ଗୌହାଟୀ,୨୫/୦୧: ଗୌହାଟୀରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫୩ ରନ କରିଛି। ବ୍ୟାଟିଂ ପାଇଁ ଉପଯୋଗୀ ବିବେଚିତ ଏହି ଗ୍ରାଉଣ୍ଡରେ କିୱି ବ୍ୟାଟିଂ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲା। ଲେଗ୍-ସ୍ପିନ୍ ବୋଲର ରବି ବିଷ୍ଣୋଇ ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ପାଇଁ ପ୍ରତ୍ୟାବର୍ତ୍ତନ କରିଥିଲେ, କେବଳ ନ୍ୟୁଜିଲାଣ୍ଡର ରନ ହାରକୁ ନିୟନ୍ତ୍ରଣ କରିନଥିଲେ ବରଂ ଦୁଇଟି ୱିକେଟ୍ ମଧ୍ୟ ନେଇଥିଲେ।
ଏହି ମ୍ୟାଚ୍ରେ, ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାୱାରପ୍ଲେ ମଧ୍ୟରେ କିୱି ଦଳର ତିନି ଜଣ ଟପ୍-ଅର୍ଡର ବ୍ୟାଟରଙ୍କୁ ଆଉଟ୍ କରି ଟିମ୍ ଇଣ୍ଡିଆ ଏକ ଭଲ ଆରମ୍ଭ କରିଥିଲା। ଡେଭନ୍ କନୱେ ଗୋଟିଏ ରନ୍, ରଚିନ୍ ରବିନ୍ଦ୍ର ଚାରି ରନ୍ ଏବଂ ଟିମ୍ ସିଫର୍ଟ ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିଲେ। ହର୍ଷିତ ରାଣା ନୂଆ ବଲ୍ ସହିତ ଲଗାତାର ପ୍ରଭାବୀ ପ୍ରଦର୍ଶନ କରି ଇନିଂସର ପ୍ରଥମ ଓଭରରେ କନୱେଙ୍କ ୱିକେଟ୍ ନେଇଥିଲେ। ଏହିପରି ଭାବେ ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଳେନ୍ ଫିଲିପ୍ସ ୪୦ ବଲ୍ରେ ୬ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ସର୍ବାଧିକ ୪୮ ରନ୍ କରିଥିଲେ। ସେହିପରି ମାର୍କ ଚାମ୍ପମାନ ୩୨, ମିଚେଲ ସାଣ୍ଟନର ୨୭, ଟିମ୍ ସିଫର୍ଟ ୧୨ ଏବଂ ଡାରିଲ ମିଚେଲ ୧୪ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍ଗ ସ୍କୋର କରିପାରିନଥିଲେ।
ରବି ବିଷ୍ଣୋଇ ପ୍ରାୟ ଗୋଟିଏ ବର୍ଷ ପରେ ଟିମ୍ ଇଣ୍ଡିଆ ପାଇଁ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି। ସେ ଚାରି ଓଭରରେ ମାତ୍ର ୧୮ ରନ ଦେଇ ଦୁଇଟି ୱିକେଟ୍ ନେଇଥିଲେ, ଗ୍ଲେନ୍ ଫିଲିପ୍ସ ଏବଂ ମାର୍କ ଚାପମ୍ୟାନଙ୍କୁ ଆଉଟ୍ କରିଥିଲେ। ଅନ୍ୟପକ୍ଷରେ, ଜସପ୍ରିତ ବୁମରାହ ଚାରି ଓଭରରେ ମାତ୍ର ୧୭ ରନ ଦେଇ ତିନୋଟି ୱିକେଟ୍ ନେଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଏବଂ ହର୍ଷିତ ରାଣା ଗୋଟିଏ ସଫଳତା ପାଇଥିଲେ। ବର୍ତ୍ତମାନ ନ୍ୟୁଜିଲାଣ୍ଡ ଦେଇଥିବା ୧୫୪ ରନ୍ର ଟାର୍ଗେଟକୁ ପୂରା କରିବାକୁ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।