ଭାରତ ବନାମ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ; ମୋଦୀଙ୍କ ସୁରକ୍ଷାକୁ ନେଇ ପ୍ରସ୍ତୁତି ଜୋରସୋର୍

Image Courtesy: ABP Live
ନୂଆଦିଲ୍ଲୀ,୦୮/୦୩: ରାତି ପାହିଲେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବାନିଜ୍ ବୁଧବାର ଅହମ୍ମଦାବାଦ ଗସ୍ତରେ ଆସିଛନ୍ତି। ଉଭୟ ନେତୃତ୍ବ ଗୁରୁବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମ୍ୟାଚ୍ ଉପଭୋଗ କରିବେ। ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୂତାବକ, ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ସନ୍ଧ୍ୟାରେ ଅହମ୍ମଦାବାଦରେ ପହଞ୍ଚିବେ। ସେପଟେ ଆଲ୍ବାନିଜ୍ ଅହମ୍ମଦାବାଦରେ ପହଞ୍ଚିବା ପରେ ସାବରମତି ଆଶ୍ରମ ପରିଦର୍ଶନ ପାଇଁ ଯିବେ।
ଏପଟେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ୪ର୍ଥ ତଥା ଅନ୍ତିମ ମ୍ୟାଚ୍ରେ ଦୁଇ ମୁଖ୍ୟ ନେତୃତ୍ବଙ୍କ ସ୍ବାଗତ ପାଇଁ ପ୍ରସ୍ତୁତି ମଧ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନାଥାଉକି ଏହି ସିରିଜ୍ରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଏହି ମ୍ୟାଚ୍ର ଗୁରୁତ୍ବକୁ ନଜରରେ ରଖି ଷ୍ଟାଡିୟମରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୈଦାନ ବାହାରେ କଡ଼ା ସୁରକ୍ଷା ବଳୟ ରହିଛି। ଏହା ବ୍ୟତିତ ଅହମ୍ମଦାବାଦ ମେଟ୍ରୋର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ସମୟ ପରିବର୍ତ୍ତନ ୯ ମାର୍ଚ୍ଚରୁ ୧୩ ମାର୍ଚ୍ଚ ମଧ୍ୟରେ କରାଯାଇଛି।
ଆସନ୍ତାକାଲି ଅର୍ଥାତ୍ ଗୁରୁବାର, ମାର୍ଚ୍ଚ ୯ରେ ଅହମ୍ମଦାବାଦ ମେଟ୍ରୋର ସମୟ ପରିବର୍ତ୍ତନ କରାଯାଇଛି। ଗୁରୁବାର ଏହି ସମୟ ପରିବର୍ତ୍ତନ ସକାଳ ୬ ଟାରୁ ଆରମ୍ଭ ହେବ ଏବଂ ଏହାର ସେବା ରାତି ୧୦ ଟା ପର୍ଯ୍ୟନ୍ତ ଚାଲିବ। ଏହା ସହିତ, ମେଟ୍ରୋ ଫ୍ରିକ୍ୱେନ୍ସିରେ ୧୨ ମିନିଟର ଏକ ପାର୍ଥକ୍ୟ ରଖାଯାଇଛି। ଏହାର ଅର୍ଥ ହେଉଛି ପ୍ରତି ୧୨ ମିନିଟରେ ଲୋକେ ମେଟ୍ରୋର ସୁବିଧା ପାଇବାରିବେ। ଏହା ବ୍ୟତୀତ ମାର୍ଚ୍ଚ ୧୦ ରୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ମେଟ୍ରୋ ଆରମ୍ଭ ସମୟ ସକାଳ ୭ଟାରୁ ରଖାଯାଇଛି।
ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅଲ୍ବାନିଜ୍ ସକାଳ ୮ଟା ବେଳେ ପହଞ୍ଚିବାର ସମ୍ଭାବନା ରହିଛି। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଆଲ୍ବାନିଜ୍ ଉଭୟ ଦଳର ଖେଳାଳୀଙ୍କ ସହିତ ସାକ୍ଷାତ କରିବେ। ସୂଚନାଅନୁସାରେ ଉଭୟ ପ୍ରଧାନମନ୍ତ୍ରୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ପାଖାପାଖି ୨ ଘଣ୍ଟା ରହିପାରନ୍ତି। ପରେ ମୋଦୀ ରାଜଭବନ ଯିବାକୁ ଥିବା ବେଳେ ଆଲ୍ବାନିଜ୍ ଦିଲ୍ଲୀ ଫେରିବେ।