ରାୟପୁର,୨୩/୧ : : ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦ । ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । ରାୟପୁରରେ ଖେଳା ଯାଉଥିବା ଦ୍ବିତୀୟ ଟି-୨୦ରେ ଭାରତ ବିଜୟୀ ହୋଇ ସିରିଜ୍ ବିଜୟୀ ଲକ୍ଷ୍ୟରେ ରହିବ । ପ୍ରଥମ ଟି-୨୦ରେ ଭାରତ ବିଶାଳ ସ୍କୋର କରି ବିଜୟୀ ହୋଇଛି । ତେବେ ଭ୍ରମଣକାରୀ ଦଳ ମଧ୍ୟ ୧୯୦ ରନ କରିଥିଲା । ଏଣୁ ନ୍ୟୁଜିଲାଣ୍ଡକୁ ଭାରତ ୨୦୦ ଭିତରେ ରଖିବା ଲକ୍ଷ୍ୟରେ ରହିବ ।

ଭାରତର ପ୍ଲେଇଂ ଇଲେଭେନ୍ : ଭାରତୀୟ ଖେଳୁଥିବା ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଏବଂ ବରୁଣ ଚକ୍ରବର୍ତ୍ତୀ ।

କହି ରଖୁଛୁ କି, ପ୍ରଥମ ମ୍ୟାଚ ବିଜୟ ପରେ ଭାରତୀୟ ଦଳର ମନୋବଳ ବେଶ୍ ଊଦ୍ଧ୍ୱର୍ରେ ରହିଛି । ତଥାପି ନ୍ୟୁଜିଲାଣ୍ଡକୁ ହାଲକା ଭାବେ ଗ୍ରହଣ କରିବା ମହଙ୍ଗା ପଡ଼ିବ । ଦିନିକିଆ ସିରିଜରେ ମଧ୍ୟ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍ ହାରିଥିଲା । ମାତ୍ର ଏହାପରେ ଦମ୍ଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୨ଟି ଯାକ ମ୍ୟାଚ ଜିତି ନ୍ୟୁଜିଲାଣ୍ଡ ସିରିଜ କବଜା କରିଥିଲା । ପ୍ରଥମ ଟି-ଟ୍ୱେଣ୍ଟିରେ ମଧ୍ୟ ନ୍ୟୁଜିଲାଣ୍ଡ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ଏକ ସମୟରେ ଦଳ ବିଜୟ ଆଶା ଉଜ୍ଜ୍ୱଳ ରଖିଥିଲା । ଗ୍ଲେନ ଫିଲିପ୍ସ ଆଉଟ୍ ହେବା ପରେ ଲୟ ହରାଇ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲା ।

ଏହି ତ୍ରୁଟି ସୁଧାରି ନ୍ୟୁଜିଲାଣ୍ଡ ଗ୍ରାଉଣ୍ଡକୁ ଓହ୍ଲାଇବ । ଭାରତକୁ ମଧ୍ୟ ଅନେକ ତ୍ରୁଟି ସୁଧାରିବାକୁ ହେବ । ପ୍ରଥମତଃ ଓପନିଂ ବିଭାଗ ବଡ଼ ଭାଗିଦାରୀ ଗଢ଼ି ମୂଳଦୁଆ ସୁଦୃଢ଼ କରିବା ଜରୁରି । ଦ୍ୱିତୀୟତଃ ସ୍ପିନରମାନେ ମଧ୍ୟ ଓଭରଗୁଡ଼ିକରେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ବାନ୍ଧି ରଖିବା ଆବଶ୍ୟକ । ଭାରତ ଏହି ଦିଗ ପ୍ରତି ଧ୍ୟାନ ଦେବ । ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି ସଞ୍ଜୁ ସାମସନ ଓ ଇଶାନ କିଷନଙ୍କ ଫର୍ମକୁ ନେଇ ଦଳ ସାମାନ୍ୟ ଚିନ୍ତିତ ରହିଛି ।ଆଜି ଉଭୟଙ୍କୁ ଆଉ ଥରେ ସୁଯୋଗ ମିଳିବ । ଏକାଦଶରେ ସ୍ଥାନ ଜମାଇବାକୁ ହେଲେ ଉଭୟଙ୍କୁ ସୀମିତ ସୁଯୋଗର ଫାଇଦା ଉଠାଇବାକୁ ପଡ଼ିବ ।

ନ୍ୟୁଜିଲାଣ୍ଡ ମଧ୍ୟ ଓପନିଂ ବିଭାଗର ପ୍ରଦର୍ଶନକୁ ନେଇ ଚିନ୍ତିତ ରହିବା ସ୍ୱାଭାବିକ । ପ୍ରଥମ ମ୍ୟାଚରେ ଉଭୟ ଡେଭନ କନୱେ ଓ ରଚିନ ରବିନ୍ଦ୍ର ନିରାଶ କରିଥିଲେ । ଦଳର ମଧ୍ୟ କ୍ରମ ବେଶ୍ ସୁଦୃଢ଼ ରହିଛି । ଫିଲିପ୍ସ, ଡାରିଲ ମିଚେଲ, ମାର୍କ ଚାପମାନ ଶ୍ରେଷ୍ଠ ଫର୍ମରେ ରହିଛନ୍ତି ।

ଏହାସହ ପଢ଼ନ୍ତୁ : ଯଦି ଏହି ଭୁଲକୁ ଭାରତ ଦୋହରାଏ, ତାହେଲେ ଟି-୨୦ ବିଶ୍ବକପରେ ପଡ଼ିପାରେ ବଡ଼ ପ୍ରଭାବ..​​​​​​​