ଏସିଆ କପ୍ ହକି: ଆଜି ପଡ଼ିଆରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ, ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ମଧ୍ୟରେ କଡା ଫାଇଟ୍

ଭୁବନେଶ୍ୱର, ୨୩/୦୫: ଆଜିଠୁ : ଇଣ୍ଡୋନେସିଆରେ ଆରମ୍ଭ ହେଉଛନ୍ତି ପୁରୁଷ ଏସିଆ କପ୍ ହକି । ପ୍ରଥମ ଦିବସରେ ୪ଟି ମ୍ୟାଚ୍ ଖେଳାଯିବ । ପୁଲ୍ଏରେ ସ୍ଥାନ ପାଇଥିବା ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଅନ୍ୟ ପୁଲ୍-ଏ ମ୍ୟାଚ୍ରେ ଜାପାନ ଓ ଇଣ୍ଡୋନେସିଆ, ଗ୍ରୁପ୍-ବି’ରେ ମାଲେସିଆ ଓ ଓମାନ ଏବଂ ଦକ୍ଷିଣ କୋରିଆ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ ।
ଅଭିଜ୍ଞ ଓଡ଼ିଆ ଖେଳାଳି ତଥା ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା ଭାରତୀୟ ଦଳର ନେତୃତ୍ୱ ନେବେ । ଏସିଆ କପ୍ ପାଇଁ ହକି ଇଣ୍ଡିଆ ଏକ ଯୁବ ଦଳ ଗଠନ କରିଛି । ଆଗକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୨୩ ହକି ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଓଡ଼ିଶାରୁ ମୋଟ ୪ଜଣ ଖେଳାଳି ଦଳରେ ସାମିଲ୍ ରହିଛନ୍ତି । ପାକିସ୍ତାନ ଦଳ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ସନ୍ତୁଳିତ ରହିଛି । ଏସିଆ କପ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳ ୨୦୨୩ ବିଶ୍ୱକପ୍ (ଭୁବନେଶ୍ୱର)କୁ ଟିକେଟ୍ ହାତେଇବା ଲକ୍ଷ୍ୟରେ ରହିଛି । ଏସିଆ କପ୍ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ୩ଟି ଦଳ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିବେ । ଭାରତ ଓ ପାକିସ୍ତାନ ଦଳ ୩ଥର ଲେଖାଏଁ ଏସିଆ କପ୍ ଚାମ୍ପିଅନ୍ ହୋଇଛନ୍ତି ।
୨୦୧୭ ସଂସ୍କରଣରେ ଭାରତ ଫାଇନାଲ୍ରେ ମାଲେସିଆକୁ ହରାଇ ତୃତୀୟ ଥର ଚାମ୍ପିଅନ୍ ହୋଇଥିଲା । ଅଧିନାୟକ ବୀରେନ୍ଦ୍ର କହିଛନ୍ତି, ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ସବୁବେଳେ ଚାପ ରହିଥାଏ । ଚାପ ସମ୍ଭାଳି ପାରିଲେ ଆମେ ମ୍ୟାଚ୍ ଜିତିପାରିବୁ । ଯଦି ଭଲ ପ୍ରଦର୍ଶନ ଦେବୁ, ତା’ହେଲେ ଆମେ ନିଶ୍ଚିତ ଭାବେ ସଫଳ ହେବୁ ।’