କଟକ/ଭୁବନେଶ୍ୱର,୦୯/୧୨: କ୍ରିକେଟ୍‌ ପ୍ରେମୀ ଚାତକ ପରି ଅନେଇ ବସିଛନ୍ତି । ସମୟ ଯେତିକି ପାଖେଇ ଆସୁଛି ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଦୀର୍ଘ ପ୍ରତୀକ୍ଷାରେ ଘଟିବ ଅନ୍ତ । ଦର୍ଶକ ହେବେ ମତୁଆଲା । ଛକା, ଚୌକାରେ ଉଛୁଳି ପଡ଼ିବ ବାରବାଟୀ । ପ୍ରକମ୍ପିତ ହେବ ଷ୍ଟାଡିୟମ, ରଙ୍ଗୀନ ଆଲୋକମାଳେ ଝଲସି ଉଠିବ ସାରା ଆକାଶ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଠିକ୍ ସନ୍ଧ୍ୟା ୭ଟାରେ ବଜାଇବେ ଘଣ୍ଟି । ଘଣ୍ଟି ବାଜିବା କ୍ଷଣି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚର ପଡ଼ିବ ପ୍ରଥମ ବଲ । ୧୦ ମାସ ବ୍ୟବଧାନ ପରେ ପୁଣି ଥରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଛି ।

ମଙ୍ଗଳବାରଠୁ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ଟେଷ୍ଟ ସିରିଜ ହାରିବା ପରେ ଭାରତ ଦିନିକିଆ ସିରିଜରେ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବିଜୟରୁ ସିରିଜରେ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ।

ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଦୁଇଥର ବାରବାଟୀରେ ଟି-ଟ୍ୱେଣ୍ଟିରେ ମୁହାଁମୁହିଁ ହୋଇଛନ୍ତି । ଉଭୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ଏହି ଧାରାକୁ ଭାଙ୍ଗିବା ଘରୋଇ ଦଳର ଲକ୍ଷ୍ୟ ରହିଛି । କାକର ପଡ଼ୁ ଅବା ନପଡ଼ୁ ଏବଂ ଟସ୍ରେ ଦଳ ହାରୁ ଅବା ଜିତୁ ସେଥିରେ କିଛି ଯାଏ ଆସେ ନାହିଁ, ସିରିଜରେ ପ୍ରତି ମ୍ୟାଚ୍ରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛି ବୋଲି ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ଓ ଶୁଭମନ ଗିଲ ସୁସ୍ଥ ଓ ଫିଟ୍ ରହିଛନ୍ତି । ଯଶପ୍ରୀତ ବୁମରା ଅଭ୍ୟାସ ସମୟରେ ଆଜି ବେଶ ଫୂର୍ତ୍ତି ଜଣା ପଡ଼ୁଥିଲେ । ସେମିତି ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ଦର୍ଶକ ବଡ଼ ଇନିଂସ ଦେଖିବାକୁ ଅପେକ୍ଷା କରିଛନ୍ତି । ଅଭିଷେକ ଶର୍ମା ଘରୋଇ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେଣୁ ପ୍ରତ୍ୟେକ ଖେଳାଳି ଏକାଦଶରେ ସ୍ଥାନ ପାଇବାକୁ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି ।

ଆଡେନ ମାରକ୍ରମଙ୍କ ନେତୃତ୍ୱରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛି । ମାରକ୍ରମ କହିଛନ୍ତି, ‘ପ୍ରତ୍ୟେକ ଖେଳାଳି ଚାପ ମୁକ୍ତ ହୋଇ ଖେଳି ମ୍ୟାଚକୁ ଉପଭୋଗ କରନ୍ତୁ ।’ ଦକ୍ଷିଣ ଆଫ୍ରିକା ଏକ ସନ୍ତୁଳିତ ଦଳ । ଦଳରେ ଦୁର୍ଦ୍ଧର୍ଷ ବ୍ୟାଟର ଡେଭିଡ ମିଲର, ମାରକ୍ରମ, କ୍ୱିଣ୍ଟନ ଡି କକ୍ ଏବଂ ଲୁଙ୍ଗି ଏନ୍‌ଗିଡ଼ି, ଆନରିଚ୍ ନର୍ଜ, ମାର୍କୋ ଜାନସେନ ଓ କେଶବ ମହାରାଜଙ୍କ ଭଳି ଘାତକ ବୋଲର ରହିଛନ୍ତି । ତେଣୁ ବାରବାଟୀରେ ଏକ ବଡ଼ ଲଢ଼େଇ ଦେଖିବାକୁ ମିଳିବ ।

ବାରବାଟୀ ଷ୍ଟାଡିୟମରେ ଏହାକୁ ମିଶାଇ ଚତୁର୍ଥ ଟି-ଟ୍ୱେଣ୍ଟି ଖେଳାଯିବ । ପୂର୍ବରୁ ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ୍ କଳାମାଟିରେ ଖେଳାଯାଇଥିଲା । ପ୍ରଥମଥର ନାଲିମାଟି ପିଚ୍ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତ ହୋଇଛି । କାକରର ପ୍ରଭାବକୁ ହ୍ରାସ କରାଇବା ଏବଂ ଉଭୟ ଇନିଂସରେ ବ୍ୟାଟିଂ, ବୋଲିଂକୁ ସୁହାଇବା ଭଲି ପିଚ୍ ପ୍ରସ୍ତୁତ ହୋଇଛି । ପ୍ରଥମେ ବ୍ୟାଟିଂ କରିବାକୁ ଥିବା ଦଳ ଏଠାରେ ୨୦୦ରୁ ଊଦ୍ଧ୍ୱର୍ ସ୍କୋର କରିବ ବୋଲି କ୍ୟୁରେଟର ଅନୁମାନ କରିଛନ୍ତି । ଏଥର ବାରବାଟୀରେ ୪୨ ହଜାର ଦର୍ଶକ ବସି ମ୍ୟାଚ୍ ଦେଖିବାର ସୁବିଧା ହୋଇଛି । ଅପରାହ୍ଣ ୩ଟାରୁ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ କୁହାଯାଇଛି ।

ଆଟାକ୍‌ ମୁଡ଼ରେ ୱାସିଂଟନ୍‌

ଅଲରାଉଣ୍ଡର ୱାସିଂଟନ୍‌ ସୁନ୍ଦର ଗତକାଲି ନେଟ୍ସରେ ବିସ୍ଫୋରକ ବ୍ୟାଟିଂକୁ ପ୍ରାଥମିକତା ଦେଉଥିବା ଦେଖିବାକୁ ମିଳିଛି । ସେ ଆଜି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି । ସ୍ପିନ ଯାଦୁରେ ପ୍ରତିପକ୍ଷ ବ୍ୟାଟରଙ୍କୁ ପାଭିଲିୟନ ଫେରାଇବା ଦକ୍ଷତା ରଖିଥିବା ୱାସିଂଟନ୍‌ ବ୍ୟାଟିଂ ଲାଇନ୍‌ ଅପ୍‌ରେ ପ୍ରମୁଖ ଭୂମିକା ତୁଲାଇ ପାରନ୍ତି । ଅନ୍ୟପକ୍ଷରେ ସଞ୍ଜୁ ସାମସନ ଏବଂ ଶୁଭମନ ଗିଲ୍‌ କିଛି ସମୟର ଅଭ୍ୟାସରେ ନିଜ ଚମତ୍କାର ବ୍ୟାଟିଂ ଶୈଳୀର ଛାପ ଛାଡିଥିଲେ । ସୂର୍ଯ୍ୟକୁମାର ଓ ତିଲକ ବର୍ମାଙ୍କ ବ୍ୟାଟିଂ ଦେଖିବାକୁ ମଧ୍ୟ କ୍ରିକେଟପ୍ରେମୀ ବେଶ୍‌ ଉତ୍ସାହିତ ଥିଲେ ।

ଦ୍ୱନ୍ଦ୍ୱରେ "ଡିଏମଏସ୍‌ ଲାଇଟ୍‌ ଶୋ'

ଦର୍ଶକଙ୍କ ମନୋରଞ୍ଜନ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରଥମଥର ଡିଏମଏସ୍‌ ଲାଇଟ୍‌ ଶୋ’ କରାଯିବ । ହେଲେ ଏ ପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ ଅନୁମତି ମିଳିନାହିଁ । ୮ଟି ଯାକ ଫ୍ଲଡଲାଇଟ୍‌ ବ୍ୟବହାର ଦ୍ୱାରା ଲାଇଟ୍‌ ଶୋ’ କରିବାକୁ ଯୋଜନା ହୋଇଛି । ଫ୍ଲଡଲାଇଟ୍‌ ଜନିତ ତ୍ରୁଟି ଯୋଗୁଁ ଗତ ଭାରତ-ଇଂଲଣ୍ଡ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିବାରୁ ଏବେ ଏହି ଶୋ’ ଦ୍ୱନ୍ଦରେ ରହିଛି । ତଥାପି ମ୍ୟାଚ୍‌ ଶେଷ ହେବା ପରେ ଶୋ’ କରାଯିବ ବୋଲି ଓସିଏ ସ୍ଥିର କରିଛି ।

​​​​​​​ସମ୍ଭାବ୍ୟ ଦଳ

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ୍ (ଉପ ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ଜିତେଶ ଶର୍ମା/ ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷିତ ରାଣା /ୱାସିଂଟନ ସୁନ୍ଦର/ଶିବମ ଦୁବେ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ।

ଦକ୍ଷିଣ ଆଫ୍ରିକା ଦଳ: ଆଡେନ ମାରକ୍ରମ (ଅଧିନାୟକ), କ୍ୱିଣ୍ଟନ ଡି’ କକ୍, ରିଜା ହେଣ୍ଡ୍ରିକ୍ସ, ଡିୱାଲ୍ଡ ବ୍ରେଭିସ୍, ଡେଭିଡ୍ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, କର୍ବିନ ବସ୍/ଜର୍ଜ ଲିଣ୍ଡେ, ମାର୍କୋ ଜାନସେନ, ଲୁଙ୍ଗି ଏନ୍‌ଗିଡ଼ି, ଆନରିଚ୍ ନର୍ଜ, କେଶବ ମହାରାଜ ।