ନୂଆଦିଲ୍ଲୀ ୧୪/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ସଂଘର୍ଷ ବେଳେ ରୁଷରୁ ଆସିଥିବା ଏସ୍-୪୦୦ ବାୟୁ ପ୍ରତିରକ୍ଷା ମିସାଇଲ ସିଷ୍ଟମର ବ୍ୟବହାର ସଫଳ ହୋଇପାରିଛି । ତେଣୁ ତାକୁ ଦୃଷ୍ଟିରେ ରଖି ଭାରତ ରୁଷଠାରୁ ଅଧିକ ଏସ୍-୪୦୦ ମିସାଇଲ ସିଷ୍ଟମ କିଣିବାକୁ ନିଷ୍ପତ୍ତି ନେଇଛି । ଏ ସଂକ୍ରାନ୍ତରେ ରୁଷ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇସାରିଛି । ଖୁବଶୀଘ୍ର ଏହି ପ୍ରସ୍ତାବକୁ ରୁଷ ଅନୁମୋଦନ କରିବାର ସମ୍ଭାବନା ରହିଛି । ରୁଷର ଅନୁମୋଦନ ପରେ ଭାରତକୁ ଅଧିକ ଏସ୍୪୦୦ ମିସାଇଲ ସିଷ୍ଟମ ମିଳିବ । ଫଳରେ ଭାରତ ତାକୁ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରିବ ।
ନିକଟରେ ପାକିସ୍ତାନ ଜମ୍ମୁ-କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନରେ ଶତାଧିକ ଡ୍ରୋନ ଓ ମିସାଇଲ ଆକ୍ରମଣ କରିଥିଲା । କିନ୍ତୁ ସେଠାରେ ଭାରତର ଏସ୍-୪୦୦ ସିଷ୍ଟମ ସକ୍ରିୟ ଥିବା କାରଣରୁ ପାକିସ୍ତାନର ଡ୍ରୋନ ଓ ମିସାଇଲକୁ ଆକାଶମାର୍ଗରେ ଧ୍ୱଂସ କରିଦିଆଯାଇଥିଲା । ରୁଷରୁ ଭାରତ କିଣିଥିବା ଏସ୍-୪୦୦କୁ ସୁଦର୍ଶନ ଚକ୍ର ବୋଲି କହୁଛି । ରୁଷରୁ ୫ଟି ଏସ୍-୪୦୦ ସିଷ୍ଟମ ଆଣିବା ଲାଗି ଭାରତ ୨୦୧୮ରେ ୫.୪୩ ବିଲିୟନ ଡଲାର ମୂଲ୍ୟର ରାଜିନାମା କରିଥିଲା । ଚୀନ୍ ଓ ପାକିସ୍ତାନର ମୁକାବିଲା କରିବା ଉଦ୍ଦେଶ୍ୟରେ ୨୦୨୧ରେ ପ୍ରଥମ କରି ଏହା ପଞ୍ଜାବରେ ମୁତୟନ କରାଯାଇଥିଲା ।