ଭାରତ ଆୟରଲାଣ୍ଡ ବିପକ୍ଷ ଦୁଇ ମ୍ୟାଚର ଟି-୨୦ ସିରିଜ୍: ଚୂଡାନ୍ତ ଏକାଦଶକୁ ଫେରିବେ ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନ

pic- internet
ନୂଆଦିଲ୍ଲୀ: ଭାରତ ଆୟରଲାଣ୍ଡ ବିପକ୍ଷ ଦୁଇ ମ୍ୟାଚର ଟି-୨୦ ସିରିଜ୍ ଚୂଡାନ୍ତ ଏକାଦଶକୁ ଫେରିବେ ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନ। ଶ୍ରେୟସ ଆୟର ଏବଂ ଋଷଭ ପନ୍ତଙ୍କ ସ୍ଥାନ ନେବ ଏହି ଦୁଇ ଖେଳାଳି। ଅନ୍ୟପଟେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବେ ଲିସେଷ୍ଟରରେ ଟେଷ୍ଟ ଦଳ ସହ ଅଛନ୍ତି। ତାଙ୍କ ସ୍ଥାନରେ ଟି-୨୦ ଦଳର କୋଚିଂ ଦାୟିତ୍ଵ ସମ୍ଭାଳିବେ ଜାତୀୟ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ।
ଶ୍ରେୟସ ଆୟର ଏବଂ ଋଷଭ ପନ୍ତ ଟେଷ୍ଟ ଦଳରେ ଅଛନ୍ତି। ସେପଟେ ସୁସ୍ଥ ହୋଇ ଭାରତୀୟ ଦଳକୁ ଫେରିଛନ୍ତି ସୂର୍ଯ୍ୟକୁମାର ଯାଦବ। ଅନ୍ୟପଟେ ପନ୍ତଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି। ସୂର୍ଯ୍ୟକୁମାର ଯାଦବ ଗତ ଏକ ବର୍ଷରୁ ଭାରତୀୟ ଟି-୨୦ ଦଳର ନିୟମିତ ଖେଳାଳି।
ତେବେ ସାମସନ ଏବଂ ଦୀପକ ହୁଡ୍ଡାଙ୍କ ମଧ୍ୟରେ ଦଳ କାହାକୁ ଚୟନ କରିବ ତାହା ଦେଖିବା ବାକି ରହିଲା। କାରଣ ହୁଡ୍ଡା ବ୍ୟାଟିଂ କରିବା ସହିତ ବୋଲିଂ ମଧ୍ୟ କରି ପାରନ୍ତି। ଯଦି କୋଚ୍ ରାହୁଲ ଦ୍ରାବିଡଙ୍କ ଯୋଜନା ଉପରେ ନଜର ପକାଇବା ତେବେ ସେ ଅଧିକ ବିକଳ୍ପ ଖୋଜିବା ଉପରେ ବିଶ୍ଵାସ କରନ୍ତି ନାହିଁ। ତେଣୁ ଦକ୍ଷିଣ ଅ ଆଫ୍ରିକା ବିପକ୍ଷରେ ଖେଳିଥିବା ଚୂଡାନ୍ତ ଏକାଦଶରେ କିଛିଟା ପରିବର୍ତ୍ତନ ହୋଇପାରେ।
ସେପଟେ ଋତୁରାଜ ଗାଏକଓ୍ଵାଡଙ୍କୁ ଆୟରଲାଣ୍ଡ ବିପକ୍ଷ ମୁକାବିଲାରେ ପୁଣି ଥରେ ସୁଯୋଗ ମିଳିପାରେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେତେଟା ପ୍ରଭାବଶାଳୀ ପ୍ରଦର୍ଶନ କରିପାରିନଥିଲେ। ଇଶାନ କିଷନ ଆଗାମୀ କିଛି ବର୍ଷ ପାଇଁ ବିକଳ୍ପ ଓପନର ଭାବେ ନିଜର ସ୍ଥାନ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି। ସେ ସିରିଜରେ ଓପନ କରିବେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦିନେଶ କାର୍ତ୍ତିକ ନିଜ ଦାୟିତ୍ଵ ନିଭାଇବେ।