେଟ୍ ୨୦୨୬-୨୭ରେ ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ବିଶେଷ ଫୋକସ୍ କରିଛନ୍ତି । ବିକଶିତ ଭାରତର ଲକ୍ଷ୍ୟକୁ ସାମ୍ନାରେ ରଖି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଲାଗି ୧,୦୬, ୫୩୦.୪୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ପୂର୍ବ ବର୍ଷଠାରୁ ୧୦ ପ୍ରତିଶତ ଅଧିକ । ଆଜି ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟସେବା ସଂସ୍କାର ଲାଗି ଏକ ବ୍ୟାପକ ରୋଡ୍ମ୍ୟାପ୍ ଉପସ୍ଥାପନ କରିଥିଲେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍ ଏବଂ ସମାବେଶୀ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏହି ବଜେଟ୍ରେ ଚିକିତ୍ସା, ଗବେଷଣା, ମେଡିକାଲ୍ ଟୁରିଜିମ୍, ଆୟୁଷ ଏବଂ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ସୁବିଧାର ସବୁ ଦିଗକୁ ଛୁଇଁବାକୁ ଉଦ୍ୟମ କରାଯାଇଛି । ଏଥରକ ବଜେଟ୍ ରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ୍ ଲାଗି ପାଣ୍ଠିକୁ ପ୍ରାୟ ୬୮ ପ୍ରତିଶତ ବଢ଼ାଯାଇ ୪,୭୭୦ କୋଟି କରାଯାଇଛି । ଏହି ଅର୍ଥକୁ ବିଭିନ୍ନ ରାଜ୍ୟରେ କ୍ରିଟିକାଲ୍ କେୟାର ବ୍ଲକ୍, ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରୟୋଗଶାଳା ନିର୍ମାଣ ଏବଂ ଜିଲ୍ଲା ଓ ଉପଜିଲ୍ଲା ହସ୍ପିଟାଲର ଅପଗ୍ରେଡ୍ ଲାଗି ବ୍ୟବହାର କରାଯିବ ।
ପ୍ରମୁଖ ଯୋଜନାର ପାଣ୍ଠି ବୃଦ୍ଧି
ପ୍ରମୁଖ ସ୍ୱାସ୍ଥ୍ୟ ଯୋଜନାର ପାଣ୍ଠିକୁ ମଧ୍ୟ ବୃଦ୍ଧି କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଲାଗି ୩୯,୩୯୦ କୋଟି ଆବଣ୍ଟିତ କରାଯାଇଛି । ଏହି ଅର୍ଥ ପ୍ରାଥମିକ ସ୍ୱାସ୍ଥ୍ୟସେବା, ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବାର ଦୃଢ଼ୀକରଣ, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଲାଗି ବ୍ୟୟ କରାଯିବ । ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗି ୯୫୦୦ କୋଟି ଆବଣ୍ଟନ ହୋଇଛି । ନୂଆ ଏମ୍ସ ସ୍ଥାପନ ଏବଂ ସରକାରୀ ମେଡିକାଲ୍ କଲେଜକୁ ସହାୟତା ଯୋଗାଉଥିବା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାକୁ ୧୧,୩୦୭ କୋଟି ମିଳିଛି । ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ଉଲ୍ଲେଖନୀୟ ସହାୟତା ମିଳିଛି । ନ୍ୟାସନାଲ୍ ଏଡ୍ସ ଏବଂ ଏସଟିଡି ନିୟନ୍ତ୍ରଣ କାର୍ଯ୍ୟକ୍ରମ ଲାଗି ଆବଣ୍ଟନକୁ ୩୦ ପ୍ରତିଶତ ବଢ଼ାଯାଇ ୩,୪୭୭ କୋଟି କରାଯାଇଛି । ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ଲାଗି ୩୫୦ କୋଟି ଆବଣ୍ଟିତ ହୋଇଛି । ବଜେଟ୍ ୨୦୨୬-୨୭ରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଏବଂ ମେଡିକାଲ୍ ଶିକ୍ଷାର ଅପ୍ଗ୍ରେଡ, ସଂପ୍ରସାରଣକୁ ବିଶେଷ ପ୍ରାଥମିକତା ଦିଆଯାଇଛି । ବର୍ତ୍ତମାନ ସାରା ଦେଶରେ ରହିଥିବା ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡି଼କର ଆଧୁନିକୀକରଣ ଏବଂ ସଂପ୍ରସାରଣ ଲାଗି ବ୍ୟାପକ ବିନିଯୋଗର ପ୍ରସ୍ତାବ ରହିଛି । ସେଥିମଧ୍ୟରେ ନୂଆ କ୍ୟାନ୍ସର କେନ୍ଦ୍ର ସ୍ଥାପନ ଏବଂ ଦୃଢ଼ୀକରଣ, ଟ୍ରମା ଏବଂ ଏମର୍ଜେନ୍ସି ସେବାର ସଂପ୍ରସାରଣ, ମେଡିକାଲ୍ ସଂସ୍ଥାନ ଗୁଡିକରେ ସୁପର ସ୍ପେଶିଆଲିଟି ବ୍ଲକ୍, ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍, ରୋବୋଟିକ୍ ସର୍ଜରି ସେଣ୍ଟର, ଏଆଇ ଯୁକ୍ତ କେନ୍ଦ୍ରର ବିକାଶ ସାମିଲ । ବଜେଟ୍ରେ ମଧ୍ୟ ଏମବିବିଏସ୍, ପୋଷ୍ଟଗ୍ରାଜୁଏଟ୍, ସୁପରସ୍ପେଶିଆଲିଟି ଏବଂ ନର୍ସିଂ ସିଟ୍ ବୃଦ୍ଧି ଲାଗି ପ୍ରାବଧାନ ରହିଛି।
ଏହି ଖବରଟିକୁ ପଢନ୍ତୁ- ରେଳବାଇ ପାଇଁ ୨.୯୩ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ