ଭାରତର ପରମାଣୁ କ୍ଷେପଣାସ୍ତ୍ର ଟାର୍ଗେଟରେ ପାକିସ୍ତାନର ପ୍ରମୁଖ ସହର

ନୂଆଦିଲ୍ଲୀ,୨୮୧୨: ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ପାକିସ୍ତାନର ଏଭଳି କିଛି ଅଞ୍ଚଳ ନାହିଁ ଯାହା ଭାରତର ଟାର୍ଗେଟରେ ନାହିଁ। ସମ୍ପୂର୍ଣ୍ଣ ଭାରତ ୩୨ ଲକ୍ଷ ବର୍ଗ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟପ୍ତ ହୋଇଥିବା ବେଳେ ପାକିସ୍ତାନ କେବଳ ୭ ଲକ୍ଷ ବର୍ଗ କିଲୋମିଟରରେ ସୀମିତ ରହିଛି। ତେଣୁ ପାକିସ୍ତାନକୁ ଟାର୍ଗେଟ କରିବା ଭାରତ ପାଇଁ ଖୁବ୍ ସହଜ କଥା। ଭାରତ ନିଜର ପ୍ରାୟ ୫୬ ପ୍ରତିଶତ ପରମାଣୁ ବୋମା ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ମୁତୟନ କରିଛି।

ଭାରତ ପାଖରେ ଯଦିଓ ପାକିସ୍ତାନ ଠାରୁ ୫-୧୦ ପରମାଣୁ ବୋମା କମ୍ ଥାଇପାରେ କିନ୍ତୁ ପାକିସ୍ତାନର କୌଣସି ସହରକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା ପାଇଁ ଭାରତ ପାଖରେ ଥିବା ପରମାଣୁ ବୋମା ପର୍ଯ୍ୟାପ୍ତ ରହିଛି। ଭାରତର ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ୩ଟି ରାଜ୍ୟକୁ ଯଦି ମିଶାଇ ଦିଆଯିବ ତେବେ ପାକିସ୍ତାନ ଏହା ଠାରୁ ଛୋଟ ପଡିଯିବ। ଅଗ୍ନି ଓ ପୃଥବୀ କ୍ଷେପଣାସ୍ତ୍ରର ଟାର୍ଗେଟରେ ରହିଛି ପାକିସ୍ତାନର ୫୬ ପ୍ରତିଶତ ଅଞ୍ଚଳ। ଏହାଛଡା ୧୫ ସାଗରିକା ଯୁଦ୍ଧଜାହାଜରେ ୧୨ ପରମାଣୁ ହତିଆର ରହିଛି। ଏହାକୁ ଭାରତ ପରମାଣୁ ଶକ୍ତି ଥିବା ଆଇଏନ୍ଏସ୍ ଅରିହନ୍ତ ନାମକ ଏକ ଯୁଦ୍ଧ ଜାହାଜ ପାଇଁ ପ୍ରସ୍ତୁତ କରି ରଖିଛି। ଏଭଳି ସ୍ଥିତିରେ ପାକିସ୍ତାନର ଇସଲାମାବାଦ, ରାଓ୍ବଲପିଣ୍ଡି, ଲାହୋର, କରାଚୀ ସମେତ ପାକିସ୍ତାନର ସେନା କ୍ୟାମ୍ପକୁ ଟାର୍ଗେଟ କରିପାରେ।

ଭାରତ ପାଖରେ ଅଢେଇ ଶହ କିଲୋମିଟର ଦୂର ପର୍ଯ୍ୟନ୍ତ ଟାର୍ଗେଟ କରିପାରୁଥିବା ସ୍ବଳ୍ପଦୂରଗାମୀ ବାଲାଷ୍ଟିକ୍ ମିଶାଇଲ ଅନେକ ଗୁଡିଏ ରହିଛି। ଯାହାକି ୨୪ଟି ପରମାଣୁ ବୋମା ନିକ୍ଷେପ କରିପାରିବ। ଏହା ପାକିସ୍ତାନର ଲାହୋର, ସିୟାଲକୋଟ, ଇସଲାମାବାଦ, ରାଓ୍ବଲପିଣ୍ଡିକୁ ସହଜରେ ଟାର୍ଗେଟ କରିପାରିବ। ସେଭଳି ଅଗ୍ନି-୧, ଅଗ୍ନି-୨ ନାମରେ ଥିବା ଦୁଇ ପରମାଣୁ ହତିଆର ଥିବା ୨୦ ବାଲାଷ୍ଟିକ୍ ମିଶାଇଲ ମଧ୍ୟ ଭାରତ ପାଖରେ ରହିଛି। ଯାହାକି ୭୦୦ ରୁ ୨୦୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ। ଏହାର ପରିସରରେ ଇସଲାମାବାଦ, ରାଓ୍ବଲପିଣ୍ଡି, ମୁଲତାନ, ପେଶାଓ୍ବର, କରାଚୀ, କ୍ବେଟା କିମ୍ବା ଗ୍ବାଦର ରହିପାରିବ। ଅଗ୍ନି-୩, ଅଗ୍ନି-୪ ଏବଂ ଅଗ୍ନି-୫ ଦୂରଗାମୀ କ୍ଷେପଣାସ୍ତ୍ର ପାକିସ୍ତାନକୁ ସମ୍ପୂର୍ଣ୍ଣ ଧ୍ବଂସ କରିପାରେ। ଭାରତ ପାଖରେ ଧନୁଷ ନାମକ ସ୍ବଳ୍ପ ଦୂରଗାମୀ ପରମାଣୁ ଅସ୍ତ୍ର ରହିଛି। ପରମାଣୁ ହତିଆରର ୪୫ ପ୍ରତିଶତ ଅଂଶ ଆକାଶ ମାର୍ଗରୁ ଆକ୍ରମଣ କରିବା ପାଇଁ ରହିଛି। ଭାରତର ଜାଗୁଆର ୧୬ ଫାଇଟର ଜେଟ୍ ଓ ମିରାଜ ୨୦୦୦ ଏକାଠି ୩୨ ଟି ପରମାଣୁ ଆକ୍ରମଣ କରିପାରିବ।