ବେଙ୍ଗାଲୁର,୧୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ସ୍କୋର।  ଘରୋଇ ମାଟିରେ ଭାରତର ବିପର୍ଯ୍ୟୟ। ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଇନିଂସରେ ୫୦ ରନ୍‌ ମଧ୍ୟ ପାରିନି ଭାରତ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛନ୍ତି ରୋହିତ୍ ବାହିନୀ। ସବୁଠାରୁ ଆହୁରି ନିରାଶଜନକ ଥିଲା କୌଣସି ଜଣେ ବ୍ୟାଟର ବଡ଼ ସ୍କୋର୍ କରିପାରି ନ ଥିବାବେଳେ ୫ ଜଣ   ନ୍ୟୁଜିଲାଣ୍ଡ ବିପକ୍ଷରେ ଖୋଲିପାରିନଥିଲେ ଖାତା। 

ବୁଧବାର ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ   ବର୍ଷା ଯୋଗୁଁ ମ୍ୟାଚ୍‌ର ପ୍ରଥମ ଦିନ  ଖେଳିବା ସମ୍ଭବ ହୋଇନଥିଲା। ଗୁରୁବାର ମ୍ୟାଚ୍ ଆରମ୍ଭ ହୋଇଥିଲା। ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ପ୍ରଥମ ଇନିଂସରେ ଦଳ ମାତ୍ର ୪୬ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି ଟିମ୍‌ ଇଣ୍ଡିଆ।  ୧୧ ଜଣ ଖେଳାଳି ମିଶି ୫୦ ରନ୍ କରି ପାରିନାହାନ୍ତି।

ଭାରତ ପକ୍ଷରୁ ଓ୍ବିକେଟ କିପର ବ୍ୟାଟର ଋଷଭ ପନ୍ତ ଏବଂ ଯଶସ୍ୱୀ ଜୟସ୍ୱାଲ କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଉଭୟ ଯଥାକ୍ରମେ ୨୦ ଏବଂ ୧୩  ରନ୍ କରିଛନ୍ତି। ଅନ୍ୟମାନେ ଗୋଟିଏ ଅଙ୍କରେ ରହି ଯାଇଲେ, ସବୁଠୁ ବଡ଼ କଥା ହେଉଛି କି, ପାଞ୍ଚ ଜଣ ଖେଳାଳି ଖାତା ଖୋଲି ପାରିନାହାନ୍ତି। ବିରାଟ କୋହଲି, ଶର୍ଫରାଜ ଖାନ, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଶୂନରେ ଆଉଟ୍ ହୋଇ ଯାଇଛନ୍ତି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୨, କୁଳଦୀପ ଯାଦବ ୨, ଯଶପ୍ରୀତ ବୁମରା ୧ ଏବଂ ମହମ୍ମଦ ସିରାଜ ୪ ରନ୍ (ଅପରାଜିତ) କରିଥିଲେ। ଫଳରେ ଦଳ ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ସୀମିତ ରହିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ସବୁଠାରୁ ଅଧିକ ୫ ଓ୍ବିକେଟ  ନେଇଥିଲେ ମେଟ୍‌ ହେନେରୀ।