ରାଞ୍ଚି, ୩୦/୧୧: ଆଜି ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଦିନିକିଆ । ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ଭାରତର ଦୁଇ ତାରକା ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ରହିବ । ଉଭୟ ଦୀର୍ଘ ଦିନ ପରେ ଉଭୟ ଘରୋଇ ମାଟିରେ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଦର୍ଶକଙ୍କ ଉତ୍ସାହ ଶିଖର ଛୁଇଁଛି । ଭାରତ ଟେଷ୍ଟ ସିରିଜ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ ନେବାକୁ ଲକ୍ଷ୍ୟ ରଖିଛି । ଦକ୍ଷିଣ ଆଫ୍ରିକା ମଧ୍ୟ ଟେଷ୍ଟ ସିରିଜ ଭଳି ଆଧିପତ୍ୟ ଜାରି ରଖିବାକୁ ପ୍ରସ୍ତୁତ ରହିଛି । ଫଳରେ ସମ୍ପୂର୍ଣ୍ଣ ସିରି ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।
୨୦୦୬ ପରଠାରୁ ଉଭୟ ଦଳ ମଧ୍ୟରେ ୧୦ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜ ଖେଳାଯାଇଛି । ଉଭୟ ଦଳ ୫ଟି ଲେଖାଏଁ ସିରିଜ ଜିତିଛନ୍ତି । ତେଣୁ ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ତଥାପି ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଖେଳୁଥିବାରୁ ଭାରତର ପଲା ଭାରି ରହିବ ।
୨୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ସିରିଜ ମୂଳପୋଛ କରିଥିବା ଦକ୍ଷିଣ ଆଫ୍ରିକା ଦଳର ମନୋବଳ ଊର୍ଦ୍ଧ୍ବରେ ରହିଛି । ଅଧିକାଂଶ ଖେଳାଳି ଫର୍ମରେ ରହିଛନ୍ତି । ବିଶେଷ କରି ମାର୍କୋ ଜାନସେନ ବଲ୍କୁ ଅତିରିକ୍ତ ବାଉନ୍ସ କରାଇବାର କ୍ଷମତା ରଖିଥିବାରୁ ଭାରତୀୟ ବ୍ୟାଟରଙ୍କ ପାଇଁ ଚିନ୍ତାର କାରଣ ସାଜିବେ । ଅଧିନାୟକ ତେମ୍ବା ବଭୁମା ଆଉ ୫୯ ରନ କଲେ ୨୨ତମ ଦକ୍ଷିଣ ଆଫ୍ରିକା ଖେଳାଳି ଭାବେ ଦିନିକିଆରେ ୨୦୦୦ ରନ ପୂରଣ କରିବେ ।
ରୋହିତଙ୍କୁ ଅପେକ୍ଷା କରିଛି ୨ଟି ରେକର୍ଡ । ସେ ଆଉ ୩ଟି ଛକା ମାରିଲେ ଦିନିକିଆ କ୍ରିକେଟ୍ରେ ସର୍ବାଧିକ ଛକା ରେକର୍ଡ ଭଙ୍ଗ କରିବେ । ପାକିସ୍ତାନ ସହିଦ ଆଫ୍ରିଦି ଦିନିକିଆରେ ସର୍ବାଧିକ ୩୫୧ଟି ଛକା ମାରିଥିବାବେଳେ ରୋହିତ ୩୪୯ଟି ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଠିକ ସେହିପରି ରୋହିତ ଆଉ ୯୮ ରନ କଲେ ଚତୁର୍ଥ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୨୦,୦୦୦ ରନ ପୂରଣ କରିବେ । ସେ ୩ଟି ଯାକ ଫର୍ମାଟ୍ରେ ମୋଟ୍ ୧୯,୯୦୨ ରନ ସଂଗ୍ରହ କରିସାରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍ରେ ଆଜି ପର୍ଯ୍ୟନ୍ତ ୧୨ ଜଣ ଖେଳାଳି ୨୦,୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଭାରତ ପକ୍ଷରୁ ସଚିନ ତେନ୍ଦୁଲକର, କୋହଲି ଓ ରାହୁଲ ଦ୍ରାବିଡ ଏହି ତାଲିକାରେ ରହିଛନ୍ତି ।
ଆହତ କାଗିସୋ ରାବାଡା ଏକାଦଶରୁ ବାଦ ପଡ଼ିଥିଲେ ହେଁ ଦକ୍ଷିଣ ଆଫ୍ରିକାର ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ଦଳରେ ଏକାଧିକ ଅଲ୍ରାଉଣ୍ଡର ରହିଥିବାବେଳେ ବୋଲିଂ ବିଭାଗରେ ବିଭିନ୍ନତା ରହିଥିବାରୁ ଦକ୍ଷିଣ ଆଫ୍ରିକାକୁ ରଣନୀତି ପ୍ରସ୍ତୁତ କରିବାରେ କଷ୍ଟ କରିବାକୁ ପଡ଼ିବ ନାହିଁ ।
ଭାରତ ମଧ୍ୟ ଶୁଭମନ ଗିଲଙ୍କ ବିନା ଗ୍ରାଉଣ୍ଡକୁ ଓହ୍ଲାଇବ । ହେଲେ ତାଙ୍କ ସ୍ଥାନରେ ଯଶସ୍ୱୀ ଜୈସ୍ୱାଲ ଫେରିଥିବାରୁ ବ୍ୟାଟିଂ ବିଭାଗ ସେଭଳି ପ୍ରଭାବିତ ହେବ ନାହିଁ । ଶ୍ରେୟାସ ଆୟରଙ୍କ ୪ନଂ ସ୍ଥାନ ପାଇଁ ୩ଜଣ ଦାବିଦାର ରହିଛନ୍ତି । ଋତୁରାଜ ଗାଏକୱାଡଙ୍କୁ ତୃତୀୟ ଓପନର ଭାବେ ଦଳରେ ସ୍ଥାନ ମିଳିଥିଲେ ହେଁ ସେ ଏହି ସ୍ଥାନ ପାଇଁ ପ୍ରମୁଖ ଦାବିଦାର। ନଚେତ ରିଷଭ ପନ୍ତଙ୍କୁ ପ୍ରାଥମିକତା ମିଳିବ । ଅନ୍ୟ ଦାବିଦାର ରୂପେ ତିଳକ ବର୍ମା ଦଳରେ ରହିଛନ୍ତି ।
ଆଜି ଭାରତର ଦୁଇ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ଦର୍ଶକଙ୍କ ନଜର ରହିବା ନିଶ୍ଚିତ । ଗତ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ଅର୍ଜନ କରିଥିଲେ । କୋହଲି ମଧ୍ୟ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାଥ୍ୟୁ ବ୍ରିଜକୀ ଓ ଡିୱାଲ୍ଡ ବ୍ରେଭିସଙ୍କ ଉପରେ ନଜର ରହିବ । ଭାରତରେ ପ୍ରଥମ କରି ଖେଳିବାକୁ ଯାଉଥିବା ବ୍ରିଜକୀ ଦିନିକିଆ ଫର୍ମାଟ୍ରେ ବେଶ୍ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଦିନିକିଆରେ ସେ ୬୭.୭୫ ହାରରେ ରନ ସଂଗ୍ରହ କରୁଛନ୍ତି । ଆଇପିଏଲ୍ ଖେଳୁଥିବାରୁ ବ୍ରେଭିସ୍ ଭାରତରେ ବେଶ୍ ଲୋକପ୍ରିୟ । ଏଠାରେ ତାଙ୍କୁ ବେବି ଏବି ନାମରେ ପରିଚୟ ମିଳେ । ଏବି ଡି ଭିଲର୍ସଙ୍କ ଭଳି ଏଠାରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି ।
ଜେଏସସିଏ ଗ୍ରାଉଣ୍ଡ୍ର ପିଚ୍ ସାମାନ୍ୟ ମନ୍ଥର ରହିଥାଏ । ତେଣୁ ସ୍ପିନରମାନଙ୍କ ପାଇଁ ପିଚ୍ ବେଶ ଅନୁକୂଳ । ଏଠାରେ ଖେଳାଯାଇଥିବା ଶେଷ ଦିନିକିଆରେ ୱାସିଂଟନ ସୁନ୍ଦର ଓପନିଂ ବୋଲିଂ କରିଥିଲେ । ସତ କହିବାକୁ ଗଲେ ଏଠାରେ ସେଭଳି ବିଶାଳ ସ୍କୋର ହେବାର ନଜିର ନାହିଁ କିମ୍ବା ଟସ ପ୍ରଭାବ ପକାଏ ନାହିଁ । ଦିବା ରାତ୍ର ମ୍ୟାଚ୍ ହୋଇଥିବାରୁ ଟସ ବିଜୟୀ ଦଳ କାକର ଆଶାରେ ଫିଲ୍ଡିଂ ନିଷ୍ପତ୍ତି ନେଇ ପାରନ୍ତି । ମାତ୍ର ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଏଠାରେ ବିଜୟୀ ହେଉଥିବାର ପ୍ରମାଣ ରହିଛି ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା, ଯଶସ୍ୱୀ ଜୈସ୍ୱାଲ୍, ବିରାଟ କୋହଲି, ରିଷଭ ପନ୍ତ/ଋତୁରାଜ ଗାଏକୱାଡ୍, କେଏଲ ରାହୁଲ(ଅଧିନାୟକ), ୱାସିଂଟନ ସୁନ୍ଦର, ରବିନ୍ଦ୍ର ଜାଡ଼େଜା, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ।
ଦକ୍ଷିଣ ଆଫ୍ରିକା: ଆଡେନ ମାରକ୍ରମ, କ୍ୱିଣ୍ଟନ ଡି କକ୍, ତେମ୍ବା ବଭୁମା(ଅଧିନାୟକ), ମାଥ୍ୟୁ ବ୍ରୀଜକି, ଡିୱାଲ୍ଡ ବ୍ରେଭିସ, ରୁବିନ ହର୍ମାନ, ମାର୍କୋ ଜାନସେନ, କର୍ବିନ ବସ୍କ, କେଶବ ମହାରାଜ, ନାନ୍ଦ୍ରେ ବର୍ଗର, ଲୁଙ୍ଗି ଏନ୍ଗିଡ଼ି ।