ମୁମ୍ବାଇ, ୦୫/୦୩: ଟି-ଟ୍ବେଣ୍ଟି କ୍ରିକେଟ୍ ବିଶ୍ୱକପ୍ । ସଂଧ୍ୟାରେ ଦ୍ବିତୀୟ ସେମି ଫାଇନାଲ୍ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ । ଦୁଲୁକିଲ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ । ଟିମ୍ ହ୍ୟାରୀ ବ୍ରୁକକୁ ଚେକ୍ ଦେବ ସୂର୍ଯ୍ୟସେନା । ସେମି ଫାଇନାଲରେ ମାତ୍ ଦେଇ ଫାଇନାଲ ଟିକେଟ୍ ଟାକିବ ଟିମ୍ ଇଣ୍ଡିଆ । ସେପଟେ ପ୍ରଥମ ସେମିରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍ ଖେଳିବାକୁ ଅହମ୍ମଦାବାଦରେ ପହଞ୍ଚି ସାରିଛି ନ୍ୟୁଜିଲାଣ୍ଡ ଦଳ ।

ସେମି ଫାଇନାଲରେ ଫୁଲ୍ ଦମରେ ପଡ଼ିଆକୁ ଓହ୍ଲାଇବ ସୂର୍ଯ୍ୟସେନା । ଦଳରେ ଅନେକ ଷ୍ଟାର୍ ଖେଳାଳି ରହିଛନ୍ତି । ସଞ୍ଜୁ ସାମସନ ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ମୁକାବିଲାରେ ଦମଦାର୍ ଇନିଂସ ଖେଳିଥିଲେ । ଏକାକି ଲଢି ଭାରତକୁ ସେମିରେ ପ୍ରବେଶ କରାଇଥିଲେ । ଅନ୍ୟପଟେ ଅଭିଷେକ ଶର୍ମା, ଇଶାନ କିଷାନ ଏବଂ ସୂର୍ଯ୍ୟ କୁମାରଙ୍କ ଫର୍ମ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଅଭିଷେକଙ୍କ ପାଇଁ ପୂରା ଟୁର୍ଣ୍ଣାମେଣ୍ଟ ଖାସ୍ ରହିନାହିଁ । ସେ ମାତ୍ର ଗୋଟିଏ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସେହିପରି ଇଷାନଙ୍କ ବ୍ୟାଟ୍ ଗତ ଦୁଇଟି ମ୍ୟାଚରେ ନିରବ ରହିଛି । ସେହିଭଳି ସୂର୍ଯ୍ୟକୁମାର ମଧ୍ୟ କିଛି ଖାସ୍ ଖେଳିନାହାନ୍ତି ।  ବଡ ସଟ୍ ମାରି ବାରମ୍ବାର ବିଫଳ ହେଉଛନ୍ତି । ଏହି ସବୁ ତ୍ରୁଟିକୁ ଟିମ୍ ଇଣ୍ଡିଆ ସୁଧାରି ପଡ଼ିଆକୁ ଓହ୍ଲାଇବ ।

ଭାରତ ପାଇଁ ବୋଲିଂ ଚିନ୍ତାର କାରଣ ପାଲଟିଛି । ଯଶପ୍ରୀତ ବୁମରାଙ୍କ ବ୍ୟତୀତ ଅନ୍ୟ କେହି ପ୍ରଭାବୀ ପ୍ରଦର୍ଶନ କରିପାରୁ ନାହାଁନ୍ତି । ଅର୍ଶଦୀପ ସିଂ ଏବଂ ବରୁଣ ଚକ୍ରବର୍ତ୍ତୀ ପାଓ୍ବାର-ପ୍ଲେ’ରେ ଶୀଘ୍ର ଓ୍ୱିକେଟ୍ ନେବାରେ ବିଫଳ ହେଉଛନ୍ତି । ତେଣୁ ବରୁଣଙ୍କ ଜାଗାରେ ସେମିରେ କୂଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି ।

ସେପଟେ ଇଂଲଣ୍ଡ ପାଇଁ ଟପ୍ ଅର୍ଡର୍ ଚିନ୍ତାର କାରଣ ପାଲଟିଛି । ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ କରିଛନ୍ତି ଜସ୍ ବଟଲର । ତାଙ୍କଠୁ ଦଳ ବଡ ସ୍କୋର ଆଶା କରୁଛି । ଏପଟେ କ୍ୟାପଟେନ୍ ହ୍ୟାରି ବ୍ରୁକ୍, ସ୍ୟାମ୍ କୁରନ ଭଲ ଫର୍ମରେ ଥିବାରୁ ଇଂଲଣ୍ଡରେ ବୋଲିଂ ଏବଂ ଫିଲ୍ଡିଂ ସନ୍ତୁଳିତ ରହିଛି । ତେବେ ଭାରତକୁ ଜିତିବାକୁ ହେଲେ ପ୍ରଥମେ ବ୍ୟାଟିଂ କରି ୨୦୦ରୁ ଅଧିକ ରନ୍ କରିବାକୁ ହେବ । ଯଦି ସୂର୍ଯ୍ୟ କୁମାର ବୋଲିଂ ନିଅନ୍ତି ତେବେ ବିପକ୍ଷ ଦଳକୁ ୧୫୦ରୁ ୧୬୦ ମଧ୍ୟରେ ସୀମିତ ରଖିବାକୁ ଚେଷ୍ଟା କରିବେ ।