ମେଲବର୍ଣ୍ଣ, ୩୧/୧୦: ଆଜି ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି । କାନବେରା ଭଳି ମେଲବର୍ଣ୍ଣରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ତଥାପି ସମ୍ପୂର୍ଣ୍ଣ ମ୍ୟାଚ ଖେଳାଯାଇପାରିବ ବୋଲି ପାଣିପାଗ ସୂତ୍ରରୁ  ଜଣା ପଡ଼ିଛି । ପ୍ରଥମ ମ୍ୟାଚ୍‌ ବର୍ଷା ଧୋଇ ନେବା ପରେ ଉଭୟ ଦଳ ଏବେ ବିଜୟ ପାଇଁ  ବ୍ୟାକୁଳ । ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍‌  ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯାଉଥିବାରୁ  ପାଖା ପାଖି ୯୦,୦୦୦ ଦର୍ଶକ ଷ୍ଟାଡ଼ିୟମ୍‌ରେ  ପହଞ୍ଚିବେ । ଫଳରେ ଆଜି ସଂଘଷପୂର୍ଣ୍ଣ  ମୁକାବିଲା ଦେଖିବାକୁ ମିଳିବ ।

ଆସନ୍ତା ବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ ପାଇଁ ଉଭୟ ଦଳ ଏହି ସିରିଜ  ଜରିଆରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେଣୁ  ସମୟ ପୂର୍ବରୁ ନିଜ ନିଜର ଦୋଷ ଦୁର୍ବଳତାକୁ  ସୁଧାରିବା ପାଇଁ ଉଭୟ ଦଳ ପ୍ରୟାସ କରିବେ । କାନବେରାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ  ମାତ୍ର ୯.୪ ଓଭର ଖେଳ ସମ୍ଭବ ହୋଇଥିଲା ।  ଏହାପରେ ବର୍ଷା ହେବାରୁ ମ୍ୟାଚ ବାତିଲ କରାଯାଇଥିଲା । ଏହି ସୀମିତ ସମୟ ମଧ୍ୟରେ  ଭାରତୀୟ ଟପ ଅର୍ଡର ବ୍ୟାଟର ମନୋଭାବ  ସ୍ପଷ୍ଟ କରି ଦେଇଥିଲେ । ବିଶ୍ୱର ଯେକୌଣସି  ଗ୍ରାଉଣ୍ଡ୍‌ରେ ମଧ୍ୟ ଦଳ ନିର୍ଭୟରେ ବିସ୍ଫୋରକ  ବ୍ୟାଟିଂ କରିବାକୁ ପ୍ରସ୍ତୁତ ରହିଛି । ତେଣୁ  ଅଭିଷେକ ଶର୍ମା, ଶୁଭମନ ଗିଲ, ସୂର୍ଯ୍ୟକୁମାର  ଯାଦବ, ତିଳକ ବର୍ମା ପ୍ରମୁଖ ମେଲବର୍ଣ୍ଣରେ  ଧୂଆଁଧାର ବ୍ୟାଟିଂ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ନାଥାନ ଏଲିସ, ଟିମ ଡେଭିଡଙ୍କ ଭଳି  ଅଷ୍ଟ୍ରେଲିଆ ଦଳର କିଛି ଖେଳାଳି ଏହି  ଗ୍ରାଉଣ୍ଡରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌  ଖେଳି ନାହାନ୍ତି । ତେଣୁ ଏମାନେ ଆଜିର ମ୍ୟାଚ୍‌କୁ ନେଇ ଉତ୍ସାହିତ ରହିଛନ୍ତି ।  ଟି-ଟ୍ୱେଣ୍ଟି ବୋଲିଂ ମାନ୍ୟତା ତାଲିକା ଶୀର୍ଷରେ  ରହିଥିବା ବରୁଣ ଚକ୍ରବର୍ତ୍ତୀ ଏପର୍ଯ୍ୟନ୍ତ କୌଣସି  ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ  ବୋଲିଂ କରି ନାହାନ୍ତି । ଏହି ଖେଳାଳିମାନଙ୍କ  ପାଇଁ ମେଲବର୍ଣ୍ଣ ସ୍ମରଣୀୟ ରହିବ ।

ଭାରତ ମେଲବର୍ଣ୍ଣରେ ୬ଟି ଟି-ଟ୍ୱେଣ୍ଟି  ଖେଳିଛି ଓ ୪ଟିରେ ବିଜୟୀ ହୋଇଛି ।  ଆଜି ଆଉ ଏକ ବିଜୟ ଫର୍ଦ୍ଦ ଯୋଡ଼ିବାକୁ  ଦଳ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ଅଧିନାୟକ  ମିଚେଲ ମାର୍ଶ ଆଉ ୪ ରନ କଲେ ଟି-ଟ୍ୱେଣ୍ଟିରେ  ୨୦୦୦ ରନ ପୂରଣ କରିବେ । ସେହିପରି ସଞ୍ଜୁ  ସାମସନ ୭ ରନ ଓ ତିଳକ ବର୍ମା ୩୮ ରନ  କଲେ ଟି-ଟ୍ୱେଣ୍ଟିରେ ୧୦୦୦ ରନ ଲେଖାଏଁ  ସମ୍ପୂର୍ଣ୍ଣ କରିବେ ।  ଯଶପ୍ରୀତ ବୁମରା  ୪ଟି ୱିକେଟ୍‌ ନେଲେ ୧୦୦ ଟି-ଟ୍ୱେଣ୍ଟି ୱିକେଟ୍‌  କ୍ଲବ୍‌ରେ ସ୍ଥାନ ପାଇବେ ।

ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡର ପିଚ୍‌ ବ୍ୟାଟିଂ  ପାଇଁ ଅନୁକୂଳ ରହିବ । ଗତ ବିଗ ବାସ ଲିଗ୍‌ରେ  ଇନିଂସ ପିଛା ହାରି ହାରି ରନ ୧୮୦ରୁ ଊଦ୍ଧ୍ୱର୍  ରହିଥିଲା । ଟସ ସେଭଳି ପ୍ରଭାବ ପକାଇବ  ନାହିଁ । ତଥାପି ଟସ ବିଜୟୀ ଦଳ କୋହଲା  ପାଗର ଫାଇଦା ଉଠାଇବା ପାଇଁ ଫିଲ୍ଡିଂ ନିଷ୍ପତ୍ତି  ନେଇ ପାରନ୍ତି । 

ସମ୍ଭାବ୍ୟ ଦଳ

ଭାରତ: ଅଭିଷେକ ଶର୍ମା, ଶୁଭମନ ଗିଲ୍‌ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ  ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେ, ଅକ୍ଷର  ପଟେଲ,ହର୍ଷିତ ରାଣା, କୁଲଦୀପ ଯାଦବବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ: ମିଚେଲ ମାର୍ଶ (ଅଧିନାୟକ)ଟ୍ରେଭିସ୍‌ ହେଡ୍‌, ଜୋସ ଇଂଲିଶ, ଟିମ ଡେଭିଡ୍‌ମିଚେଲ ଓଏନ, ମାର୍କସ ଷ୍ଟଇନିସ, ଜୋସ  ଫିଲିପ, ଜାଭିୟର ବାର୍ଟଲେଟ୍‌, ନାଥାନ ଏଲିସମାଟ କୁହ୍ନେମନ, ଜୋସ ହାଜେଲଉଡ ।