ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ

କଟକ,୩ା୬(ବ୍ୟୁରୋ): ପ୍ରାୟ ଦୁଇ ବର୍ଷ ଅନ୍ତରରେ ଐତିହାସିକ ବାରବାଟୀ ଷ୍ଟାଡିୟମ୍କୁ ପୁଣି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଫେରିଛି । ଆସନ୍ତା ଡିସେମ୍ବରରେ ଏଠାରେ ଭାରତ ବନାମ ୱେଷ୍ଟଇଣ୍ଟିଜ୍ ଦିନିକିଆ ମ୍ୟାଚ ଖେଳାଯିବ ବୋଲି ସୂଚନା ମିଳିଛି । ୱେଷ୍ଟଇଣ୍ଡିଜ ଭାରତ ଗସ୍ତରେ ଆସି ଉଭୟ ଦିନିକିଆ ଓ ଟି-୨୦ ଶୃଙ୍ଖଳା ଖେଳିବ । ସେଥିରୁ ଡିସେମ୍ବର ୨୨ରେ ତୃତୀୟ ଦିନିକିଆ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବାକୁ ସ୍ଥିର କରାଯାଇଛି ।
ଶେଷଥର ପାଇଁ ୨୦୧୭ ଡିସେମ୍ବର ୨୦ରେ ବାରବାଟୀରେ ଭାରତ ବନାମ ଶ୍ରୀଲଙ୍କା ଟି-୨୦ ମ୍ୟାଚ ଖେଳାଯାଇଥିଲା । ସେହିପରି ୨୦୧୭ ଜାନୁୟାରୀ ୧୯ରେ ଏଠାରେ ଭାରତ ବନାମ ଇଂଲଣ୍ଡ ଶେଷ ଦିନିକିଆ ଅନୁଷ୍ଠିତ ହୋଇଥିଲା । ଏହାପରଠାରୁ ବାରବାଟୀ ଷ୍ଟାଡିୟମ୍କୁ କୌଣସି ମ୍ୟାଚ ମିଳୁନଥିଲା । ଏମିତିକି ଏଭିତରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍)ର ଦୁଇ ସିଜିନ୍ ଅନୁଷ୍ଠିତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ ଗୋଟିଏ ବି ମ୍ୟାଚ ଏଠାକୁ ଆସିନଥିଲା । ଏବେ ପ୍ରାୟ ଦୁଇବର୍ଷ ପରେ ବାରବାଟୀ ଷ୍ଟାଡିୟମ୍କୁ ପୁଣି ଏକ ମ୍ୟାଚ ଆୟୋଜନ କରିବାକୁ ସୁଯୋଗ ଦେଇଛି ବିସିସିଆଇ ।
ନଭେମ୍ବର-ଡିସେମ୍ବରରେ ୱେଷ୍ଟଇଣ୍ଡିଜ ଭାରତ ଗସ୍ତରେ ଆସି ଖେଳିବାକୁ ଥିବା ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚଟି ଏଠାରେ ଖେଳାଯିବ । ଏ ନେଇ ଓଡ଼ିଆ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ମ୍ୟାଚକୁ ଆହୁରି ୬ମାସ ବାକି ଥିବା ବେଳେ ବାରବାଟୀ ଷ୍ଟାଡିୟମ୍କୁ ଏ ନେଇ ପ୍ରସ୍ତୁତ କରିବା ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ପାଇଁ ଚ୍ୟାଲେଞ୍ଜିଂ ହେବ । ବାତ୍ୟା ‘ଫୋନି’ରେ ଷ୍ଟାଡିୟମ୍ର ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଷ୍ଟାଡିୟମ୍ର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଫ୍ଲଡ୍ ଲାଇଟ୍ର ଅବସ୍ଥା ବେହାଲ୍ ହୋଇପଡ଼ିଛି । ବାତ୍ୟା ପ୍ରଭାବରେ ୬୦ରୁ ଅଧିକ ଲାଇଟ୍ ଭାଙ୍ଗି ତଳେ ପଡିଥିଲା । ଅନ୍ୟ ଲାଇଟ୍ଗୁଡ଼ିକ ବର୍ଷା ଓ ପବନ ସଂସ୍ପର୍ଶରେ ଆସି ଫ୍ୟୁଜ୍ ହୋଇଥିବା ଜଣାପଡ଼ିଛି । ସେହିପରି ପବନର ବେଗରେ ସମସ୍ତ ୮ଟି ଯାକ ଫ୍ଲଡ୍ଲାଇଟ୍ ପୋଷ୍ଟ୍ ହୁଗୁଳା ହୋଇଯାଇଥିଲା । ଷ୍ଟାଡିୟମ୍ ପରିସରରେ ଥିବା ପ୍ରେସ୍ ବକ୍ସ, ଅପର୍ ପ୍ରେସ୍ବକ୍ସ ଓ କମେଣ୍ଟ୍ରି ରୁମ୍ର ବ୍ୟାପକ କ୍ଷୟକ୍ଷତି ହୋଇଛି । ନ୍ୟୁ ପ୍ୟାଭିଲିୟନ୍, ୫ ନମ୍ବର ଗ୍ୟାଲେରୀର ଛାତ ଉଡ଼ିଯାଇଥିବା ବେଳେ ଡିଜିଟାଲ୍ ସ୍କୋର ବୋର୍ଡ ଫ୍ରେମ୍ ଭାଙ୍ଗିଯାଇଥିଲା । ପ୍ରାୟ କୋଟିଏରୁ ଅଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ଓସିଏ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ନିର୍ବାଚନ ନହୋଇଥିବାରୁ ବିସିସିଆଇଠାରୁ ଓସିଏକୁ କୌଣସି ଆର୍ଥିକ ଅନୁଦାନ ମିଳୁନାହିଁ । ତେଣୁ ଏ ପରିସ୍ଥିତିରେ ବାରବାଟୀ ଷ୍ଟାଡିୟମ୍କୁ ପୁଣି ଥରେ ପୂର୍ବଭଳି ପ୍ରସ୍ତୁତ କରିବାକୁ ଓସିଏ କ’ଣ ପଦକ୍ଷେପ ନେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡିୟମ୍ରେ ଏଯାବତ୍ ୧୮ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯାଇଛି । ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ୨ଟି ମ୍ୟାଚ ବର୍ଷା ଯୋଗୁଁ ବାତିଲ୍ ହୋଇଛି । ସେହିପରି ଏଠାରେ ଦୁଇଟି ଟେଷ୍ଟ ଏବଂ ଦୁଇଟି ଟି-୨୦ ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।