ରାଏପୁର,୩|୧୨: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ପୁଣି ଥରେ ବିଶ୍ୱ କ୍ରିକେଟ୍‌ ପ୍ରେମୀଙ୍କ ନଜର ଦୁଇ ମହାନ ଦିନିକିଆ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ କେନ୍ଦ୍ରିଭୂତ ହେବ । ଭାରତୀୟ ଦଳ ରାଏପୁରରେ ପହଞ୍ଚିବା ଦିନଠୁ ସମଗ୍ର ସହର ଉତ୍ସବ ମୁଖର ହୋଇ ସାରିଛି । ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ସାରା ସହର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍‌ରେ ଏକଜୁଟ ହୋଇଛନ୍ତି ।  ଆଜି ବିଜୟ ଜାରି ରଖି ଭାରତ ସିରିଜ କବ୍‌ଜା କରିବାକୁ ପ୍ରୟାସ କରିବ । ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ୍‌ ‘କର ବା ମର’ । ତେଣୁ ବିଜୟ ପାଇଁ ଭ୍ରମଣକାରୀ ଦଳ ସବୁ ଶକ୍ତ ଖଟାଇବାକୁ ପ୍ରସ୍ତୁତ । ରାଞ୍ଚିରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ବିଜୟ ହାସଲ କରିଥିଲେ ହେଁ ଦକ୍ଷିଣ ଆଫ୍ରିକାର ଲଢୁଆ ପ୍ରଦର୍ଶନ ଦଳର ନିଦ ହଜାଇ ଦେଇଛି । ବିଶାଳ ଲକ୍ଷ୍ୟକୁ ମଧ୍ୟ ସହଜରେ ଟପି ଯିବା ଭଳି ବ୍ୟାଟିଂ ବିଭାଗ ଦକ୍ଷିଣ ଆଫ୍ରିକା ନିକଟରେ ରହିଥିବା ଭାରତ ଉପଲବ୍ଧି କରିସାରିଛି । ତେଣୁ ଏହି ମ୍ୟାଚକୁ ହାଲ୍‌କା ଭାବେ ନେବା ବୁମେରାଂ ସାବ୍ୟସ୍ତ ହୋଇପାରେ ।  ତେଣୁ ଆଜି ଉଭୟ ଦଳର ପେସ୍ ବୋଲର ଘାତକ ସାବ୍ୟସ୍ତ ହେବା ଆଶା କରାଯାଉଛି । ପ୍ରଥମ ମ୍ୟାଚ୍‌ରେ ଭାରତ ପକ୍ଷରୁ ହର୍ଷିତ ରାଣା ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ ନାନ୍ଦ୍ରେ ବର୍ଗର ଶୃଙ୍ଖଳିତ ବୋଲିଂ କରିଥିଲେ । ବୁଧବାର ଉଭୟଙ୍କ ପ୍ରଦର୍ଶନ ଉପରେ ଦର୍ଶକଙ୍କ ନଜର ରହିବ । ଭାରତ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା କ୍ଷୀଣ । ତଥାପି ୪ନଂ ସ୍ଥାନରେ ଅଉ ଥରେ ପରୀକ୍ଷା ନୀରାକ୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଋତୁରାଜ ଗାଏକୱାଡଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ ।

ଦକ୍ଷିଣ ଆଫ୍ରିକା ଏକାଦଶରେ ୨ଟି ପରିବର୍ତ୍ତନ କରିବା ଆଶା କରାଯାଉଛି । ପ୍ରେନୁଲାନ ସୁବ୍ରାଏନଙ୍କ ସ୍ଥାନରେ କେଶବ ମହାରାଜ ଏକାଦଶକୁ ଫେରିବା ଏକ ପ୍ରକାର ନିଶ୍ଚିତ । ସେହିପରି ର‌୍ୟାନ ରିକେଲଟନ ଓ କ୍ୱିଣ୍ଟନ ଡି କକଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦିଆଯାଇ ଏହି ସ୍ଥାନରେ ତେମ୍ବା ବଭୁମାଙ୍କୁ ଅନ୍ତର୍ଭୁକ୍ତ କରାଯିବ । ପ୍ରଥମ ମ୍ୟାଚ୍‌ରେ ବଭୁମାଙ୍କୁ ବିଶ୍ରାମ ମିଳିଥିଲା ଓ ଆଡେନ ମାରକ୍ରମ ନେତୃତ୍ୱ ନେଇଥିଲେ । ଉଭୟ ଡି କକ ଓ ରିକେଲଟନ ଉକ୍ତ ମ୍ୟାଚ୍‌ରେ ଖାତା ଖୋଲିପାରି ନଥିଲେ । ଦ୍ୱିତୀୟ ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଏହି ଗ୍ରାଉଣ୍ଡରେ ଆଜି ପର୍ଯ୍ୟନ୍ତ ଗୋଟିଏ ମାତ୍ର ଦିନିକିଆ ଖେଳାଯାଇଛି । ଏହି ମ୍ୟାଚ୍‌ରେ ପେସ୍‌ ବୋଲରମାନେ ମୋଟ୍‌ ୧୨ଟିରୁ ୮ଟି ୱିକେଟ୍‌ ନେଇଥିଲେ । ଏଥର ବ୍ୟାଟିଂ ପାଇଁ ଅନୁକୂଳ ପିଚ୍‌ ପ୍ରସ୍ତୁତ କରାଯାଇଥିଲେ ହେଁ ବୋଲରମାନେ ପ୍ରାରମ୍ଭରୁ ପିଚ୍‌ର ଫାଇଦା ଉଠାଇ ପାରିବେ । ମଧ୍ୟ ଭାଗରେ ପିଚ୍ ସାମାନ୍ୟ ମନ୍ଥର ହୋଇଯିବ । ରାତ୍ରିରେ କାକର ପଡ଼ୁଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

​​​​​​​ସମ୍ଭାବ୍ୟ ଦଳ ଭାରତ:

ରୋହିତ ଶର୍ମା, ଯଶସ୍ୱୀ ଜୈସ୍ୱାଲ୍‌, ବିରାଟ କୋହଲି, ରିଷଭ ପନ୍ତ/ଋତୁରାଜ ଗାଏକୱାଡ୍‌, କେଏଲ ରାହୁଲ(ଅଧିନାୟକ), ୱାସିଂଟନ ସୁନ୍ଦର, ରବିନ୍ଦ୍ର ଜାଡ଼େଜା, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ।

ଦକ୍ଷିଣ ଆଫ୍ରିକା:

ଆଡେନ ମାରକ୍ରମ, କ୍ୱିଣ୍ଟନ ଡି କକ୍‌, ତେମ୍ବା ବଭୁମା(ଅଧିନାୟକ), ମାଥ୍ୟୁ ବ୍ରୀଜକି, ଡିୱାଲ୍ଡ ବ୍ରେଭିସ, ଟୋନି ଡି ଜର୍ଜି, ମାର୍କୋ ଜାନସେନ, କର୍ବିନ ବସ୍କ, କେଶବ ମହାରାଜ, ନାନ୍ଦ୍ରେ ବର୍ଗର, ଓଟିନେଲ ବାର୍ଟମାନ ।