PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଆଜିଠୁ ଭାରତ-ବାଂଲାଦେଶ ଦିନିକିଆ ସିରିଜ୍, ଟିମ୍‌ ଇଣ୍ଡିଆ ପାଇଁ ବାଂଲାଦେଶର ସ୍ପିନ ରଣନୀତି

ମୀରପୁର,୦୪/୧୨: ବାଂଲାଦେଶ ଗସ୍ତରେ ଥିବା ଭାରତୀୟ ଦଳ ରବିବାରଠୁ ଅଭିଯାନ ଆରମ୍ଭ କରିବ । ଶେରେ ବାଂଲା ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଏହି ମ୍ୟାଚ୍‌ରେ ଭାରତୀୟ ଦଳର ପଲା ଭାରି ରହିଥିଲେ ହେଁ ବାଂଲାଦେଶ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି ।

ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ । ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମ୍ୟାଚ୍‌ରେ ସବୁ ତାରକା ଖେଳାଳିଙ୍କୁ ଏକାଠି ଦେଖିବାକୁ ମିଳିବ । ଫଳରେ ଇଶାନ କିଷନ, ରଜତ ପାତିଦାର, ରାହୁଲ ତ୍ରିପାଠୀଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ ନାହିଁ ।

ଭାରତ ବିପକ୍ଷରେ ବାଂଲାଦେଶ ଆଜି ପର୍ଯ୍ୟନ୍ତ ମୋଟ୍‌ ୫ଟି ଦିନିକିଆ ଜିତିଛି । ଶେଷ ଥର ପାଇଁ ବାଂଲାଦେଶ ୨୦୧୫ରେ ଭାରତକୁ ହରାଇଥିଲା । ଏଥର ଭାରତକୁ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବା ପାଇଁ ବାଂଲାଦେଶ ସ୍ପିନରଙ୍କୁ ପ୍ରସ୍ତୁତ କରି ରଖିଛି । ନିକଟରେ ଭାରତୀୟ ବ୍ୟାଟରମାନେ ସ୍ପିନରଙ୍କ ବିପକ୍ଷରେ ବାରମ୍ବାର ତ୍ରୁଟି କରୁଥିବା ଦେଖିବାକୁ ମିଳିଥିଲା ।

ନବ ନିଯୁକ୍ତ ଅଧିନାୟକ ଲିଟନ ଦାସ ଚଳିତ ବର୍ଷ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଭାରତ ବିପକ୍ଷ ଗତ ଟି-ଟ୍ୱେଣ୍ଟି ମୁକାବିଲାରେ ତାଙ୍କ ଇନିଂସକୁ ଦର୍ଶକ ସହଜରେ ଭୁଲି ପାରିବେ ନାହିଁ । ଚଳିତ ବର୍ଷ ସମସ୍ତ ଫର୍ମାଟ୍‌କୁ ମିଶାଇ ଲିଟନ ମୋଟ୍‌ ୧୭୦୩ ରନ୍‌ ସଂଗ୍ରହ କରିସାରିଛନ୍ତି । ଏଥିରୁ କେବଳ ଦିନିକିଆ ୫୦୦ ରନ୍‌ ରହିଛି । ଷ୍ଟାର ବ୍ୟାଟର ସାକିବ ଅଲ୍‌ ହାସନ ଓ ମୁସଫିକର ରହିମଙ୍କ ଉପରେ କାର୍ଯ୍ୟଭାର ରହିବ । ତାମିମ ଇକବାଲ ଆହତ ହୋଇ ବାଦ ପଡ଼ିଥିବାରୁ ସାକିବ ୩ନଂ ସ୍ଥାନରେ ବ୍ୟାଟିଂ କରିବେ । ସେହିପରି ଆହତ ପେସ୍‌ ବୋଲର ଟସ୍କିନ ଅହମ୍ମଦଙ୍କ ସ୍ଥାନରେ ଇବାଦତ ହୋସେନଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।

କୋହଲିଙ୍କ ଉପରେ ନଜର: ଆଜିର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ଦର୍ଶକଙ୍କ ନଜର ରହିବ । ସେ ୩୦ ରନ୍‌ କଲେ ବାଂଲାଦେଶ ମାଟିରେ ୧୦୦୦ ରନ ପୂରଣ କରିବେ । ଶେଷ ୮ଟି ଦିନିକିଆରେ କୋହଲି ୨୧.୮୭ ହାରରେ ରନ୍‌ ସଂଗ୍ରହ କରିଥିଲେ । ବର୍ତ୍ତମାନ ସେ ଫର୍ମକୁ ଫେରିସାରିଛନ୍ତି ।

ଆହତ ସାମି ବାଦ: ଭାରତୀୟ ଦଳର ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ସାମି ଆହତ ହେବା ଦଳକୁ ଚିନ୍ତାରେ ପକାଇଛି । ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି । ତାଙ୍କୁ ଦିନିକିଆ ସିରିଜରୁ ବାଦ ଦିଆଯାଇଛି ଓ ଯୁବ ଫାଷ୍ଟ ବୋଲର ଉମ୍ରାନ ମଲିକଙ୍କୁ ଡାକରା ମିଳିଛି । ସାମିଙ୍କ ଅନୁପସ୍ଥିତିରେ ଉଭୟ ସର୍ଦୁଲ ଠାକୁର ଓ ଦୀପକ ଚହରଙ୍କୁ ପ୍ରାଥମିକତା ମିଳିପାରେ । ନଚେତ ନବାଗତ କୁଲଦୀପ ସେନ ଟିମ୍‌ରେ ପଦାର୍ପଣ କରିବେ ।

ପିଚ୍‌: ଶେରେ ବାଂଲା ଷ୍ଟାଡିୟମ୍‌ ମୁଖ୍ୟତଃ ବ୍ୟାଟରଙ୍କୁ ସୁହାଇବ । ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ସମ୍ଭାବନା ଅଧିକ । ସ୍ପିନରମାନେ ମଧ୍ୟ ପିଚ୍‌ରୁ ଫାଇଦା ଉଠାଇ ପାରିବେ । ଅବଶ୍ୟ ନୂଆ ବଲ୍‌ରେ ସୁଇଂ ମିଳିବା ଆଶା କରାଯାଉଛି ।

ଭାରତ : ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ରିଷଭ ପନ୍ତ, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ସୁର୍ଦଲ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ ।

ବାଂଲାଦେଶ: ଲିଟନ ଦାସ(ଅଧିନାୟକ), ଅନାମୁଲ ହକ, ସାକିବ ଅଲ୍‌ ହାସନ, ମୁସଫିକର ରହିମ, ମହମୁଦୁଲ୍ଲା, ଅଫିଫ ହୋସେନ, ୟାସିର ଅଲି, ମେହଦି ହାସାନ ମିରାଜ, ହାସାନ ମହମ୍ମଦ, ମୁସ୍ତାଫିଜୁର ରେହମାନ, ଇବାଦତ ହୋସେନ।