ନୂଆଦିଲ୍ଲୀ ; ୨୦/୧ : ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତ ପରାଜୟ ପରେ ଏବେ ଟି-୨୦ ବିଜୟ ହୋଇ ବଦଲା ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ଟି-୨୦ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର ବଡ଼ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଦିନିକିଆ ଭଳି ଟି-୨୦ରେ ଯଦି ଡାରିଲ୍ ମିଚେଲ୍ ଭଲ ପ୍ରଦର୍ଶନ କରନ୍ତି ତାହେଲେ ଦଳ ଟି-୨୦ ସିରିଜ୍ ମଧ୍ୟ ମୂଳପୋଛ କରିଦେବ । ଯଦି ମିଚେଲଙ୍କ ବ୍ୟାଟ୍ ଚାଲେ ତାହେଲେ ଦଳ ପାଇଁ ବହୁତ ଫାଇଦା ହେବ ବୋଲି ସେ କହିଛନ୍ତି ।

୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ମିଚେଲ ୨ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ଯାହାକି କିଓ୍ବି ଦଳର ବିଜୟର ମୂଳ କାରଣ ମଧ୍ୟ ପାଲଟିଛି । ସାଣ୍ଟନର ମିଚେଲଙ୍କ ପ୍ରଂଶସା କରି କହିଛନ୍ତି କି, ପ୍ରଥମେ ସେ ସ୍ପିନରଙ୍କ ବିପକ୍ଷରେ ସଂଘର୍ଷ କରୁଥିଲେ । ମାତ୍ର ଏବେ ଭଲ ପ୍ରଦର୍ଶନ କରୁଛନ୍ତି । ଆଶା କରାଯାଉଛି କି, ସେ ସେହି ଫର୍ମ ଟି-୨୦ରେ ମଧ୍ୟ ଦେଖାଇବେ । ତେବେ ମିଚେଲ ଯଦି ଚମତ୍କାର ପ୍ରଦର୍ଶନ କରନ୍ତି ତାହେଲେ ଭାରତ ପାଇଁ ଚିନ୍ତାର କାରଣ ମଧ୍ୟ ପାଲଟିପାରେ ।

ଟି-୨୦ ବିଶ୍ବକପ ପୂର୍ବରୁ ଭାରତ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ବେଶ ଗୁରୁତ୍ବ ବହନ କରୁଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତର ପ୍ରଦର୍ଶନ ବିଶ୍ବକପରେ ପ୍ରଭାବ ପକାଇବ ନିଶ୍ଚିତ । ଏଣୁ ଏହି ସିରିଜ୍ ଭାରତ ପାଇଁ ବେଶ ଗୁରୁତ୍ବ ବହନ କରେ । ଯଦି ଉଭୟ ଦଳର ହେଡ୍-ଟୁ ହେଡ୍ ରେକର୍ଡ ଦେଖିବା ତାହେଲେ ଉଭୟ ଦଳ ୨୫ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଭାରତ ୧୨ ଏବଂ ନ୍ୟୁଜିଲାଣ୍ହ ସପକ୍ଷରେ ୧୦ ମ୍ୟାଚ ଯାଇଛି । ବାକି ମ୍ୟାଚର ଫଳାଫଳ ନାହିଁ । ସେପଟେ ଶେଷଥର ପାଇଁ ଖେଳାଯାଇଥିବା ତିନୋଟି ଟି-୨୦ରେ ଭାରତ ବିଜୟ ହାସଲ କରିଛି । ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ ବିଜୟ ପରେ ମନୋବଳ ଦୃଢ଼ ରହିଥିବାବେଳେ ଭାରତ ପ୍ରତିଶୋଧ ଲକ୍ଷ୍ୟରେ ରହିଛି ।