ରାଜକୋଟ, ୧୪/୦୧: ରାଜକୋଟରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ । ପ୍ରଥମେ ବ୍ୟାଟିଂ କରି କ୍ବିଓ୍ବି ସାମ୍ନାରେ ୨୮୫ରନ ଟାର୍ଗେଟ୍ ରଖିଛି ଟିମ୍ ଇଣ୍ଡିଆ । ନିର୍ଦ୍ଧାରିତ ୫୦ ଓଭରରେ ଭାରତୀୟ ଦଳ ୭ ଓ୍ବିକେଟ୍ ବ୍ୟୟରେ ୨୮୪ ରନ୍ ସଂଗ୍ରହ କରିଛି । ଏଥିରେ କେ.ଏଲ ରାହୁଲଙ୍କ ଲଢୁଆ ଶତକ ଏବଂ କ୍ୟାପଟେନ୍ ଶୁବମନ ଗିଲଙ୍କ ଅର୍ଦ୍ଧଶତକୀୟ ଇନିଂସ ରହିଛି । ଭ୍ରମଣକାରୀ ଦଳକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ୨୮୫ ରନ୍ ସଂଗ୍ରହ କରିବାକୁ ପଡ଼ିବ ।  

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାରି ରହିଛି । ବୁଧବାର ରାଜକୋଟରେ ଦ୍ବିତୀୟ ODI ମ୍ୟାଚ୍ ଖେଳାଯାଉଛି । ଆଜିର ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ । ଫଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା । ପୂର୍ବ ମ୍ୟାଚ୍ ଭଳି ପଡ଼ିଆକୁ ଓହ୍ଲାଇଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଏବଂ କ୍ୟାପଟେନ୍ ଶୁବମନ ଗିଲ୍ । ୭୦ ରନରେ ଭାରତୀୟ ଦଳକୁ ପ୍ରଥମ ଝଟକା ଲାଗିଥିଲା । ରୋହିତ ଶର୍ମା ୩୮ ବଲରେ ୨୪ ରନ କରି ଆଉଟ୍ ହୋଇଥିଲେ । ମାତ୍ର ଶୁବମନ ଗିଲ୍ କ୍ବିଓ୍ବି ବୋଲରଙ୍କ ଉପରେ ପ୍ରହାର ଜାରି ରଖିଥିଲେ । ପରେ ୫୬ ରନ୍ କରି ଡ୍ୟାରେଲ୍ ମିଚେଲଙ୍କ ଶିକାର ହୋଇଥିଲେ ଅଧିନାୟକ । ଏହାପରେ ବିରାଟ୍ କୋହଲି ଏବଂ ଉପ-ଅଧିନାୟକ ଶ୍ରେୟସ ଆୟର ଖାସ୍ କିଛି କରି ପାରିନଥିଲେ । ଆୟର ୮ ରନ, କୋହଲି ୨୩ ରନ ଏବଂ ଜାଡେଜା ୨୭ ରନ କରି ଆଉଟ୍ ହୋଇଥିଲେ । ଦଳ ସଂଘର୍ଷ କରୁଥିବା ବେଳେ ଟିମକୁ ସମ୍ଭାଳି ନେଇଥିଲେ ଓ୍ବିକେଟ୍ କିପର ବ୍ୟାଟର କେ.ଏଲ ରାହୁଲ । ସେ ୯୨ ବଲ୍ ରେ ୧୧ ଚୌକା ଏବଂ ଗୋଟିଏ ଛକା ସହାୟତାରେ ଅପରାଜିତ ୧୧୨ ରନ୍ କରିଥିଲେ  । ଫଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ୍ ହରାଇ ୨୮୪ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଖ୍ରୀଷ୍ଟନ କ୍ଲାର୍କ ସର୍ବାଧିକ ୩ ଓ୍ବିକେଟ୍ ନେଇଛନ୍ତି । ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତି ସିରିଜ୍ କବଜା କରିବାକୁ ରହିଥିବା ବେଳେ କ୍ବିଓ୍ବି ଟିମ୍ ବିଜୟ ସହିତ ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି ।...