ଆଜି ତୃତୀୟ ଦିନିକିଆ: ଶୀର୍ଷ ମାନ୍ୟତାକୁ ଫେରିବ ଟିମ୍ ଇଣ୍ଡିଆ, ସମ୍ମାନ ଫେରିପାଇବାକୁ ପ୍ରୟାସ କରିବ ନ୍ୟୁଜିଲାଣ୍ଡ

www.aajtak.in
ଇନ୍ଦୋର,୨୪/୦୧: ମଙ୍ଗଳବାର ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ । ୨-୦ରେ ସିରିଜ କବ୍ଜା କରିସାରିଥିବା ଭାରତୀୟ ଦଳ ବର୍ତ୍ତମାନ କ୍ଲିନ୍ ସୁଇପ ଲକ୍ଷ୍ୟରେ ରହିଛି । ମଙ୍ଗଳବାର ବିଜୟ ହାସଲ କଲେ ଭାରତ ଦିନିକିଆ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଫେରି ପାଇବ । ନ୍ୟୁଜିଲାଣ୍ଡ ପାଇଁ କେବଳ ସମ୍ମାନ ଫେରିପାଇବାକୁ ପ୍ରୟାସ କରିବ । ପରାଜିତ ହେଲେ ଶୀର୍ଷ ମାନ୍ୟତା ମଧ୍ୟ ହରାଇ ବସିବ ।
ସୂର୍ଯ୍ୟକୁମାରଙ୍କ ଉପରେ ନଜର: ଟି-ଟ୍ୱେଣ୍ଟି କ୍ରିକେଟ୍ରେ ଅଦ୍ଭୁତପୂର୍ବ ସଫଳତା ପରେ ସୂର୍ଯ୍ୟକୁମାର ଯାଦବ ଦିନିକିଆ ଦଳରେ ସ୍ଥାନ ହାସଲ କରିଛନ୍ତି । ମୋଟ ଉପରେ ଦେଖିବାକୁ ଗଲେ ଚୂଡ଼ାନ୍ତ ଏକାଦଶରେ ତାଙ୍କ ପାଇଁ ସ୍ଥାନ ନାହିଁ । ୪ନଂ ସ୍ଥାନରେ ଶ୍ରେୟାସ ଆୟର ଓ ୫ନଂ ସ୍ଥାନରେ ଲୋକେଶ ରାହୁଲ ବ୍ୟାଟିଂ କରୁଛନ୍ତି । ଏପରିକି ୱିକେଟ୍ କିପରଙ୍କୁ ମଧ୍ୟ ସ୍ଥାନ ମିଳୁନି । ବର୍ତ୍ତମାନ ଉଭୟ ରାହୁଲ ଓ ଆୟର ଅନୁପସ୍ଥିତ ଥିବାରୁ ସୂର୍ଯ୍ୟକୁମାରଙ୍କୁ ଖେଳିବାକୁ ସୁଯୋଗ ଦିଆଯାଉଛି । ସୀମିତ ସୁଯୋଗ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଆଗାମୀ ଦିନିକିଆ ବିଶ୍ୱକପ୍ ପୂର୍ବରୁ ନିଜ ପାଇଁ ଏକ ସ୍ଥାନ ସୁରକ୍ଷିତ କରିବାକୁ ସୂର୍ଯ୍ୟକୁମାର ଲକ୍ଷ୍ୟ ରଖିଛନ୍ତି । ଦ୍ୱିତୀୟ ଦିନିକିଆରେ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳି ନଥିଲା । ମ୍ୟାଚ୍ରେ ସୁଯୋଗ ମିଳିଲେ ଚମକ ଦେଖାଇବେ ବୋଲି ଆଶା କରାଯାଇପାରେ ।
କୋହଲିଙ୍କ ସାଣ୍ଟନର ଚିନ୍ତା: ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେଉଥିବା ବାମ ହାତି ସ୍ପିନର ମିଚେଲ ସାଣ୍ଟନର ବର୍ତ୍ତମାନ ବିରାଟ କୋହଲିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି । ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ମୋଟ ୩ଟି ଶତକ ଅର୍ଜନ କରିଥିବା କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଫଳ ହୋଇଛନ୍ତି । ସେ ପ୍ରଥମ ମ୍ୟାଚ୍ରେ ୮ ଓ ଦ୍ୱିତୀୟ ମ୍ୟାଚ୍ରେ ୧୧ ରନ୍ କରି ଆଉଟ୍ ହୋଇଥିଲେ । ସାଣ୍ଟନର ତାଙ୍କୁ ଉଭୟ ମ୍ୟାଚ୍ରେ ଆଉଟ୍ କରିଥିଲେ । ଫର୍ମ ଫେରି ପାଇଥିଲେ ହେଁ ସାଣ୍ଟନରଙ୍କ ବିପକ୍ଷରେ ବିଫଳ ହେବା କୋହଲିଙ୍କ ପାଇଁ ଲଜ୍ଜାଜନକ । ମ୍ୟାଚ୍ରେ ସାଣ୍ଟନରଙ୍କୁ ନିର୍ଧୁମ ପ୍ରହାର କରି କୋହଲି ଆଧିପତ୍ୟ ଜାହିର କରିବେ ବୋଲି ଭାରତୀୟ ସମର୍ଥକ ଆଶା ରଖିଛନ୍ତି ।
ଏକାଦଶରେ ହେବ ପରିବର୍ତ୍ତନ: ମଙ୍ଗଳବାର ଏକାଦଶରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ । ବ୍ୟାଟିଂ ବିଭାଗରେ ଅପରିବର୍ତ୍ତିତ ରହିପାରେ । ମହମ୍ମଦ ସିରାଜ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦେଇ ଉମ୍ରାନ ମଲିକ ଓ ସାହବାଜ ଅହମ୍ମଦଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । ଆଗକୁ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ରହିଛି । ତେଣୁ ଉଭୟ ପେସ୍ ବୋଲରଙ୍କୁ ଉପଯୁକ୍ତ ବିଶ୍ରାମ ମିଳିପାରିବ । ସେହିପରି କୁଲଦୀପ ଯାଦବଙ୍କୁ ବିଶ୍ରାମ ଦେଇ ୟୁଝବେନ୍ଦ୍ର ଚହଲଙ୍କୁ ଖେଳାଯାଇପାରେ ।
ଟସ୍ ଜିତିଲେ ଫିଲ୍ଡିଂ: ଇନ୍ଦୋର ଗ୍ରାଉଣ୍ଡ ଅପେକ୍ଷାକୃତ ଛୋଟ ଓ ଆଉଟ୍ ଫିଲ୍ଡ ଦ୍ରୁତତମ । ତେଣୁ ଏହି ଗ୍ରାଉଣ୍ଡ୍ରେ ବିଶାଳ ସ୍କୋର ହେବା ନିଶ୍ଚିତ । ଅପରାହ୍ଣରେ କାକର ପଡ଼ିବ । ତେଣୁ ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ ସହଜ ହୋଇଯିବ । ଟସ୍ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ କରିବା ଉପଯୁକ୍ତ ନିଷ୍ପତ୍ତି ହେବ ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ସର୍ଦୁଲ ଠାକୁର, କୁଲଦୀପ ଯାଦବ/ୟୁଝବେନ୍ଦ୍ର ଚହଲ, ସାହବାଜ ଅହମ୍ମଦ, ଉମ୍ରାନ ମଲିକ ।
ନ୍ୟୁଜିଲାଣ୍ଡ: ଫିନ ଆଲେନ, ଡେଭନ କନୱେ, ହେନରୀ ନିକୋଲ୍ସ/ମାର୍କ ଚାପମାନ, ଡାରିଲ ମିଚେଲ, ଟମ ଲାଥମ(ଅଧିନାୟକ), ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର, ଡଗ ବ୍ରେସୱେଲ/ହେନରୀ ସିପଲି/ଜାକବ ଡଫି, ଲୋକି ଫର୍ଗୁସନ, ବ୍ଲେୟାର ଟିକ୍ନର ।