ମୁମ୍ବାଇ,୦୭/୦୨: ଆଇସିସି ଟି୨୦ ବିଶ୍ବକପ ୨୦୨୬ର ତୃତୀୟ ମ୍ୟାଚ୍ରେ ମୁହାଁମାହିଁ ହୋଇଛନ୍ତି ଭାରତ ଏବଂ ଆମେରିକା। ଉଭୟ ଦଳ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଆମେରିକା। ତେବେ ସୂର୍ଯ୍ୟସେନା ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୬୧ ରନ୍ କରିଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୯ ବଲ୍ରେ ୧୦ ଚୌକା ଏବଂ ୪ ଛକା ସହାୟତାରେ ସର୍ବାଧିକ ୮୪ ରନ୍ କରିଛନ୍ତି। ଦଳ ପକ୍ଷରୁ ଅନ୍ୟ ଖେଳାଳୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ତିଳକ ବର୍ମା ୨୫, ଇଶାନ କିଷନ ୨୦ ଏବଂ ଅକ୍ଷର ପଟେଲ ୧୪ ରନ୍ କରି ପାଭିଲିୟନ ଫେରିଥିଲେ। ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ। ଫଳରେ ଦଳ ୯ ଓ୍ବିକେଟ ହରାଇ ୧୬୧ ରନ୍ କରିଥିଲା।
ଆମେରିକା ପକ୍ଷରୁ ସାଡଲେ ଭାନ୍ ସ୍କାଲକିକ ସର୍ବାଧିକ ୪ଟି ଓ୍ବିକେଟ ନେଇ ୪ ଓଭର ବୋଲିଂରେ ୨୫ ରନ୍ ଦେଇଛନ୍ତି। ସେହିପରି ହରମିତ ସିଂହ ଦୁଇଟି ଏବଂ ମହମ୍ମଦ ମୋହସିନ ଓ ଅଲ୍ଲି ଖାନ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି। ବର୍ତ୍ତମାନ ଭାରତର ଟାର୍ଗେଟକୁ ପିଛା କରିବାକୁ ମଇଦାନକୁ ଓହ୍ଲାଇବ ଆମେରିକା। ଏବେ ଭାରତ ପାଇଁ ବୋଲିଂରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି।